ଦୁଃଖ ଦେଇଗଲା ଲଗାଣ ବର୍ଷା । ବିଲରେ ପଡ଼ି ଭାସୁଥିବା ଅବସ୍ଥାରେ ହେଉ କି କେଣ୍ଡାରେ ଝୁଲୁଥିବା ଧାନ, ସବୁଥିରେ ଗଜା ଧରିଲାଣି । ଉଜୁଡ଼ା କ୍ଷେତର ଦୁଃସ୍ଥିତି ଦେଖି ଡେରାବିଶରେ ଜଣେ ଚାଷୀଙ୍କର ହୃଦଘାତରେ ପ୍ରାଣ ଯାଇଥିବା ଅଭିଯୋଗ ହୋଇଥିଲା ବେଳେ ଛତ୍ରପୁରରେ ଜଣେ ଚାଷୀ ଆତ୍ମହତ୍ୟାର ଚରମ ପଥ ବାଛିଥିବାର ପରିବାର ଲୋକେ କହିଛନ୍ତି । ତେଣେ ଯୋଗାଣ ମନ୍ତ୍ରୀ କହିଛନ୍ତି- ଧାନର FAQ ମାନ କୋହଳ ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ । ଚାଷୀ, ମିଲର ଓ ପ୍ରଶାସନ ବସି ଧାନର ମାନ ସ୍ଥିର କରିବେ । ଏଭଳି ସ୍ଥିତିରେ ବୀମା କଂପାନୀ, ଚାଷୀଙ୍କୁ ହଇରାଣ କଲେ ସେମାନଙ୍କ ବିରୋଧରେ ଆକ୍ସନ ନେବାକୁ ବି ଚେତାବନୀ ଦେଲେଣି ରାଜସ୍ବ ମନ୍ତ୍ରୀ ।
ବିଲକୁ ବାରମ୍ବାର ଆସୁଥିଲେ, ଉଜୁଡ଼ା କ୍ଷେତକୁ ଦେଖୁଥିଲେ ହେଲେ ଧୈର୍ଯ୍ୟ ରହୁନଥିଲା ବିଚଳିତ ଲାଗୁଥିଲା-ଶେଷରେ ହୃଦଘାତରେ ଜୀବନ ଚାଲିଗଲା। କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ସନ୍ଥପୁରା ଗାଁରେ ଚାଷୀ ଭାବଗ୍ରାହୀ ମଲ୍ଲିକଙ୍କ ମୃତ୍ୟୁ ପରେ ଏମିତି ଶୋକାକୁଳ ପରିବେଶ ତାଙ୍କ ପରିବାରରେ । ୭ ଏକର ଜମିରେ ହାଡ଼ଭଙ୍ଗା ପରିଶ୍ରମ କରି ଏସନ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ସୁନା ଫଳାଇଥିଲେ ଭାବଗ୍ରାହୀ । ହେଲେ ଅଦିନିଆ ବର୍ଷା ସବୁ ସାରିଦେଲା । ସେମିତି ଉଜୁଡ଼ା ଧାନ କିଆରିକୁ ଦେଖି ହୃଦ ସହିଲାନି ଛତ୍ରପୁର ବ୍ଲକ ବଡ଼ମାଧପୁର ବରଙ୍ଗ ଗାଁର ଚାଷୀ ବନମାଳୀ ପେଣ୍ଠେଇଙ୍କର। ୨ଲକ୍ଷ ଉଧାର କରି ଚଳିତ ବର୍ଷ ୫ ଏକର ଜମିରେ ଧାନ ଚାଷ କରିଥିଲେ, ଲଗାଣ ବର୍ଷା ସବୁ ଛାରଖାର କରିଦେଲା, ତେଣୁ ବିଲରୁ ଫେରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତିକୁ ଆପଣାଇନେଲେ ପେଣ୍ଠେଇ ।

