କାମ କଲେନି କର୍ମଚାରୀ, ତାଗିଦ କଲେ ଆଇନ ମନ୍ତ୍ରୀ

ନବବର୍ଷର ପ୍ରଥମ ଦିନରେ ହେବ ନାହିଁ ଉତ୍ସବ। ନା ଭୋଜିଭାତ ନା ଫୁଲତୋଡ଼ା । ସରକାରୀ କାର୍ଯ୍ୟଦିବସରେ କେବଳ କାମ ହେବ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦ୍ଦେଶକୁ ମୁଖ୍ୟ ସଚିବଙ୍କ ସହ ଅନ୍ୟାନ୍ୟ ସଚିବମାନେ ପାଳନ କରିଛନ୍ତି। ସମସ୍ତେ ନିଜ ନିଜ କାର୍ଯ୍ୟାଳୟରେ ବ୍ୟସ୍ତ ଥିଲେ। ହେଲେ କିଛି କର୍ମଚାରୀ ଲୋକସେବା ଭବନ ଲନ୍ ଓ ଲବିରେ ଫଟୋ ଉଠାଇବା ପାଇଁ ଭିଡ଼ ଜମାଇଥିଲେ। କିଛି କର୍ମଚାରୀ ନିଜ ପରିବାର ସହ ଆସି ଜାନୁଆରୀ ପହିଲାକୁ ସ୍ମରଣୀୟ କରିବାକୁ ଉଦ୍ୟମ କରିଥିଲେ। ଆଜି ସୋସିଆଲ ମିଡିଆରେ ଲୋକସେବା ଭବନ କର୍ମଚାରୀଙ୍କ ରିଲ୍ସ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ବଢିଛି। ଆଇନ ମନ୍ତ୍ରୀ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଲୋକସେବା ଭବନ ରିଲ୍ସ ପାଇଁ ଉଦ୍ଦିଷ୍ଟ ନୁହଁ। ଏମିତି ହେବା ଠିକ୍ ନୁହଁ। ଏହାକୁ ସୁଧାରିବାକୁ ସୁରକ୍ଷା କର୍ମୀଙ୍କୁ ଗୃହ ବିଭାଗ ତାଗିଦ କରିବ।

ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଲୋକସେବା ଭବନ ପରିସରରେ ରିଲ୍ସ ସୁଟିଂ କରିଛି କିଏ ? କାହିଁକି କାମ ଛାଡ଼ି ମାଳ ମାଳ ହୋଇ ଫଟୋ ଉଠାରେ ବ୍ୟସ୍ତ ଥିଲେ କର୍ମଚାରୀ ? ପରିବାର ବର୍ଗଙ୍କୁ ସାଥିରେ ଆଣିବାକୁ ଅନୁମତି ଦେଲା କିଏ ? ଏଭଳି ଘଟଣା ସାମ୍ନାକୁ ଆସିବା ପରେ ମୁହଁ ଖୋଲିଛି ସଚିବାଳୟ ସେବା ସଂଘ। ସଚିବାଳୟ ସେବା ସଂଘ ସଭାପତି ବିବେକାନନ୍ଦ ସାମଲ କହିଛନ୍ତି, ଭାଇରାଲ ହେଉଥିବା ରିଲ୍ସ ଉପରେ ଆମେ ଅନୁଧ୍ୟାନ କରିଛୁ। ଏହି ରିଲ୍ସ ଏଥରର ନୁହେଁ, ଗତ ବର୍ଷର ବୋଲି କହିଛନ୍ତି ସଭାପତି। ତଥାପି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ବେ ଫଟୋ ଉଠା, ଲନ୍ ଓ ଲବିରେ ବୁଲିବା ଏସବୁ ନିନ୍ଦନୀୟ ବୋଲି ସଭାପତି କହିଛନ୍ତି। ଗତ ବର୍ଷ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ଯୋଗୁଁ ସାରା ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ ହେଉଥିଲା । ୨୦୨୫ ନୂଆ ବର୍ଷ ମଧ୍ୟ କଟକଣାରେ ଯାଇଥିଲା। ହେଲେ ଏବର୍ଷ ପ୍ରଥମ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକସେବା ଭବନ ପରିସରରେ ନୂଆବର୍ଷ ଉତ୍ସବ ପାଳନ ହେବନି ବୋଲି କଟକଣା ଲାଗୁ କରାଯାଇଥିଲା।

Post Views7 Total Count

Apply Now


This will close in 0 seconds

error: Content is protected !!