ପୁଅକୁ ଉଦ୍ଧାର କରିବା ପାଇଁ ମା’ ର ଆକୁଳ ନିବେଦନ । ଆଫ୍ରିକା ମହାଦେଶର ମାଲି ଦେଶରେ ଏକ ସିମେଣ୍ଟ କାରଖାନାରେ ଶ୍ରମିକଙ୍କୁ ଆକ୍ରମଣ କରି ୩ଜଣ ଭାରତୀୟ ନାଗରିକଙ୍କୁ ଆତଙ୍କବାଦୀ ମାନେ ଅପହରଣ କରିଛନ୍ତି। ଆତଙ୍କବାଦୀ ଙ୍କ କବଳରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ଛକର ଯୁବକ ପନାଡ ଭେଙ୍କେଟ ରମଣ ଅଛନ୍ତି।
ସେ ୯ ମାସ ଧରି ସିମେଣ୍ଟ କାରଖାନାରେ କାମ କରୁଥିବା ବେଳେ ତାଙ୍କୁ ଆତଙ୍କବାଦୀ ଅପହରଣ କରିଛନ୍ତି। ଭେଙ୍କଟ ରମଣଙ୍କ ଜ୍ବାଇଁ ପି ବବୁଲୁ କହିଛନ୍ତି ଯେ ଭେଙ୍କଟ ରମଣ କିଛି ବର୍ଷ ହେବ ମୁମ୍ବାଇର ବ୍ଲଷ୍ଟାର ନାମକ କମ୍ପାନୀ ତରଫରୁ ଆଫ୍ରିକାର ମାଲି ଦେଶକୁ ଯାଇ ସେଠାକାର ଏକ ସିମେଣ୍ଟ କାରଖାନାରେ କାମ କରୁଥିଲେ। କିନ୍ତୁ ଦୁଇ ଦିନ ତଳେ ସିମେଣ୍ଟ କାରଖାନାରେ ବିସ୍ଫୋରଣ ହୋଇଥିବା ନେଇ କମ୍ପାନୀ ତରଫରୁ ପରିବାର ଲୋକଙ୍କୁ କୁହାଯାଇଥିଲା। କିନ୍ତୁ ଭେଙ୍କଟ ରମଣଙ୍କ ବିଷୟରେ କିଛି କୁହା ଯାଇ ନ ଥିଲା।
କିନ୍ତୁ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। କିନ୍ତୁ ପରେ ଅନୁସନ୍ଧାନ ବେଳେ ମାଲି ଦେଶର ଏକ ଟିଭି ଚ୍ୟାନେଲରୁ ଭେଙ୍କଟ ରମଣ କାମ କରୁଥିବା କାରଖାନାରୁ ଆତଙ୍କବାଦୀ ମାନେ ଆକ୍ରମଣ କରି ୩ଭାରତୀୟଙ୍କୁ ଅପହରଣ କରି ନେଇ ଯାଇଥିବା ଜାଣିବାକୁ ପାଇଲେ। ସେହି ଟିଭି ଚ୍ୟାନେଲରେ ପ୍ରସାରିତ ଭିଡିଓ ଦେଖିବା ପରେ ଅପହୃତ ହୋଇଥିବା ଯୁବକଙ୍କ ମଧ୍ୟରେ ଭେଙ୍କଟ ରମଣ ଥିବା ପରିବାର ଲୋକେ ଦେଖିଥିଲେ।
ଭେଙ୍କଟ ରମଣଙ୍କ ବିଧବା ମା ପି ନାର୍ଷମା ଶୁକ୍ରବାର ହିଞ୍ଜିଳି ଥାନାରେ ଅପହୃତ ହୋଇଥିବା ପୁଅକୁ ଉଦ୍ଧାର କରିବା ପାଇଁ ଲିଖିତ ଅନୁରୋଧ କରିଛନ୍ତି। ହିଞ୍ଜିଳି ଥାନା ଅଧିକାରୀ ଓ ତହସିଲଦାର ଭେଙ୍କଟ ରମଣଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ମା ପି ନର୍ଷମା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକୁଳ ନିବେଦନ କରିଛନ୍ତି। ଏଣେ ପରିବାର ଲୋକେ ଅଖିଆ ଅପିଆ ରହି ଭୟ ଓ ଆତଙ୍କରେ ପଡି ରହିଛନ୍ତି। ପୁଅକୁ ପାଇବା ପାଇଁ ମା ନର୍ସମ୍ମାଙ୍କ ଆଖିରୁ ଲୁହ ଝରିବାରେ ଲାଗିଛି।

