ନେପାଳରେ ପୁଣି ଥରେ ମୁଣ୍ଡ ଟେକିଛି ହିଂସା। ଜେନ-ଜେଡ ଯୁବକ ଏବଂ ପଦଚ୍ୟୁତ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଦଳ ସିପିଏନ-ୟୁଏମଏଲର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି, ଯାହାକି ଏବେ ଉତ୍ତେଜନାରେ ପରିଣତ ହୋଇଛି । ବୁଧବାର ଦିନ ଭାରତ ସୀମାନ୍ତ ନେପାଳର ବାରା ଜିଲ୍ଲାରେ ଏହି ପରିସ୍ଥିତି ଘଟିଛି ।ପରିସ୍ଥିତି ଜଟିଳ ହେବା ପରେ ଏହାର ଜବାବରେ ପ୍ରଶାସନ ସେହି ଅଞ୍ଚଳରେ କର୍ଫ୍ୟୁ ଜାରି କରିଛି। ବାରା ଜିଲ୍ଲା ପ୍ରଶାସନ କହିଛି ଯେ, ସିମାରା ବିମାନବନ୍ଦରର ୫ଶହ ମିଟର ପରିଧି ମଧ୍ୟରେ ଅପରାହ୍ନ ସାଢେ ୧୨ ରୁ ରାତି ୮ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।
ସିପିଏନ-ୟୁଏମଏଲ ନେତା ମହାସଚିବ ଶଙ୍କର ପୋଖରେଲ ଏବଂ ଯୁବ ନେତା ମହେଶ ବାସନେଟଙ୍କୁ ନେଇ ବୁଦ୍ଧ ଏୟାର ବିମାନ କାଠମାଣ୍ଡୁରୁ ସିମାରା ଅଭିମୁଖେ ଉଡ଼ାଣ ଭରିବାକୁ ଯାଉଥିବା ସମୟରେ ଏହି ସଂଘର୍ଷ ଘଟିଥିଲା। ଉଭୟ ନେତା ଏକ ସରକାର ବିରୋଧୀ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ସିମାରାରେ ପହଞ୍ଚିବା ଖବର ପାଇ, ବହୁ ସଂଖ୍ୟକ ଜେନ-ଜେଡ ପ୍ରଦର୍ଶନକାରୀ ବିମାନବନ୍ଦରରେ ପ୍ରତିବାଦ କରିବାକୁ ଏକତ୍ରିତ ହୋଇଥିଲେ, ଯେଉଁଠାରେ ସେମାନଙ୍କର ସିପିଏନ-ୟୁଏମଏଲ ସମର୍ଥକଙ୍କ ସହ ସଂଘର୍ଷ ହୋଇଥିଲା।
ସଂଘର୍ଷ ପରେ, ବୁଦ୍ଧ ଏୟାରଲାଇନ୍ସ କାଠମାଣ୍ଡୁରୁ ସିମାରାକୁ ସମସ୍ତ ଘରୋଇ ଉଡ଼ାଣ ବାତିଲ କରିଥିଲା। ଏଥିରେ ଦୁଇ ସିପିଏନ-ୟୁଏମଏଲ ନେତାଙ୍କୁ ନେଇ ଯାଉଥିବା ବିମାନ ମଧ୍ୟ ସାମିଲ ଥିଲା। ବଢ଼ୁଥିବା ଉତ୍ତେଜନା ଯୋଗୁଁ ଉଭୟ ନେତା ଫେରି ଆସିଲେ। ଜେନ-ଜେଡ ୧୯୯୭ ରୁ ୨୦୧୨ ମଧ୍ୟରେ ଜନ୍ମିତ ଯୁବକ ମାନଙ୍କୁ ବୁଝାଏ। ଇଣ୍ଟରନେଟ୍ ଏବଂ ସ୍ମାର୍ଟଫୋନ୍ ଯୁଗରେ ବଢ଼ିଥିବାରୁ ସେମାନଙ୍କୁ “ଡିଜିଟାଲ୍ ନେଟିଭ୍” ମଧ୍ୟ କୁହାଯାଉଛି।
ୟୁଏମଏଲ କ’ଣ?ୟୁଏମଏଲ, କିମ୍ବା ନେପାଳ କମ୍ୟୁନିଷ୍ଟ ପାର୍ଟି ନେପାଳର ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରୁ ଗୋଟିଏ। ଏହି ଦଳ ବାମପନ୍ଥୀ ଚିନ୍ତାଧାରା ଉପରେ ଆଧାରିତ ଏବଂ ଦୀର୍ଘ ସମୟ ଧରି ନେପାଳର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଏହାର ଶୀର୍ଷ ନେତା।

