ହଟିଆ-ପୁରୀ ତପସ୍ବିନୀ ଏକ୍ସପ୍ରେସ୍(୧୮୪୫୨)ରେ ଆଜି ବଡ଼ଧରଣର ତ୍ରୁଟି ଦେଖିବାକୁ ମିଳିଛି। ରାତି ପ୍ରାୟ ସାଢ଼େ ୯ଟାରେ ଭୁବନେଶ୍ବର ଷ୍ଟେସନ ଛାଡ଼ିବାର ମାତ୍ର ୫୦୦ ମିଟର ଦୂରରେ ଟ୍ରେନ୍ର ଦ୍ବିତୀୟ ଓ ତୃତୀୟ ବଗି ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ। ଇଞ୍ଜିନ୍ ସହ ଦୁଇଟି ବଗି ଆଗକୁ ମାଡ଼ି ଚାଲିଥିବା ବେଳେ ବାକି ସମସ୍ତ ବଗିଗୁଡ଼ିକ ମାଳି ସାହି ନିକଟରେ ଅଟକି ରହିଥିଲେ। ଇଞ୍ଜିନ୍ ସହ ଲାଗିଥିବା ଦୁଇଟି ବଗି ମଞ୍ଚେଶ୍ବର ରେଳଷ୍ଟେସନ ନିକଟରେ ପହଞ୍ଚିବା ପରେ ଜଣାପଡ଼ିଥିଲା ଯେ ପଛରେ ଥିବା ବଗିଗୁଡ଼ିକ ନାହିଁ। ଏହାକୁ ନେଇ ଲୋକ ପାଇଲଟ୍ଙ୍କ ସମେତ ରେଳ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଥିଲା।
ସେପଟେ ଟ୍ରେନ୍ରେ ଇଞ୍ଜିନ୍ ନ ଥିବାରୁ ଅଧା ବାଟରେ ଅଟକି ରହିଥିବା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା। ହଠାତ୍ ଅଧା ରାସ୍ତାରେ କାହିଁକି ଏଭଳି ହେଲା ସେନେଇ ଯାତ୍ରୀମାନେ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ। ତେବେ ଇଞ୍ଜିନ୍ ସହ ବଗି ପଳାଇଥିବାରୁ ଏଭଳି ସମସ୍ୟା ହୋଇଥିବା ଜଣାପଡ଼ିବା ପରେ ଯାତ୍ରୀମାନେ ଟିକିଏ ଆଶ୍ବସ୍ତ ଅନୁଭବ କରିଥିଲେ। ଏହାରି ଭିତରେ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଆଗକୁ ପଳାଇ ଯାଇଥିବା ଇଞ୍ଜିନ୍ ଓ ବଗିଗୁଡ଼ିକ ପୁଣିଥରେ ପୂର୍ବ ସ୍ଥାନକୁ ଫେରିବା ସହ ସମସ୍ତ ବଗି ସହ ରାତି ୧୦ଟା ୨୦ ମିନିଟ୍ରେ ପୁଣିଥରେ ଆଗକୁ ବଢ଼ିଥିଲା। ବଗିକୁ ବଗି ଯୋଡ଼ୁଥିବା କ୍ଲିପ୍ ଖସିଯିବା ଓ ଭାକ୍ୟୁମ୍ ଠିକ୍ ଭାବେ କାମ ନ କରିବା ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ପ୍ରାରମ୍ଭିକ ଭାବେ ଜଣାପଡ଼ିଛି। ତେବେ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହା ସେଭଳି ଗୁରୁତ୍ବର ତ୍ରୁଟି ନୁହେଁ। ମଝିରେ ମଝିରେ କ୍ଲିପ୍ ଖସିଯିବା ଯୋଗୁଁ ବଗିଗୁଡ଼ିକ ପରସ୍ପରଠାରୁ ଅଲଗା ହୋଇଯାଆନ୍ତି। ଏହାଦ୍ବାରା ପାଖାପାଖି ଏକ ଘଣ୍ଟା ବିଳମ୍ବିତ ହୋଇଛି। ରାତି ସାଢ଼େ ୧୦ଟା ସୁଦ୍ଧା ସ୍ଥିତିରେ ସୁଧାର ଆସିଥିବା ଜଣାପଡ଼ିଛି।

