ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା ସୂଚନା ।
ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ସୁତ୍ରରୁ ସୂଚନା, ପଦବୀର ଦୁରୁପଯୋଗ ନେଇ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଥିଲା ବିଜେପି । ଏହା ପରେ ତାଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି କମିଶନ ।
ଲୋକଙ୍କ ସହ ଯୋଡି ହୋଇନଥିବା ବିଭାଗରେ ତାଙ୍କୁ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ରହିଛି । ତୁରନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ବିଜେପିର ବରିଷ୍ଠ ନେତ୍ରୀ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟି ଓଡ଼ିଶାରେ ମହିଳା ଭୋଟରମାନଙ୍କୁ ଧମକଚମକ ଦିଆଯାଇ ବିଜେଡି ସପକ୍ଷରେ ଭୋଟ୍ ଦେବା ନିମନ୍ତେ ଚାପ ପକାଯାଉଥିବାର ଲିଖିତ ଅଭିଯୋଗ କରିଥିଲେ ।
ଭୋଟରଙ୍କୁ ସଚେତନ କରାଇବା ପାଇଁ ଜାତୀୟ ନିର୍ବାଚନ କମିଶନ ଏସଭିଇଇପି(ସିଷ୍ଟମେଟିକ ଭୋଟର୍ସ ଏଜୁକେସନ ଆଣ୍ଡ ଇଲେକ୍ଟ୍ରୋରାଲ ପ୍ରାଟିସପେକ୍ସନ) ଭଳି ଫ୍ଲାଗସିପ୍ କାର୍ଯ୍ୟକ୍ରମର ଦୁରୂପଯୋଗ କରି ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ କିଭଳି ମହିଳା ଏସଏଚଜି ସଦସ୍ୟମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଧମକଚମକ ଦେଉଛି ତା’ର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।
ଏପରିକି ବିଜେଡିକୁ ଭୋଟ୍ ନଦେଲେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆର୍ôଥକ ସହାୟତା ଓ ଋଣ ଦିଆଯିବ ନାହିଁ ବୋଲି ମହିଳା ଏସଏଚଜିଙ୍କୁ ଧମକ ଦିଆଯାଉଛି ବୋଲି ବିଜେପି ଅଭିଯୋଗ କରିଥିଲା । ଏହାସହିତ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସୁଜାତାଙ୍କୁ ତୁରନ୍ତ ମିଶନ ଶକ୍ତି ବିଭାଗରୁ ହଟାଇବାକୁ ବିଜେପି ଦାବି କରିଥିଲା

