ଭୁବନେଶ୍ବର-ଝାରସୁଗୁଡ଼ା ବିମାନ ସେବା ଆରମ୍ଭ

ଶନିବାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର-ଝାରସୁଗୁଡ଼ା ମଧ୍ୟରେ ସିଧାସଳଖ ବିମାନ ସେବାର ଶୁଭାରମ୍ଭ କରିଛନ୍ତି। ବିମାନବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ପଶ୍ଚିମ ଓଡ଼ିଶା ଏବଂ ଭୁବନେଶ୍ବର ମଧ୍ୟରେ ଯୋଗାଯୋଗ ତ୍ବରାନ୍ବିତ ହେବ। ଆଞ୍ଚଳିକ ଯୋଗାଯୋଗ ବୃଦ୍ଧି ପାଇବା ସହିତ ବିକଶିତ ଓଡ଼ିଶା ନିର୍ମାଣ ଲକ୍ଷ୍ୟ ସାଧନରେ ଏହା ସହାୟକ ହେବ। ଆଗାମୀ ଦିନରେ ଆହୁରି ଅଧିକ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ପାଇଁ ଆମର ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଷ୍ଟାର ଏୟାର ପକ୍ଷରୁ ଏହି ରୁଟ୍‌ରେ ୭୬ ଆସନ ବିଶିଷ୍ଟ ବିମାନ ସପ୍ତାହରେ ୫ ଦିନ, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଓ ଶନିବାର ଚଳାଚଳ କରିବ। ଏହାର ଯାତ୍ରା ସମୟ ୪୫ ମିନିଟ ରହିଛି। ଖୁବଶୀଘ୍ର ଏହାକୁ ଦୈନିକ ବିମାନ ସେବାରେ ପରିଣତ କରାଯିବ। ଏଥିପାଇଁ ସରକାର ନ୍ୟୁ ଡେଷ୍ଟିନେସନ୍ ପଲିସିରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଧାୟକମାନଙ୍କ ମଧ୍ୟରେ ବାବୁ ସିଂ, ଓମ୍‌ ପ୍ରକାଶ ମିଶ୍ର, ଉପାସନା ମହାପାତ୍ର, ପ୍ରକାଶ ସେଠୀ, ଅମର ନାୟକ, ଛବି ମଲ୍ଲିକଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Post Views58 Total Count

Apply Now


This will close in 0 seconds

error: Content is protected !!