ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ କୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲେ ସାଂସଦ

ରାଜଧାନୀ ଦିଲ୍ଲୀରେ ଓଡ଼ିଶାର ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। କିଛି ସମୟ ପାଇଁ ଚେତା ଆସୁଛି ଓ ଯାଉଛି। ଏମ୍ସରେ ତାଙ୍କର ଚିକିତ୍ସା କରାଯାଉଛି। ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରି ନାହିଁ ପୋଲିସ। ୬ରୁ ୭ ଜଣ ଦୁର୍ବୃତ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ସନ୍ଦେହ କରାଯାଉଛି। ତେଣୁ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ଦିଲ୍ଲୀରେ ଦୁଷ୍କର୍ମ ଶିକାର ମହିଳା ଜୀବନ ସହ ସଂଗ୍ରାମ କରୁଥିବା ବେଳେ ଏପଟେ ଦୁର୍ଗାପୂଜାରେ ମାତିଥିବା ରାଜ୍ୟ ସରକାର। ଏମିତି ଲାଗୁଛି, ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜ୍ୟ ସରକାରଙ୍କର କୌଣସି ଚିନ୍ତା ନାହିଁ। ଇଏ କ’ଣ ରାଜ୍ୟ ସରକାରଙ୍କ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ ଉଠିଛି।

ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ଓଡ଼ିଶାର ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରାଯିବା ପରେ ସରାଇ କାଲେ ଖାନ ଅଞ୍ଚଳରେ ଫିଙ୍ଗି ଦେଇ ପଳାଇଥିଲେ ଦୁର୍ବୃତ୍ତ। ରାସ୍ତା କଡ଼ରୁ ପୋଲିସ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଏମସ ଟ୍ରମା ସେଣ୍ଟରରେ ଭର୍ତ୍ତି କରିଛି। ମହିଳାଙ୍କୁ ରାସ୍ତା କଡ଼ରେ ଫିଙ୍ଗିବା ପୂର୍ବରୁ ଅନ୍ୟତ୍ର କେଉଁଠି ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି। ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ମହିଳାଙ୍କୁ ଦେଖି ପୋଲିସକୁ ଖବର କରିଥିଲେ। ପୋଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ହସ୍ପିଟାଲ ନେଇଥିଲା। ମହିଳା ଜଣକ ବର୍ଷେ ହେବ ଦିଲ୍ଲୀରେ କଟୱାରିଆ ସରାଇରେ ଜଣେ ବନ୍ଧୁଙ୍କ ପାଖରେ ରହୁଥିଲେ। ହେଲେ କୌଣସି କାରଣରୁ ଅଗଷ୍ଟ ମାସରେ ତାଙ୍କୁ ବନ୍ଧୁଙ୍କ ଘର ଖାଲି କରିବାକୁ କୁହାଯାଇଥିଲା। ଏଥିଯୋଗୁ ସେ ଅନେକ ଦିନ ଦିଲ୍ଲୀର ବିଭିନ୍ନ ସ୍ଥାନରେ କାଟିଛନ୍ତି। ତେଣୁ ପୋଲିସ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରୁଛି। ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ରାସ୍ତା କଡ଼ରେ ଫିଙ୍ଗିଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି।

Post Views23 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!