ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ

ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆଜି ମଧ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ମେଜର ଏବଂ ତାଙ୍କ ବାନ୍ଧବୀ ଥାନାକୁ ଆସିବା ପୂର୍ବରୁ କିଛି ରୋଡ୍ ରୋମିଓଙ୍କ ଆକ୍ରମଣର ଶିକାର ହେବାର ଦୃଶ୍ୟ ଭାଇରାଲ ହେଉଛି। ମୋବାଇଲରୁ ମୋବାଇଲକୁ ଘୂରି ବୁଲିଥିବା ଏହି ଭାଇରାଲ ଭିଡିଓରେ ଯୁବକ ଚନ୍ଦକା ଥାନା ଅନ୍ତର୍ଗତ ପଥରଗାଡ଼ିଆ ନିକଟରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଗାଡ଼ିକୁ ଅଟକାଇ ସେମାନଙ୍କ ସହ ଯାହା କରିଥିଲେ, ସେ ଦୃଶ୍ୟ ରହିଛି। ଭିଡିଓରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ କିଛି ଯୁବକ ଘେରି ଯାଇଛନ୍ତି, ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି କିଛି ସମୟ ପରେ ଯୁବକମାନେ ସେମାନଙ୍କୁ ଠେଲାପେଲା କରିବା ସହିତ ଧକ୍କା ଓ ଗୋଇଠା ମାରି ଆକ୍ରମଣ କରିଛନ୍ତି।

ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ର୍ଦୁବ୍ୟବହାର ଓ ନିର୍ଯାତନା ମାମଲା ଯେତିକି ଚର୍ଚ୍ଚା ହେଉଥିଲା ପୀଡ଼ିତାଙ୍କ ବୟାନ ଶୁଣିବା ପରେ ଦିଲ୍ଲୀଠାରୁ ପଲ୍ଲୀ ଯାଏ, ସବୁଠି ପୋଲିସକୁ ନିନ୍ଦା କରାଯାଉଛି। ଯଦି ପୀଡ଼ିତାଙ୍କ ବୟାନରେ ସତ୍ୟତା ଥାଏ, ତାହା ନିଶ୍ଚିତପକ୍ଷେ ଏକ ଜଘଣ୍ୟକାଣ୍ଡ। ଯଦି ତାଙ୍କ ବୟାନ ମିଛ ହୋଇଥାଏ, ତେବେ ପୋଲିସ ତାହାକୁ ମିଥ୍ୟା ପ୍ରମାଣିତ କରିପାରିବନାହିଁ। କାରଣ ପୋଲିସ ପାଖରେ ସିସିଟିଭି ନାହିଁ। ଆଇନ ଅନୁସାରେ, ପୀଡ଼ିତାଙ୍କ ବୟାନ ହିଁ ଜଣକୁ ଦୋଷୀ ସଜେଇବା ପାଇଁ ଯଥେଷ୍ଟ। ତେବେ ଏକ ହାଇବଜେଟ ମଡେଲ ଥାନାରେ ପୋଲିସ କାହିଁକି ସିସିଟିଭି ଲଗାଇ ନ ଥିଲା? ତାହା ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅନ୍ୟପକ୍ଷରେ ଭରତପୁର ଘଟଣାକୁ ସାରାଦେଶ ନିନ୍ଦା କରିବା ପରେ ପୋଲିସ ଏବେ ଆତ୍ମରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଛି। ପୀଡ଼ିତାଙ୍କ ବୟାନକୁ ମିଛ ପ୍ରମାଣିତ କରିବା ଲାଗି ପୋଲିସ ବାର୍, ରେଷ୍ଟ୍ୟୁରାଣ୍ଟ ଓ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରି ମିଡିଆକୁ ଦେଉଛି । ଯଦିଓ ଏଥିରୁ ଥାନାରେ ସେଦିନ କ’ଣ ଘଟିଲା ଜଣାପଡ଼ିବ ନାହିଁ, ଯଥାପି ପୀଡ଼ିତାଙ୍କ ଭାବମୂର୍ତ୍ତିକୁ ଲୋକଲୋଚନକୁ ଆଣିବା ଓ ନିଜକୁ ସ୍ବଚ୍ଛ ବୋଲି ଦାବି କରିବା ପାଇଁ ଏହା କିଛି ମାତ୍ରାରେ ସହଯୋଗ କରିବ ବୋଲି ପୋଲିସ ଆଶା କରୁଛି।

Post Views27 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!