ଶେଷ ହୋଇଛି କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟ୍ରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା ।
ସୂଚନା ଅନୁଯାୟୀ, ଲୋକସେବା ଭବନରେ ବସିଥିବା ଏହି ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ନିଷ୍ପତ୍ତି ଅନୁଯାୟୀ, ଗୋପାଳପୁର ବନ୍ଦରର ୯୫% ଅଂଶଧନ ଆଦାନୀ ଗ୍ରୁପ୍ ପାଖକୁ ଯାଇଛି। ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ଆଉ ବାକି ୫% ଅଂଶଧନ ରହିବ। ଏହି ଚୁକ୍ତିନାମାକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ଦେଇଛନ୍ତି। ଆଦାନୀ ଗ୍ରୁପ୍ ପାଖକୁ ଏହି ଅଂଶଧନ ଯିବା ଦ୍ୱାରା ଗୋପାଳପୁର ବନ୍ଦର ଉନ୍ନତି କରଣ କରାଯାଇପାରିବ। ଫଳରେ ରାଜ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ବଢ଼ିବ।
ଏଥିସହିତ ସରକାରୀ କର୍ମଚାରୀଙ୍କୁ ମୃତ୍ୟୁ ପରେ ତାଙ୍କ ଅବିବାହିତ ଝିଅ, ନିର୍ଭରଶୀଳ ବିବାହିତ ଝିଅ ଏବଂ ସାବତ ଝିଅଙ୍କୁ ମଧ୍ୟ ନିଯୁକ୍ତି ପାଇଁ ଅଧିକାର ମିଳିପାରିବ ବୋଲି କ୍ୟାବିନେଟ ପ୍ରସ୍ତାବ ପାରିତ ହୋଇଛି। ସେହିଭଳି ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅଗ୍ନିବୀରମାନଙ୍କୁ ପୋଲିସ, ଅଗ୍ନିଶମ ବାହିନୀ, ବନକର୍ମଚରୀ ଏବଂ ଓଡ୍ରାଫ ଆଦି ସଂସ୍ଥାରେ ୧୦ ପ୍ରତିଶତ ନିଯୁକ୍ତି ସଂରକ୍ଷଣ ରହିବ।

