ଆସ୍କାବାସୀ କାହାକୁ ଭରଷା କରିବେ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଆସ୍କା ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ, ସମସ୍ତଙ୍କ ନଜର ଏହି ଆସନ ଉପରେ ରହିଛି । ଉଭୟ ପ୍ରାର୍ଥୀ ପୋଖତ ରାଜନୈତିକ ପରିବାରରୁ ଆସିଥିବାରୁ ଓ ଶିକ୍ଷିତ ମହିଳା ହୋଇଥିବାରୁ ଏଥର କିଏ ବିଜୟୀ ହେବେ
ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ଏବଂ ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁ ଉଭୟ ରାଜନୀତି କ୍ଷେତ୍ରରେ ଗୋଟି ଚାଳନା କରିବାରେ ସିଦ୍ଧହସ୍ତ ପରିବାରରୁ ଆସିଛନ୍ତି । ଜଣେ ଗଞ୍ଜାମର ବରିଷ୍ଠ ନେତା ଭାବେ ପରିଚିତ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀ ହୋଇଥିବାବେଳେ ଅନ୍ୟ ଜଣେ ଟାଣୁଆ ନେତା ହର ସାହୁଙ୍କ ଝିଅ । ଏକଦା ରାମକୃଷ୍ଣଙ୍କ ଅନୁଗତ ଥିଲେ ହର । ହେଲେ ଏଥର ଦୁହିଁଙ୍କ ଝିଅ ପରସ୍ପର ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି ।
ଅନୀତାଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ, ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଶହ ଶହ ସମର୍ଥକଙ୍କୁ ସାଙ୍ଗରେ ଧରି ପଦଯାତ୍ରା କରିଛନ୍ତି । ଲୋକଙ୍କ ପାଖକୁ ଯାଇ ଭୋଟ ମାଗିଛନ୍ତି । କେନ୍ଦ୍ରର ବିଭିନ୍ନ ବିକାଶ ମୂଳକ ଯୋଜନା ଓ ମୋଦୀଙ୍କ ଗ୍ୟାରେଣ୍ଟି ନେଇ ସେ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ।
ସେପଟେ ଆସ୍କା ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁ ମଇଦାନକୁ ଓହ୍ଲାଇଛନ୍ତି । ପ୍ରଥମେ ମନ୍ଦିର ଯାଇ ଆଶୀର୍ବାଦ ନେବା ପରେ ନିଜ ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରିଛନ୍ତି ରଞ୍ଜିତା ।

