ସମସ୍ତ ଚିଟଫଣ୍ଡ୍ କ୍ଷତିଗ୍ରସ୍ତ ଫେରି ପାଇବେ ଟଙ୍କା। କ୍ଷୁଦ୍ର ହୁଅନ୍ତୁ କିମ୍ଵା ବଡ଼ ଜମାକାରୀ ସମସ୍ତେ ଟଙ୍କା ପାଇବେ। ୧୦ ହଜାର ହେଉକି ୧୦ ଲକ୍ଷ ସାମାନ୍ୟ ପ୍ରମାଣ ଦେଖାଇଲେ ସମସ୍ତଙ୍କୁ ଟଙ୍କା ମିଳିବ। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ଷେ ଭିତରେ ୧ ଲକ୍ଷ ୨୬ ହଜାର ୧୩୭ ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ ହୋଇଛି। ଆସନ୍ତା ୩-୪ ମାସ ମଧ୍ୟରେ ଆଉ ୫ ଲକ୍ଷ ଜମାକାରୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ନିୟମିତ ପ୍ରକ୍ରିୟା, ଆଉ ତାଲିକା ଆସିଲେ ପର୍ଯ୍ୟାୟ କ୍ରମେ ଟଙ୍କା ଦିଆଯିବ। ମନରେ କୌଣସି ଦ୍ଵନ୍ଦ ରଖିବା ଉଚିତ ନୁହେଁ। ସମସ୍ତେ ଟଙ୍କା ପାଇବେ।
ମନମୋହନ ସାମଲ ଚିଟଫଣ୍ଡ୍ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ସରକାରଙ୍କ ଉପରେ ବିଶ୍ଵାସ ଭରସା ରଖି ଜମାକାରୀମାନେ ଟଙ୍କା ଜମା କରିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ବିଗତ ସରକାରରେ ୧୫ ବର୍ଷ ଭିତରେ ୧୭୪ ଚିଟଫଣ୍ଡ କମ୍ପାନୀ ଓଡ଼ିଶାର ସାଧାରଣ ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କା ଲୁଟ୍ କରିବାରେ ଲାଗିଥିଲେ। ବିଜେଡିର ଅନେକ ନେତା, ମନ୍ତ୍ରୀ ଏଥିପାଇଁ ଦଣ୍ଡିତ ହୋଇ ଜେଲ୍ ବି ଯାଇଥିଲେ। ପ୍ରାୟୋଜିତ ଚିଟଫଣ୍ଡ କାରଣରୁ ଲକ୍ଷ ଲକ୍ଷ ଲୋକ ଅନିଶ୍ଚିତତା ଭିତରେ ଦିନ କାଟୁଥିଲେ। ସେତେବେଳେ ସରକାର ଉପରୁ ଓଡ଼ିଶା ଲୋକଙ୍କ ବିଶ୍ୱାସ ଉଠିଯାଇଥିଲା। ସୁପ୍ରିମକୋର୍ଟକୁ କେସ୍ ଗଲା ପରେ ପୂର୍ବ ସରକାର କର୍ପସ୍ ଫଣ୍ଡ ତିଆରି କଲେ। କିନ୍ତୁ ବିଜେଡି ସରକାରର ନିୟତି ଠିକ୍ ନଥିବାରୁ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ପୂର୍ବ ସରକାର କମିଶନ ପରେ କମିଶନ ବସାଇଲେ । କିନ୍ତୁ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ ।

