ମହାପ୍ରସାଦ ନିମନ୍ତେ ହେବ ଟୋକନ କାଉଣ୍ଟର

କାର୍ତ୍ତିକ ମାସ ସୁଦ୍ଧା ଶ୍ରୀମନ୍ଦିର ଉତ୍ତର କିମ୍ବା ଦକ୍ଷିଣ ଦ୍ୱାର ବାହାରେ ଖୋଲିବ ମହାପ୍ରସାଦ ନେବା ନିମନ୍ତେ ଟୋକନ କାଉଣ୍ଟର । ଯିଏ ଯେତିକି ଜଣଙ୍କ ନିମନ୍ତେ ମହାପ୍ରସାଦ ନେବ ସେତିକି ନିର୍ଦ୍ଧାରିତ ଟଙ୍କା ଦେଇ ଟୋକନ ନେଲା ପରେ ଏହି ଦ୍ୱାର ନିକଟରେ ବୋଝିଆଙ୍କ ଠାରୁ ଅବଢ଼ା ମହାପ୍ରସାଦ ପାଇବ । ବିଶେଷ ଭାବେ ପୁରୀର ଶ୍ରଦ୍ଧାଳୁମାନେ ଅନ୍ୟ ଯାତ୍ରୀଙ୍କ ଭଳି ବ୍ୟାରିକେଡ୍ ଭିତରେ ପଶି ଅବଢ଼ା ପାଇବା ନିମନ୍ତେ ଶ୍ରୀମନ୍ଦିରକୁ ଯିବାକୁ ପଡ଼ୁଥିବାରୁ, ସେମାନଙ୍କୁ ଏହି ଅପେକ୍ଷା କଷ୍ଟରୁ ମୁକ୍ତି ମିଳିବ । ଏହି ଦର ତାଲିକା ଓ ଟୋକନ ବ୍ୟବସ୍ଥା ପରେ ଦଲାଲମାନେ ଶ୍ରଦ୍ଧାଳୁମାନଙ୍କୁ ଆଉ ଠକିପାରିବେ ନାହିଁ । ପ୍ରଶାସନ ଏହି ବ୍ୟବସ୍ଥା କରିବାକୁ ସମ୍ମତି ଜଣାଇଛି । ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର ଏହା ଗଣମାଧ୍ୟମରେ ସୂଚନା ଦେବା ପରେ ଚର୍ଚ୍ଚା, ଆଲୋଚନା ଜୋର୍ ଧରିଛି ।
ପୁରୀବାସୀ ଦୈନିକ ଶ୍ରୀମନ୍ଦିର ଦର୍ଶନ ସୁବିଧା ଓ ମହାପ୍ରସାଦ ପାଇବାରେ ଅନ୍ୟ ବାହାର ଯାତ୍ରୀଙ୍କ ଭଳି କଟକଣାର ଶିକାର ହେବାକୁ ନେଇ ଅସନ୍ତୋଷ ଭୋଗୁଥିବା ଅଭିଯୋଗ କରୁଥିବା ବେଳେ ଏହାକୁ ପ୍ରଶମିତ କରିବାକୁ ପ୍ରଶାସନିକ ଏହି ଫନ୍ଦି ଯୋଡ଼ା ଯାଇଥିବା ଆଲୋଚନା ହେଉଛି । ଏହାଦ୍ୱାର ଶ୍ରୀମନ୍ଦିର ପ୍ରବେଶ ସ୍ୱତନ୍ତ୍ର ସୁବିଧା ଦାବି ଆନ୍ଦୋଳନ ଉପରେ ପାଣି ପକାଇ ଶୀତଳ କରିବାକୁ ପ୍ରଶାସନିକ ଯୋଜନା ହେଉଥିବା ଚର୍ଚ୍ଚା ହେଉଛି ।
ଲୋକସଭା ଭବନରେ ସୁଆର ମହାସୁଆରମାନଙ୍କ ଦାବି ଶୁକ୍ରବାର ଆଇନମନ୍ତ୍ରୀ ଶୁଣିବା ପରେ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଥିଲା । ଶନିବାର ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, ସରକାରଙ୍କ ନିକଟରେ ମୋଟ ୯ଟି ଦାବି ଉପସ୍ଥାପନ କରାଯାଇଥିଲା । ସବୁଗୁଡ଼ିକ ଶ୍ରଦ୍ଧାଳୁଙ୍କ ସୁବିଧାରେ ମହାପ୍ରସାଦ ଯୋଗାଇ ଦେବା ସମ୍ପର୍କିତ ରହିଥିଲା । ପ୍ରଥମ ଦାବି ଥିଲା ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ କାଠର ସ୍ଥାୟୀ ସମାଧାନ । ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଦେଖିଲେ ଏବେ ଶ୍ରୀମନ୍ଦିରକୁ ଦୈନିକ ୧୦୦ରୁ ୧୨୦ କୁଇଣ୍ଟାଲ କାଠ ଆବଶ୍ୟକ ପଡ଼ୁଛି । କାର୍ତ୍ତିକ ମାସ ଓ ପାର୍ବଣ ଦିନମାନଙ୍କରେ ୧୮୦ରୁ ୨୦୦ କୁଇଣ୍ଟାଲ କାଠର ଆବଶ୍ୟକ ପଡ଼ିବ । ଯଦି ପ୍ରଶାସନ ଠିକଣା ସମୟରେ ଆବଶ୍ୟକ କାଠ ଯୋଗାଇ ନପାରିବ, ଅନ୍ୟ ସ୍ଥାନରୁ ଅଧିକ ଦର ଦେଇ କାଠ ଆଣିବାକୁ ପଡ଼ିଲେ ମହାପ୍ରସାଦ ଦର ବଢ଼ାଇବାକୁ ପଡ଼ିବ । ଏ ପରିସ୍ଥିତିରେ ଆବଶ୍ୟକ ମହାପ୍ରସାଦ ରାନ୍ଧି ଯୋଗାଇବା ମଧ୍ୟ ବନ୍ଦ ହୋଇପାରେ । ତେଣୁ ଶ୍ରୀମନ୍ଦିର ରୋଷଘରକୁ ଜାଳେଣିର ସ୍ଥାୟୀ ସମାଧାନ କରିବାକୁ ସରକାରଙ୍କ ପ୍ରସ୍ତାବ ଦିଆଯାଇଛି । ସରକାର ଏନେଇ ସକାରାତ୍ମକ ପଦକ୍ଷେପ ନେବେ ବୋଲି କହିଛନ୍ତି ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!