ଚୋରି ତ ଚୋରି, ପୁଣି ହାଇପ୍ରୋଫାଇଲ୍ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି । ନୟାପଲ୍ଲୀ IRC ଭିଲେଜ୍ ଭଳି ହାଇସିକ୍ୟୁରିଟି ଜୋନରେ ଥିବା ଘରେ ରାତି ଅଧରେ ପଶିଛି ମୁଖାପିନ୍ଧା ଲୁଟେରା । ମାଷ୍ଟର୍ ବେଡରୁମରେ ପଶି ଲୁଟିଛି ନଗଦ ଟଙ୍କା ସହ ୫୦ ଲକ୍ଷର ସୁନା ଗହଣା। ଯାହାର ପ୍ରତିଟି ଦୃଶ୍ୟ କଏଦ୍ ହୋଇଛି ସିସିଟିଭିରେ । କିନ୍ତୁ ଏଯାଏଁ ଲୁଟେରାର ପତ୍ତା ମିଳିନି । ତାକୁ ଧରିବା ପାଇଁ ଜୀ ଜାନ୍ ଲଗାଇଦେଇଛି କମିଶନରେଟ୍ ପୋଲିସ। ସେପଟେ ମୁଖ୍ୟମନ୍ତ୍ରୀ ବି ନିରଞ୍ଜନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ।
ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନୟାପଲ୍ଲୀ N-2 ସ୍ଥିତ ଘର । ଯେଉଁ ଘରେ ପୁଅ ଦେବଜ୍ୟୋତି ପଟ୍ଟନାୟକଙ୍କ ସହ ନିରଞ୍ଜନ ସପରିବାର ରୁହନ୍ତି । କିନ୍ତୁ ଏହି ଭିଭିଆଇପିଙ୍କ ଘରେ ପଶି ଦୁର୍ବୃତ୍ତ ବୁଲାଇଦେଇଛି କଳାକନା । ଗତ ରାତିରେ ପୁଅବୋହୂ ସାତପଡ଼ା ଯାଇଥିବାବେଳେ ଦୁର୍ବୃତ୍ତ ଘରେ ପଶି ଲୁଟପାଟ କରିଥିବା ନିରଞ୍ଜନ କହିଛନ୍ତି । ଘରେ ସିକ୍ୟୁରିଟି ଗାର୍ଡ ବି ରହିଛନ୍ତି ଏବଂ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଫାଷ୍ଟଫ୍ଲୋରରେ ଶୋଇପଡ଼ିଥିଲେ। ତା’ସତ୍ତ୍ବେ କେହି ଜାଣିପାରିଲେନି ।ରାତି ପ୍ରାୟ ୨ଟା ୪୦ ମିନିଟ୍ । ଅନୁମାନ ଲଗାନ୍ତୁ ନିରଞ୍ଜନଙ୍କ ଘରେ ପଶି କଳାକନା ବୁଲାଇଥିବା ଏହି ଲୁଟେରାର ହୁଲିଆକୁ। ପୁରା ହାଟାକାଟା। ହାତରେ ଗ୍ଲୋବ୍ସ, ଟର୍ଚ୍ଚଲାଇଟ୍ ଏବଂ ମୁହଁରେ ମାସ୍କ । ପାଦରୁ ମୁଣ୍ଡ ଯାଏଁ ଘୋଡ଼ାଇରଖିଛି । ପାଦ ଚିପି ଚିପି କେମିତି ନିରଞ୍ଜନଙ୍କ ଘରେ ଚୋର ପଶୁଛି । ନିରଞ୍ଜନଙ୍କ ପୁଅ ଦେବଜ୍ୟୋତିଙ୍କ ମାଷ୍ଟର ବେଡରୁମ୍ । ସିଧା ସେଇଠି ପହଞ୍ଚି ଯାଇଛି ଚୋର ଆଉ ଆଖିବୁଜି ଆଲମାରୀ ଖୋଲି ଚଳାଇଛି ମିଶନ୍ ଲୁଟ୍ । ଏଭଳି ପ୍ରାୟ ଘଣ୍ଟାଏ ଧରି ଘର ଭିତରୁ ଲୁଟପାଟ୍ ସାରି ରାତି ପ୍ରାୟ ୩ଟାବେଳେ ଇମର୍ଜେନସି ଏକଜିଟ୍ ଭଳି ଥିବା ଯେଉଁ ସରୁ ବାଟ ଦେଇ ପଶିଥିଲା, ସେହି ବାଟଦେଇ ଖସିଯାଇଛି ଆରାମରେ ।

