ପୂର୍ବରୁ ଦଳ ଛାଡିଥିବା ଦୁଇ ସାଂସଦ ନବୀନଙ୍କୁ ସିଧାସଳଖ ଭେଟ କରି ପାରୁନଥିବା ଅଭିଯୋଗ ଆଣି ବର୍ଷିଥିଲେ । ଏମିତି କି ନବୀନ ଅନ୍ୟ ଇସାରାରେ ପରିଚାଳିତ ହେଉଥିବା କହିଥିଲେ । ତେଣୁ ଆଗକୁ କେମିତି ଏହାର ପୁନରାବୃତ୍ତି ନହେବ ସେଥିପାଇଁ ଏହି ରଣନୀତି କରିଥିବା ଚର୍ଚ୍ଚା ହେଉଛି । ଏହାରି ଭିତରେ ମମତା ମହନ୍ତ ଓ ସୁଜିତ କୁମାରଙ୍କ ପରେ ଆଉ କିଏ ବିଜେପି ଲିଙ୍କରେ ରହିଛନ୍ତି ଏହାକୁ ନେଇ ସନ୍ଦେହ ବଢୁଛି । ଫଳରେ ହାତରେ ଥିବା ମାତ୍ର ୭ ସାଂସଦ କିପରି ଦଳ ନଛାଡିବେ ସେଥିପାଇଁ ଅଧିକ ସଜାଗ ହୋଇଛନ୍ତି ବିଜେଡି ସଭାପତି ।
ନବୀନଙ୍କୁ ଭେଟିବା ପାଇଁ ପୂର୍ବରୁ ଥିବା କଟକଣା ଆଉ ରହିବ ନାହିଁ ବୋଲି ସଂସଦୀୟ ଦଳ ବୈଠକରେ ସ୍ପଷ୍ଟ କରିଦେଇଛନ୍ତି ।
ନିର୍ବାଚନ ପୂର୍ବରୁ ମଧ୍ୟ ବିଜେଡି ଛାଡ଼ିଥିବା ଏକାଧିକ ନେତା ସେହି ସମାନ କଥା କହିଥିଲେ । ନିଜ ସମସ୍ୟା ଓ ଅସନ୍ତୋଷ ଜଣାଇବାକୁ ନବୀନଙ୍କୁ ଭେଟିବାର ସୁଯୋଗ ମିଳିନଥିବା ଖୋଲାଖୋଲି ଗଣମାଧ୍ୟମରେ ଅଭିଯୋଗ କରିଥିଲେ ।
ତେଣୁ ଚର୍ଚ୍ଚା ହେଉଥିଲା ନେତା ଓ ନବୀନଙ୍କ ଭେଟଘାଟରେ କିଏ ପାଲଟୁଛି ବାଧକ । ଲୋକସଭାରେ ଦଳର ଜଣେ ବି ସଦସ୍ୟ ନଥିବା ବେଳେ ରାଜ୍ୟସଭାରେ ମାତ୍ର ୭ ସାଂସଦଙ୍କୁ ନେଇ ଲଢେଇ କରିବ ବିଜେଡି । କେନ୍ଦ୍ର ବିରୋଧୀ ନାରାକୁ ଜୋରସୋରରେ ଉଠାଇବାକୁ ରଣନୀତି ହୋଇଥିବାବେଳେ ଦଳୀୟ ସାଂସଦଙ୍କୁ ପାଖରେ ରଖିବା ନବୀନଙ୍କ ପାଇଁ ଏବେ ବଡ ଆହ୍ବାନ ହୋଇଛି ।

