୧୦୦ କୋଟିର ପ୍ରାଣୀ ଚିକିତ୍ସାଳୟ ୪ ପ୍ରାଣୀ ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଓଡ଼ିଶା ଭିଜନ୍‌ ୨୦୩୬ ଓ ୨୦୪୭ ଅନୁସାରେ ରାଜ୍ୟକୁ ଦୁଗ୍ଧ, ଅଣ୍ଡା ଓ ମାଂସ ଉତ୍ପାଦନରେ ଆତ୍ମନିର୍ଭର କରାଯିବ। ୨୦୪୭ ସୁଦ୍ଧା ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ଦେଶର ପଞ୍ଚମ ସ୍ଥାନକୁ ନେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ଆଜି ରାଜ୍ୟ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ପ୍ରାଣୀ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ଆଜି ରାଜ୍ୟରେ ୧୦୦ କୋଟି ଟଙ୍କାରେ ନିର୍ମିତ ୭୬ଟି ପ୍ରାଣୀ ଚିକିତ୍ସାଳୟ ଓ ୪ଟି ପ୍ରାଣୀ ସହାୟତା କେନ୍ଦ୍ରର ନୂତନ ଗୃହକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଏହାସହ ୧୭୭ କୋଟି ଟଙ୍କା ବିନିଯୋଗରେ ୨୧୯ଟି ନୂତନ ପ୍ରାଣୀ ଚିକିତ୍ସାଳୟ ଓ ରୋଗ ନିର୍ଣ୍ଣୟ ଲାବ୍‌ ନିର୍ମାଣ ପାଇଁ ୬ଟି ପିଏସ୍‌ୟୁ ସହ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷର ହୋଇଛି। ଏହି ବୁଝାମଣାପତ୍ରରେ କଟକର ଫୁଲନଖରାରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଏକ ରାଜ୍ୟସ୍ତରୀୟ ମଲିକ୍ୟୁଲାର ଲାବୋରେଟୋରି ସ୍ଥାପନ ହେବ। ପଶୁ ଖାଦ୍ୟର ଗୁଣାତ୍ମକ ମାନ ପରୀକ୍ଷା ପାଇଁ ୬ କୋଟି ଟଙ୍କା ବ୍ୟୟରେ ରାଜ୍ୟସ୍ତରୀୟ ଖାଦ୍ୟ ପରୀକ୍ଷାଗାରକୁ ସଶକ୍ତ କରାଯିବ। ସେହିପରି ଓପୋଲଫେଡ୍‌ର ୫୦ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ବ୍ରାଉନ୍‌ ଅଣ୍ଡା ଓ ଦେଶୀ ‘ଅସିଲ୍’ ଚିକେନ୍‌ର ବିପଣନ କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ୫୦ କୋଟି ଟଙ୍କା ବ୍ୟୟରେ ଭଦ୍ରକର କସିଆରେ ମତ୍ସ୍ୟ ଅବତରଣ କେନ୍ଦ୍ର ଓ ଧାମରା ମାଛଧରା ବନ୍ଦରର ଉନ୍ନତୀକରଣ କାର୍ଯ୍ୟ ଉଦ୍‌ଘାଟିତ ହୋଇଛି।

 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ କୃଷକଙ୍କ ଆୟ ବୃଦ୍ଧି ପାଇଁ କେବଳ ପାରମ୍ପରିକ ଚାଷ ପର୍ଯ୍ୟାପ୍ତ ନୁହେଁ। ମାଛଚାଷ, ଗୋପାଳନ, କୁକୁଡ଼ା ପାଳନ, ଛେଳି-ମେଣ୍ଢା ପାଳନ ପରି ଆନୁଷଙ୍ଗିକ କୃଷିକୁ ଆଗେଇ ନେବା ଆବଶ୍ୟକ। ଚାଷୀଙ୍କ ଆୟ କେବଳ ଦୁଇ ଗୁଣ କରିବା ନୁହେଁ, ଏହାକୁ ବହୁଗୁଣିତ କରିବା ଲକ୍ଷ୍ୟ। କୁକୁଡ଼ା ପାଳନ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ମାଧ୍ୟମରେ ୧ ହଜାର କୋଟି ଟଙ୍କା ବ୍ୟୟ ହେବା ସହ ୩.୭୩ ଲକ୍ଷ ପରିବାର ଉପକୃତ ହେବେ। ପ୍ରାଣୀ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ସାର୍ବଜନୀନ ସ୍ୱାସ୍ଥ୍ୟକୁ ସମନ୍ୱୟ କରି ୱାନ୍‌ ହେଲ୍‌ଥ ଆଭିମୁଖ୍ୟକୁ ଆହୁରି ସୁଦୃଢ଼ କରିବା ଆବଶ୍ୟକ। ପ୍ରାଣୀ ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ହାତ ପାଆନ୍ତାରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ୨ ହଜାର ପ୍ରଶିକ୍ଷିତ ‘ଏ-ହେଲ୍‌ପ’ (ଗୋଷ୍ଠୀ ପ୍ରାଣୀ ସ୍ବାସ୍ଥ୍ୟକର୍ମୀ) ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କର୍ମୀମାନେ ଗ୍ରାମାଞ୍ଚଳରେ ଟିକାକରଣ କ୍ଷେତ୍ରରେ ଚାଷୀଙ୍କୁ ସହାୟତା କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସଫଳ ପ୍ରାଣୀ ଚିକିତ୍ସକ, ପ୍ରାଣୀ ପାଳକ ଓ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଲେ, ଉତ୍ତମ ଖାଦ୍ୟ ଓ ସ୍ୱାସ୍ଥ୍ୟ ସୁରକ୍ଷାରେ ପ୍ରାଣୀ ଚିକିତ୍ସକଙ୍କ ପ୍ରମୁଖ ଭୂମିକା ରହିଛି। ପ୍ରାଣୀଙ୍କଠାରୁ ବ୍ୟାପୁଥିବା ରୋଗକୁ ପ୍ରତିହତ କରିବା ସହ ସମାଜର ପ୍ରଥମ ପ୍ରତିରକ୍ଷା ବଳୟ ଭାବେ ପ୍ରାଣୀ ଚିକିତ୍ସକମାନେ ସେବା ପ୍ରଦାନ କରିଥାନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସଚିବ ପ୍ରେମଚାନ୍ଦ ଚୌଧୁରୀ ଓ ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ଥିଲେ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!