କାହିଁକି ଭାରତ ଆସିଲେ ହସିନା ?

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଭାରତକୁ ଭଲଭାବେ ଜାଣନ୍ତି ଏବଂ ଭାରତ ମଧ୍ୟ ହସିନାକୁ ଭଲଭାବେ ଜାଣେ। ଭାରତ ସହ ହସିନାଙ୍କର ସମ୍ପର୍କ ଅତି ମଝବୁତ୍‌। ହସିନାଙ୍କ ବାପା ଶେଖ୍‌ ମୁଜିବୁର ରହମାନ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ। ସେ ପାକିସ୍ତାନ କବଳରୁ ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)କୁ ସ୍ବାଧୀନ କରିବାପାଇଁ ହୋଇଥିବା ଯୁଦ୍ଧକୁ ସମର୍ଥନ କରିଥିଲେ। ୧୯୭୫ରେ ମୁଜିବୁର ଏବଂ ତାଙ୍କ ପରିବାରର ଅନେକ ସଦସ୍ୟଙ୍କୁ ମିଲିଟାରି କୁପ୍‌ରେ ହତ୍ୟା କରାଯାଇଥିଲା। ହସିନା ଏବଂ ତାଙ୍କ ସାନ ଭଉଣୀ ସେ ସମୟ‌‌ରେ ବିଦେଶରେ ଥିବାରୁ ବଞ୍ଚି ଯାଇଥିଲେ। ତେବେ ଭାରତ ହସିନାଙ୍କୁ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଆଶ୍ରୟ ଦେଇଥିଲା। ସେ ଦିଲ୍ଲୀରେ ୬ ବର୍ଷ ରହିଥିଲେ। ତେଣୁ ଭାରତ ହସିନାଙ୍କୁ ଭଲଭାବେ ଜାଣେ।

ହସିନା ଗାନ୍ଧୀ ପରିବାର ସହ ବହୁତ ନିବିଡ଼ ଥିଲେ। ୨୦୧୦ରେ ତତ୍କାଳୀନ କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ହସିନାଙ୍କୁ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲା। ୧୯୯୬ରେ ହସିନା ପ୍ରଥମ ଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ସେବେଠାରୁ ଭାରତ ସହ ସେ ଦୃଢ଼ ସମ୍ପର୍କ ରଖିଛନ୍ତି। ଚଳିତ ବର୍ଷ ଜାନୁଆରିରେ ହସିନା ଭାରତକୁ ଏକ ବିଶ୍ବସ୍ତ ବନ୍ଧୁ ବୋଲି କହିଥିଲେ। ବାଂଲାଦେଶ ନିର୍ବାଚନ ସମୟରେ ହସିନା ଭାରତକୁ ଏକ ବାର୍ତ୍ତା ଦେଇ କହିଥିଲେ, ‘ ଆମେ ଖୁବ୍‌ ଭାଗ୍ୟବାନ। ଭାରତ ଆମର ବିଶ୍ବସ୍ତ ବନ୍ଧୁ। ଆମର ମୁକ୍ତି ସଂଗ୍ରାମ ବେଳେ ସେମାନେ ଆମକୁ ସମର୍ଥନ କରିଛନ୍ତି। ୧୯୭୫ରେ ଯେତେବେଳେ ଆମେ ଆମ ପୂରା ପରିବାରକୁ ହରାଇଦେଲୁ ସେ ସମୟରେ ସେମାନେ ଆମକୁ ଆଶ୍ରୟ ‌ଦେଇଛନ୍ତି। ଭାରତୀୟ ନାଗରିକଙ୍କୁ ଆମର ଶୁଭେଚ୍ଛା। ହସିନା କଂଗ୍ରେସ ନେତୃବୃନ୍ଦଙ୍କୁୂ ସ୍ବାଭାବକି ଭାବେ ସମର୍ଥନ କରିଥିଲେ ସୁଦ୍ଧା ୨୦୧୪ରେ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା‌ ପରେ ସେ ଭାରତ ସହ ଦୃଢ଼ ସମ୍ପର୍କ ବଜାୟ ରଖିଥିଲେ। ମୋଦୀଙ୍କ ନେତୃତ୍ବରେ ଭାରତ-ବାଂଲାଦେଶ ସମ୍ପର୍କ ଅଧିକ ସୁଦୃଢ଼ ହେଲା। ବାଂଲାଦେଶ ସହ ଭାରତର ଆର୍ଥିକ ସମ୍ପର୍କ ମଝବୁତ ହେଲା। ଗତବର୍ଷ ଦ୍ବିପାକ୍ଷିକ ବାଣିଜ୍ୟ ୧୫.୯ ବିଲିଅନ୍‌ ଡଲାରରେ ପହଞ୍ଚିଥିଲା। ମୋଦୀ ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାପରେ ଭାରତ ହସିନାଙ୍କୁ ପ୍ରଥମ ରାଷ୍ଟ୍ର ଅତିଥି ଭାବେ ଆମନ୍ତ୍ରଣ କରିଥିଲା। ହସିନାଙ୍କ କାର୍ଯ୍ୟକାଳରେ ତାଙ୍କ ରାଷ୍ଟ୍ରରେ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପ କମିଛି। ବାଂଲାଦେଶରୁ ପରିଚାଳିତ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ହସିନାଙ୍କ ନେତୃତ୍ବରେ ବାଂଲାଦେଶ ସହ ଅତି ଘନିଷ୍ଠ ଭାବେ କାମ କରୁଛନ୍ତି। ତେଣୁ ହସିନା ଭାରତ ଉପରେ ଦୃଢ଼ ବିଶ୍ବାସ ରଖି ସଙ୍କଟ ସମୟରେ ଭାରତ ଚାଲି ଆସିଛନ୍ତି। ହସିନା ଭାରତରେ ପହଞ୍ଚିବା ସହ ଏହା ପ୍ରମାଣ ହୋଇଗଲା ‌ଯେ ‌ଭାରତ ହସିନା ଏବଂ ତାଙ୍କ ପରିବାର ସହ ଥିବା ସମ୍ପର୍କକୁ ଭୁଲିନାହିଁ। ହସିନା ଭାରତ ମାଟିରେ ଥିବା ପର୍ଯ୍ୟନ୍ତ ଭାରତ ତାଙ୍କୁ ସୁରକ୍ଷା ପ୍ରଦାନ କରିବ। କିନ୍ତୁ ହସିନା ଭାରତରେ କେତେଦିନ ରହିବେ ତାହା ଜଣାପଡ଼ିନି। ସେ ଲଣ୍ଡନ୍‌ ଚାଲିଯାଇପାରନ୍ତି ବୋଲି ମଧ୍ୟ କୁହାଯାଉଛି।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!