ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ଶ୍ବେତାଶ୍ରୀ ଟପର୍‌

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୨ର ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ଶ୍ୱେତାଶ୍ରୀ ମହାପାତ୍ର ରାଜ୍ୟ ଟପର୍‌ ‌ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ପ୍ରିଙ୍କଲ ପରବିନ ପରିଡ଼ା ଓ ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ ପତି ରହିଛନ୍ତି। ପ୍ରଥମ ୧୦ଟି ସ୍ଥାନରେ ୫ ଜଣ ମହିଳା ଅଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଏହି ପରୀକ୍ଷାରେ କୃତକାର୍ଯ୍ୟ ମୋଟ ୬୮୩ଜଣଙ୍କୁ ନିଯୁକ୍ତି ପାଇଁ ସୁପାରିସ କରିଛି। କୃତକାର୍ଯ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ୨୫୮ଜଣ ମହିଳା ଅଛନ୍ତି।

ପ୍ରଥମ ଦଶ ସ୍ଥାନରେ ଯଥାକ୍ରମେ ଶ୍ୱେତାଶ୍ରୀ ମହାପାତ୍ର, ପ୍ରିଙ୍କିଲ ପରବିନ ପରିଡ଼ା, ଦୀପ୍ତିରଂଜନ ପତି, ପ୍ରଜ୍ଞା ପାରଙ୍ଗମା, ଆଜାଦ କୁମାର ସାହୁ, ଦୀପମ ରାଉତ, ଦେବବ୍ରତ ଗୌଡ଼, ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, କପିଲ କୁମାର ମହାନ୍ତି ଓ ଅମ୍ରିତା ସାହୁ ରହିଛନ୍ତି। କୃତକାର୍ଯ୍ୟ ହୋଇଥିବା ମୋଟ ୬୮୩ ଜଣଙ୍କ ମଧ୍ୟରେ ଅଣସଂରକ୍ଷିତ ବର୍ଗରେ ୩୮୭ (୧୪୨-ମହିଳା), ଏସ୍‌ଇବିସି ବର୍ଗରେ ୭୧ (୨୩ ମହିଳା), ଅନୁସୂଚିତ ଜାତି ବର୍ଗରେ ୮୯ (୩୬ ମହିଳା), ଅନୁସୂଚିତ ଜନଜାତି ବର୍ଗରେ ୧୩୬ (୫୭ ମହିଳା), ପୂର୍ବତନ ସାମରିକ ସେବା କର୍ମଚାରୀ ବର୍ଗରେ ୧୪ ଜଣ, କ୍ରୀଡ଼ାବିତ୍‌ ବର୍ଗରେ ଜଣେ ଓ ଶାରୀରିକ ଅକ୍ଷମ ବର୍ଗରେ ୨୩ ଜଣ (୫ ମହିଳା) ରହିଛନ୍ତି।

ଓଡ଼ିଶା ସିଭିଲ ସର୍ଭିସ-୨୦୨୨ ପରୀକ୍ଷା ପାଇଁ ୨୦୨୨ ଡିସେମ୍ବର ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୬୮୩ (୨୨୭ ମହିଳା) ପଦବି ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମୋଟ ୯ ଲକ୍ଷ ୨ ହଜାର ୯୧୪ (୩ ଲକ୍ଷ ୪ ହଜାର ୭୧୨ ମହିଳା) ପ୍ରାର୍ଥୀ ଆବେଦନ କରିଥିଲେ। ଏଥିରୁ ୪୦ ହଜାର ୫୮୬(୧୪ ହଜାର ୮୫୨ ମହିଳା) ପ୍ରାର୍ଥୀ ଗଲା ୨୦୨୩ ଅକ୍ଟୋବର ୧୫ରେ ଅନୁଷ୍ଠିତ ହୋଇଥିବା ପ୍ରାରମ୍ଭିକ ପରୀକ୍ଷା ଦେଇଥିଲେ। ଏଥିରୁ ୮ ହଜାର ୨୨୦ (୨ ହଜାର ୭୩୦ ମହିଳା) ଜଣ ପରୀକ୍ଷାର୍ଥୀ ଏହି ପ୍ରାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ପରେ ଓଡ଼ିଶା ସିଭିଲ ସର୍ଭିସ (ମୁଖ୍ୟ) ପରୀକ୍ଷା ଗଲା ୨୦୨୪ ଫେବ୍ରୁଆରି ୨୫ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ମୋଟ ୬୬୩୯(୨୩୩୭ ମହିଳା) ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୧୩୬୭ (୪୯୩ ମହିଳା)ପ୍ରାର୍ଥୀଙ୍କୁ ସାକ୍ଷାତକାର ପରୀକ୍ଷା ପାଇଁ ମନୋନୀତ କରାଯାଇଥିଲା। ଗଲା ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୭ତାରିଖ ଯାଏ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ ୬୮୩ ଜଣଙ୍କୁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ଦିଆଯାଇଛି।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!