ଆମେ ଜମି ଛାଡ଼ିବୁନି। ଯଦି ଉଚ୍ଛେଦ କରିବାର ଅଛି ଆମ ଶବ ଉପରେ ଚଢ଼ି ଉଚ୍ଛେଦ କର। ଏହା କହି ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିବା ଜେସିବି ଆଗରେ ଶୋଇ ପଡ଼ିଥିଲେ ଆନ୍ଦୋଳନକାରୀ ଯୁବକ। ବହୁ ଦିନରୁ ଚାଲିଥିବା ଏହି ଆନ୍ଦୋଳନରେ ବିରକ୍ତ ହୋଇ ଯାଇଥିବା ଅଧିକାରୀମାନେ ହିତାହିତ ଜ୍ଞାନ ହରାଇ ସାରିଥିଲେ। ଜେସିବି ଚାଳକଙ୍କୁ ନିର୍ଦ୍ଦେଶ ଦେଲେ ତୁମେ ମେସିନ୍ ଆଗକୁ ବଢ଼ାଅ। ସେ ବଳେ ଉଠିଯିବେ। ଜେସିବି ଆଗକୁ ବଢ଼ିଲା, କିନ୍ତୁ ଆଗରେ ଶୋଇଥିବା ଆନ୍ଦୋଳନକାରୀ ଉଠିବାର ସୁଯୋଗ ପାଇଲେ ନାହିଁ। ଜଣେ ଆନ୍ଦୋଳନକାରୀଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ପ୍ରାଣ ହରାଇଲେ ଆଦିବାସୀ ଯୁବକ ଏତୁଆ ଏକ୍କା (୩୭)। ରାଉରକେଲା ସହର ସଂଲଗ୍ନ ବନ୍ଧମୁଣ୍ଡା ଡୁମେର୍ତା ଷ୍ଟେସନ୍ରୁ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ପର୍ଯ୍ୟନ୍ତ ନୂଆ ରେଳଲାଇନ ନିର୍ମାଣ କାମକୁ ବିରୋଧ ବେଳେ ଶନିବାର ୧୧ଟାରେ ଘଟିଥିଲା ଏହି ଅଭାବନୀୟ ଘଟଣା। ଏତୁଆଙ୍କ ମୃତ୍ୟୁ ପରେ ବିକ୍ଷୋଭକାରୀମାନେ ଉଗ୍ର ହୋଇ ଉଠିଥିଲେ। ପୁଲିସ-ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ପଥର ମାଡ଼ କରିବା ସହ ମାଜିଷ୍ଟ୍ରେଟ୍ ଭାବେ ଉପସ୍ଥିତ ଥିବା ଅତିରିକ୍ତ ତହସିଲଦାର, ସୁରକ୍ଷା ଦାୟିତ୍ବରେ ଥିବା ପୁଲିସକର୍ମୀ, ଆର୍ଏସ୍ପି ଅଧିକାରୀ ଏବଂ ଜେସିବି ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ବିଶ୍ରାର ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ନାୟକ, ଆର୍ଏସ୍ପିର ଜିଏମ୍, କନିଷ୍ଠ ଯନ୍ତ୍ରୀ, ଲ୍ୟାଣ୍ଡଗାର୍ଡ ଅଧିକାରୀ ଏବଂ ଜେସିବି ଡ୍ରାଇଭର ସାମୁଏଲ୍ ମାସି ଗୁରୁତର ହୋଇଛନ୍ତି। ଆର୍ଏସ୍ପିର ତିନି ଅଧିକାରୀଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଭର୍ତ୍ତି କରାଯାଇଛି। ମାଡ଼ରେ ଅତିରିକ୍ତ ତହସିଲଦାରଙ୍କ ମୁଣ୍ଡ ଓ ଦୁଇ ହାତରେ ଗଭୀର ଆଘାତ ଲାଗିଥିବାବେଳେ ବିକ୍ଷୋଭକାରୀମାନେ ତାଙ୍କ ସାର୍ଟ, ଗଞ୍ଜି ଛିଣ୍ଡାଇ ଦେଇଥିଲେ। ପଥରମାଡ଼ରୁ ୪ ଏଏସ୍ଆଇଙ୍କ ସମେତ ୧୧ ପୁଲିସ କର୍ମଚାରୀ ବି ବର୍ତ୍ତିପାରି ନଥିଲେ।
ବିକ୍ଷୋଭକାରୀମାନେ ଜେସିବି, ଆର୍ଏସ୍ପି ଓ ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି। ମୃତ୍ୟୁବରଣ କରିଥିବା ଏତୁଆ ଏକ୍କାଙ୍କ ଶବ ରଖି ବିକ୍ଷୋଭକାରୀମାନେ ଧାରଣାରେ ବସି ରହିଥିଲେ। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ, ନିଯୁକ୍ତି ଓ କାମ ବନ୍ଦ ନ ହେବା ପର୍ଯ୍ୟନ୍ତ ଶବ ରଖି ଧାରଣାରେ ବସିରହିବେ ବୋଲି ଚେତାବନୀ ଦେଇଥିଲେ। ଖବର ପାଇ ବିଶ୍ରା ବ୍ଲକ୍ର ବହୁ ଆଦିବାସୀ ନେତା, ୬ରୁ ଅଧିକ ସରପଞ୍ଚ, ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରି ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଉତ୍ତେଜନା ବଢ଼ିବାରୁ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ରାଉରକେଲା ଏସ୍ପି ନୀତେଶ ୱାଧୱାନୀ, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାନପୋଷ ଉପଜିଲ୍ଲାପାଳ ଶ୍ରୀ ନାୟକ ବିକ୍ଷୋଭକାରୀଙ୍କୁ ଧାରଣାସ୍ଥଳରୁ ଉଠିଯିବାକୁ ବୁଝାସୁଝା କରିଥିଲେ। ହେଲେ ବିକ୍ଷୋଭକାରୀମାନେ ତାଙ୍କର କୌଣସି କଥା ନ ଶୁଣିବାରୁ ଉପଜିଲ୍ଳାପାଳ ଘଟଣାସ୍ଥଳରୁ ଫେରି ଆସିବାକୁ ବାଧ୍ୟ ହୋଇଥିଲେ। ସେପଟେ ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।

