ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହମଜା ବୁରହାନକୁ ପାକିସ୍ତାନରେ ନିପାତ କରାଯାଇଛି। ପାକିସ୍ତାନରେ ଜଣେ ଅଜ୍ଞାତ ଦୁର୍ବୃତ୍ତ ହମଜାକୁ ଗୁଳିମାରି ନିପାତ କରିଛି।
ସୂତ୍ର ଅନୁସାରେ ଆକ୍ରମଣରେ ଏହି ଆତଙ୍କବାଦୀର ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହମଜାକୁ ପାକିସ୍ତାନର ମୁଜଫ୍ଫରାବାଦରେ ଗୁଳିମାଡ଼ କରାଯାଇଛି। ପାକିସ୍ତାନ ଅଧୀକୃତ କଶ୍ମୀରର ଏକ ଅଂଶବିଶେଷ ହେଉଛି ମୁଜଫ୍ଫରାବାଦ।
ସୂଚନାଯୋଗ୍ୟ, ୨୦୧୯ ଫେବ୍ରୁଆରି ୧୪ ତାରିଖ ଦିନ ପୁଲୱାମା ଆକ୍ରମଣ ଘଟଣା ଘଟିଥିଲା, ଯାହାର ମାଷ୍ଟରମାଇଣ୍ଡ ଥିଲା ହମଜା। ପୁଲୱାମା ଆକ୍ରମଣ ଘଟଣାରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ। ପାକିସ୍ତାନରେ ଏହି ବ୍ୟକ୍ତି ନିଜକୁ ଶିକ୍ଷକ ଭାବେ ପରିଚୟ ଦେଉଥିଲା। ନିଜର ପରିଚୟ ଲୁଚାଇବା ପାଇଁ ଏକ ସ୍କୁଲରେ ପ୍ରିନ୍ସିପାଲ ହୋଇଥିଲା।ଆତଙ୍କବାଦୀ ହମଜା ବୁରହାନକୁ ମୁଜଫ୍ଫରାବାଦରେ ଜଣେ ଅଜ୍ଞାତ ଦୁର୍ବୃତ୍ତ ଗୁଳିମାରିଛି, ଯେଉଁଥିରେ ତାର ଜୀବନ ଯାଇଛି।
କୁହାଯାଉଛି ଯେ, ଏହି ଘଟଣା ସେହି ସମୟରେ ଘଟିଛି, ଯେତେବେଳେ ଆତଙ୍କବାଦୀ ହମ୍ଜା ନିଜର ଅଫିସରେ ବସିଥିଲା। ଏହି ସମୟରେ ଅଚାନକ କିଛି ଲୋକ ପହଞ୍ଚି ଥିଲେ ଏବଂ ହମଜାକୁ ଲକ୍ଷ୍ୟ କରି ଅତର୍କିତ ଗୁଳିମାଡ଼ କରିଥିଲେ।
ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା। ରିପୋର୍ଟ ଅନୁସାରେ ହମଜାକୁ ଅତି ନିକଟରୁ ଗୁଳିମାଡ଼ କରାଯାଇଥିଲା, ଯେଉଁଥି ପାଇଁ ତାର ମୁଣ୍ଡରେ ଗୁଳିଚୋଟ ଲାଗିଥିଲା। ସେ ପିଓକେ ଅଞ୍ଚଳରେ ଅନେକଗୁଡ଼ିଏ ଆତଙ୍କବାଦୀ ସଂଗଠନ ପରିଚାଳନା କରୁଥିଲା। ଏଥି ସହିତ ସୀମା ଅଞ୍ଚଳରେ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଇବା ପାଇଁ ସହଯୋଗ କରୁଥିଲା।

