ଝାଡ଼ଖଣ୍ଡ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏକାସଙ୍ଗେ ୨୭ ଜଣ ନକ୍ସଲ ଝାଡ଼ଖଣ୍ଡ ଡିଜିପି ତଦାଶା ମିଶ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହାକୁ ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନର ଐତିହାସିକ ସଫଳତା ଭାବେ ଦେଖାଯାଉଛି । ଆତ୍ମସମର୍ପଣ କରିଥିବା ଏହି ନକ୍ସଲ ମାନଙ୍କ ମଧ୍ୟରୁ ୨୫ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ମିସିର ବେସରା ଓରଫ ସାଗରଜୀ ଏବଂ ଅସୀମ ମଣ୍ଡଳଙ୍କ ଟିମର ଶୀର୍ଷ କମାଣ୍ଡର ଓ ମାରକ ଦସ୍ତା ସଦସ୍ୟ ଥିଲେ । ସେମାନେ କୋଲହାନ ଏବଂ ସରଣ୍ଡା ଜଙ୍ଗଲର ଦୁର୍ଗମ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ସକ୍ରିୟ ଥିଲେ ।
ଆତ୍ମସମର୍ପଣ କରିଥିବା ନକ୍ସଲ ମାନଙ୍କ ମଧ୍ୟରେ ୬ ଜଣ ସବ୍-ଜୋନାଲ କମିଟି ସଦସ୍ୟ, ୬ ଜଣ ଏରିଆ କମିଟି ସଦସ୍ୟ ଏବଂ ୧୩ ଜଣ ଦସ୍ତା ସଦସ୍ୟ ଅଛନ୍ତି । ଏହା ସହିତ ଗୁମ୍ଲା ଜିଲ୍ଲାରେ ସକ୍ରିୟ ଥିବା ଜେଜେଏମପି ସଂଗଠନର ୨ ଜଣ ନକ୍ସଲ ମଧ୍ୟ ଅସ୍ତ୍ର ତ୍ୟାଗ କରିଛନ୍ତି ।
ପୋଲିସଙ୍କ କହିବା ଅନୁସାରେ, ଏହି ସାମୂହିକ ଆତ୍ମସମର୍ପଣ ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପ ଦୁର୍ବଳ ହେଉଥିବାର ସ୍ପଷ୍ଟ ସଙ୍କେତ । ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ ୮ ଜଣଙ୍କ ଉପରେ ମୋଟ ୩୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ସେମାନଙ୍କ ବିରୋଧରେ ବିଭିନ୍ନ ଜିଲ୍ଲାରେ ଅନେକ ଗୁରୁତର ମାମଲା ରହିଛି ।

