ରାଷ୍ଟ୍ରପତି ଭବନରେ ଜମିଲା ରଜ

ରାଷ୍ଟ୍ରପତି ଭବନ କଲ୍‌ଚରାଲ ସେଣ୍ଟରଠାରେ ରଜ ମହୋତ୍ସବ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ରାଷ୍ଟ୍ରପତି ତାଙ୍କ ପରିବାରବର୍ଗଙ୍କ ସହ ଉପସ୍ଥିତ ରହି ମହୋତ୍ସବର ଆନନ୍ଦ ନେଇଥିଲେ । ତାଙ୍କ ଦୁଇ ନାତୁଣୀ ମଧ୍ୟ ଏଥିରେ ସାମିଲ ହୋଇ ନୃତ୍ୟ କରିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ତାଙ୍କ ପତ୍ନୀ ଓ ପରିବାର ସଦସ୍ୟ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର ଓ ଶକ୍ତିକାନ୍ତ ଦାସ, ସାଂସଦ ସମ୍ବିତ ପାତ୍ର, ଅପରାଜିତା ଷଡ଼ଙ୍ଗୀ ଓ ବିଭୁ ପ୍ରସାଦ ତରାଇ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶାର ଅନେକ ବିଶିଷ୍ଟ ବ୍ୟକ୍ତି, ବରିଷ୍ଠ ଅଧିକାରୀ ଏବଂ ଚିତ୍ରଶିଳ୍ପୀ ଯତୀନ ଦାସ, ହୋଜଖାସ ଜଗନ୍ନାଥ ମନ୍ଦିରର ସମ୍ପାଦକ ରବି ପ୍ରଧାନ, ନଏଡା ଜଗନ୍ନାଥ ମନ୍ଦିରର ସମ୍ପାଦକ ମନୋରଞ୍ଜନ ମହାନ୍ତି ଓ ତ୍ୟାଗରାଜନଗର ଜଗନ୍ନାଥ ମନ୍ଦିରର ସାଧାରଣ ସମ୍ପାଦକ କାମଦେବ ବିଶ୍ୱାଳ ମଧ୍ୟ ଉପସ୍ଥିତ ଥିଲେ । ନିଜେ ରାଷ୍ଟ୍ରପତି ତାଙ୍କ ପରିବାର ସଦସ୍ୟ ଓ ଅନ୍ୟ ପ୍ରବାସୀ ଓଡ଼ିଆମାନେ ରଜ ଦୋଳିରେ ଝୁଲିଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଓ ଅନ୍ୟ ଅତିଥିମାନେ ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭରେ ସାକ୍ଷୀଗୋପଳ କଳାକାରମାନଙ୍କ ଦ୍ୱାରା ଲୋକପ୍ରିୟ ‘ଆହେ ନୀଳ ଶୈଳ’ ଗୀତ ଦର୍ଶକଙ୍କ ମନ ମୋହିଥିଲା । ମୟୂରଭଞ୍ଜର ସାନ୍ତାଳୀ ନୃତ୍ୟ, ସମ୍ବଲପୁରର ଡାଲଖାଇ ଓ ଜାମୁଡାଲି ନୃତ୍ୟ, ମୟୂରଭଞ୍ଜର ଶିବ ଚରଣ ମହନ୍ତଙ୍କ ଆଦିବାସୀ ସଙ୍ଗୀତ ଓ ସାକ୍ଷୀଗୋପଳର ଅନ୍ୟ କଳାକାରଙ୍କ ‘ରଜ ଗୀତ’ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ମଧ୍ୟ ରାଷ୍ଟ୍ରପତିଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା । ପୋଡପିଠା, ସୁଜି କାକରା, ଛେନାପୋଡ, ଦହିବରା, ବରା ଓ ଘୁଗୁନି ଥିଲା ମୁଖ୍ୟ ଆକର୍ଷଣ । ଏଥିସହ ସମସ୍ତେ ବେଲପଣା ଓ ରଜପାନର ମଜା ଉଠାଇଥିଲେ।

Post Views23 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!