‘ଟିମ୍ ଗୋନାସିକା’ ଲୋଗୋ ଉନ୍ମୋଚିତ

ଭୁବନେଶ୍ବର: ହକି ଇଣ୍ଡିଆ ଲିଗ୍‌ରେ ପ୍ରଥମ ଥର ସାମିଲ ହେବାକୁ ଯାଉଥିବା ଓଡ଼ିଶାର ନିଜସ୍ବ ହକି ଦଳ ‘ଟିମ୍ ଗୋନାସିକା’ର ଲୋଗୋ ଏକ ସ୍ଥାନୀୟ ହୋଟେଲରେ ଉନ୍ମୋଚିତ ହୋଇଯାଇଛି। ପ୍ରତିଷ୍ଠିତ ବ୍ୟବସାୟୀ ତାରିଣୀ ପ୍ରସାଦ ମହାନ୍ତିଙ୍କ ମାଲିକାନାରେ ଥିବା ଏହି ଦଳ ଶନିବାର ନିଜ ମାର୍ଗଦର୍ଶକ ଓ ପ୍ରବନ୍ଧକଙ୍କ ନାଁ ମଧ୍ୟ ଘୋଷଣା କରିଛି। ସେହିଭଳି ଆଗାମୀ କିଛି ଦିନ ଭିତରେ ଦଳର ମାସ୍କଟ ଓ ଜର୍ସି ଉନ୍ମୋଚନ କରାଯିବ ବୋଲି ସୂଚନା ଦିଆଯାଇଛି।

ଅଲିମ୍ପିଆନ୍ ତଥା ଭାରତୀୟ ହକିର କିଂବଦନ୍ତି ପୁରୁଷ ଏମ୍‌ଏମ୍ ସୋମାୟା ‘ଟିମ୍ ଗୋନାସିକା’ର ମାର୍ଗଦର୍ଶକ ଥିଲା ବେଳେ ଅନ୍ୟତମ ସୁପ୍ରସିଦ୍ଧ ହକି ପ୍ରଶିକ୍ଷକ, ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ପ୍ରବନ୍ଧକ ଜଗବୀର ସିଂହ ଚଳିତ ଋତୁରେ ଦଳର ପ୍ରଶିକ୍ଷକ ଓ ପ୍ରବନ୍ଧକ ଦାୟିତ୍ବ ତୁଲାଇବେ ବୋଲି ଘୋଷଣା କରାଯାଇଛି। ଆଧୁନିକ ହକିର ଆବଶ୍ୟକତା ତଥା ଚାପକୁ ଆଖି ଆଗରେ ରଖି ଇଂଲଣ୍ଡର ପଲ୍ ରେଭିଙ୍ଗଟନ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବରେ ରହିବେ। ହକି ଇଣ୍ଡିଆ ଲିଗ୍‌ରେ ପୂର୍ବରୁ ତିନିଟି ଋତୁର ଅଭିଜ୍ଞତା ଥିବା‌ ଜଗବୀର ଓ ରେଭିଙ୍ଗଟନ୍ ମିଳିତ ଭାବେ ଦଳର ପ୍ରଶିକ୍ଷଣ ମଣ୍ଡଳିକୁ ପରିଚାଳନା କରିବା ସହ ରଣନୀତି ପ୍ରସ୍ତୁତିରେ ନିଜନିଜର ମହତ୍ତ୍ବପୂର୍ଣ୍ଣ ଅବଦାନ ରଖିବେ। ସେହିଭଳି ‘ଟିମ୍ ଗୋନାସିକା’ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଭାରତୀୟ ଅଧିନାୟକ ମନ୍‌ପ୍ରୀତ ସିଂହ ଏବଂ ନେଦରଲାଣ୍ଡର ତାରକା ଖେଳାଳି ଟିମ୍ ବୁନଙ୍କ ରୂପରେ ଦୁଇଜଣ ଅଧିନାୟକଙ୍କୁ ନେତୃତ୍ବ ଭାର ଦେବାକୁ ଲକ୍ଷ୍ୟ ରଖିଥିବା ଜଗବୀର ସୂଚନା ଦେଇଛନ୍ତି।

ତେବେ ଭବିଷ୍ୟତ ଅଧିନାୟକ ଗଢ଼ିବା ଲକ୍ଷ୍ୟ ଦୃଷ୍ଟିରୁ ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ସୁଯୋଗ ଦେବାକୁ ଦଳ ପଛଘୁଞ୍ଚା ଦେବନାହିଁ ବୋଲି ଜଗବୀର କହିବା ସହ ଦଳରେ ଥିବା ଖେଳାଳି ଓ ଏହାର ସନ୍ତୁଳନକୁ ନେଇ ଖୁସି ଅଛନ୍ତି ବୋଲି ମତ ରଖିଥିଲେ। ସେହିଭଳି ବୀରେନ୍ଦ୍ର ଲାକ୍ରା, ଦୀପସାନ ତିର୍କି, ଅନମୋଲ ଏକ୍କା ଓ ନୀଲମ ସଞ୍ଜୀପ ଖେସ୍‌ଙ୍କ ଭଳି ସ୍ଥାନୀୟ ଖେଳାଳି ଘରୋଇ ପ୍ରଶଂସକଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ପୂରା ସକ୍ଷମ ବୋଲି କହିଥିଲେ। ଶ୍ରୀ ମହାନ୍ତି ଗୋନାସିକା ନାଁ’ର ତାତ୍ପର୍ଯ୍ୟ ବୁଝାଇବା ସହ ଏହି ଦଳ ଓଡ଼ିଶା ତଥା ଓଡ଼ିଆ ସଂସ୍କୃତିର ବାର୍ତ୍ତାବହ ହେବ। ହକିକୁ ସେ ଅନ୍ତରରୁ ଭଲ ପାଉଥିବାରୁ ଆଗାମୀ ସମୟରେ ଓଡ଼ିଶାରେ ହକିର ବିକାଶ ଲାଗି ବହୁତ କିଛି କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଭଗବାନଙ୍କ ଆଶୀର୍ବାଦ ଓ ଘରୋଇ ପ୍ରଶଂସକଙ୍କ ଭଲପାଇବାକୁ ପାଥେୟ କରି ଏହି ସବୁ ପଦକ୍ଷେପକୁ ସେ ପର୍ଯ୍ୟାୟ କ୍ରମେ ଲାଗୁ କରି‌ବେ ବୋଲି କହିଥିଲେ। ହକି ଇଣ୍ଡିଆ ପୁରୁଷ ଲିଗ୍‌ରେ ଓଡ଼ିଶାର ଦୁଇଟି ଦଳ କଳିଙ୍ଗ ଲାନସର୍ସ ଓ ଟିମ୍ ଗୋନାସିକା ଖେଳିବାକୁ ଯାଉଥିଲେ ମଧ୍ୟ ସ୍ଥାନୀୟ ଉଦ୍ୟମରେ ଗଢ଼ି ଉଠିଥିବା ଏବଂ କେନ୍ଦୁଝର ମାଟିର ମହକ ବହନ କରୁଥିବା ଟିମ୍ ଗୋନାସିକାକୁ ଓଡ଼ିଶାବାସୀ ନିଶ୍ଚିତ ଅଧିକ ଭଲପାଇବା ଦେବେ ବୋଲି ଆଶାପ୍ରକାଶ କରିଥିଲେ। ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କି କହିଥିଲେ, ଗତ ୫ବର୍ଷ ଭିତରେ ଭାରତୀୟ ହକି ଦଳ ଆଶାତୀତ ସଫଳତା ପାଇଛି। ଏଥିରେ ‘ହକି ଇଣ୍ଡିଆ’ର ଉ‌େଲ୍ଲ‌ଖନୀୟ ଭୂମିକା ରହିଛି।

ହକି ଇଣ୍ଡିଆ ଯୋଗୁ ଆମ ଖେଳାଳିମାନେ ବିଦେଶୀ ଖେଳାଳିଙ୍କ ସହ ଖେଳି ନିଜ ପ୍ରତିଭାକୁ କ୍ରମାଗତ ଭାବେ ଶାଣିତ କରିଛନ୍ତି। ହକି ଇଣ୍ଡିଆର ସଭାପତି ପଦ ଗ୍ରହଣ କରିବା ପରେ ‘ହକି ଇଣ୍ଡିଆ ଲିଗ୍’ର ପ୍ରତ୍ୟାବର୍ତ୍ତନ ଆମର ପ୍ରଥମ ଲକ୍ଷ୍ୟ ଥିଲା। ଏହା ପୂରଣ ହୋଇଥିବାରୁ ବହୁତ ଖୁସି ଲାଗୁଛି। ଆମେ ପ୍ରଥମ ଥର ଲାଗି ମହିଳା ଲିଗ୍‌ ବି ଆରମ୍ଭ କରୁଛୁ। ଏଥିରୁ ଭାରତୀୟ ହକି ବେଶ୍ ଲାଭବାନ ହେବ ବୋଲି ଆଶା ରଖିଛୁ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା କ୍ରିକେଟ୍ ସଂଘର ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକ, ପୂର୍ବତନ ପ୍ରଶାସକ ମଧୁସୁଦନ ପାଢ଼ୀ, ଟିମ୍ ଗୋନାସିକାର ବହୁ ବରିଷ୍ଠ ଅଧିକାରୀ ତଥା କ୍ରୀଡ଼ା‌ପ୍ରେମୀମାନେ ଉପସ୍ଥିତ ଥିଲେ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!