ଓଡ଼ିଆରେ ନାମଫଳକ ନଲେଖିଲେ  ୫୦୦ ଟଙ୍କା  ଜରିମାନା

ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ଭାଷାଗତ ଐତିହ୍ୟକୁ ପ୍ରୋତ୍ସାହନ ଓ ସଂରକ୍ଷଣ କରିବା ପାଇଁ ରାଜ୍ୟ ସରକାର ଦୃଢ଼ ପ୍ରତିବଦ୍ଧତାକୁ ଅନୁସରଣ କରି ତଥା ଜନସାଧାରଣଙ୍କ ସୁବିଧା ପାଇଁ, ଓଡ଼ିଆ ଭାଷା ଲିପିର ବ୍ୟବହାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି ଲେଖିଛନ୍ତି।

ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ତରଫରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକର ଅଧୀନରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ନିଜନିଜ ପ୍ରକାଶ ଫଳକରେ ଓଡ଼ିଆ ଭାଷା ଲିପିକୁ ପ୍ରାଧାନ୍ୟ ‌ଦେବାକୁ ନିଶ୍ଚିତ କରିବେ। ନାମଫଳକର ମୋଟ କ୍ଷେତ୍ରଫଳର ଅନୁନ୍ୟ ୬୦ ପ୍ରତିଶତ ଓଡ଼ିଆ ଲିପିର ବ୍ୟବହାର କରାଯିବ। ଏହା ଆମ ରାଜ୍ୟ ଭାଷାର ଦୃଶ୍ୟମାନତା ବୃଦ୍ଧି କରିବା ସହ ଜନସାଧାରଣଙ୍କୁ ସୁବିଧାଜନକ ହୋଇପାରିବ।

ରାଜ୍ୟ ସରକାରଙ୍କ ନିୟମ ପାଳନ କରୁଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଟ୍ରେଡ ଲାଇସେନ୍ସ ନବୀକରଣ ସମୟରେ ଦେୟର ୫ପ୍ରତିଶତ ରିହାତି ପ୍ରଦାନ କରାଯିବ। ଟ୍ରେଡ୍‌ ଲାଇସେନ୍ସ ନବୀକରଣ ଓ ନିରୀକ୍ଷଣ ସମୟରେ ଅନୁପାଳନ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ସୁନିଶ୍ଚିତ କରାଯିବ। ଅନୁପାଳନ କରୁନଥିବା ପ୍ରତିଷ୍ଠାନଗୁଡ଼ିକୁ ବିଜ୍ଞପ୍ତି ଜାରି କରାଯିବ ଏବଂ ସେମାନଙ୍କୁ ନାମଫଳକ ସଂଶୋଧନ ପାଇଁ ୫୫ ଦିନର ସମୟ ଦିଆଯିବ। ଓଡ଼ିଆରେ ନାମଫଳକ ନଲେଖିଲେ ଦିନକୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯିବ।

ଚିଠିରେ ଖୋଲାଖୋଲି ଭାବେ କୁହାଯାଇଛି ଯେ, ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକ ଏହି ନିର୍ଦ୍ଦେଶ ସଂପର୍କରେ ଦୋକାନୀ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଶିକ୍ଷିତ କରିବା ସହ ସୁଗମ କାର୍ଯ୍ୟକାରିତା ପାଇଁ ସଚେତନତା ଅଭିଯାନ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Post Views30 Total Count

Apply Now


This will close in 0 seconds

error: Content is protected !!