ପଞ୍ଜାବ ପୁଲିସ ଏଏସଆଇ ହରଜିତ୍ ସିଂହଙ୍କ ନୃଶଂସ ହତ୍ୟାକାଣ୍ଡ ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିବା ସହ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଶନିବାର ରାତିରେ ପୁଲିସ ସହ ହୋଇଥିବା ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ଦୀପକ ସିଂହ ନିହତ ହୋଇଥିବା ବେଳେ ତାର ଅନ୍ୟଜଣେ ସହଯୋଗୀ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ନିହତ ଅଭିଯୁକ୍ତ ଦୀପକ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ଶେହଜାଦ୍ ଭଟ୍ଟି ଏବଂ ତାର ଆତଙ୍କୀ ସଂଗଠନ ସହ ସମ୍ପୃକ୍ତ ଥିବା ନେଇ ପୁଲିସ ସ୍ପଷ୍ଟ କରିଛି।
ଅଭିଯୁକ୍ତଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲା
ପୁଲିସ କମିଶନର ହରମନବୀର ସିଂହ ଗିଲଙ୍କ ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୮ ତାରିଖ ଅଧରାତିରେ ଭଗତାନୱାଲା ଶସ୍ୟ ମାଣ୍ଡି ନିକଟରେ ନିୟୋଜିତ ୫୦ ବର୍ଷୀୟ ଏଏସଆଇ ହରଜିତ୍ ସିଂହଙ୍କୁ ଦୁଇଜଣ ଅଭିଯୁକ୍ତ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ।
ଏହି ଘଟଣା ପରଠାରୁ ସିସିଟିଭି ଫୁଟେଜ୍, ଟାୱାର ଡମ୍ପ ଆନାଲିସିସ୍ ଏବଂ ଗୁଇନ୍ଦା ସୂଚନା ଆଧାରରେ ପୁଲିସ ଅଭିଯୁକ୍ତଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲା। ଶନିବାର ରାତି ପ୍ରାୟ ୯ଟା ୪୫ ମିନିଟରେ ଠଣ୍ଡା ରୋଡରେ ନାକାବନ୍ଦୀ ସମୟରେ ପୁଲିସ ଗୋଟିଏ ଆକ୍ଟିଭା ସ୍କୁଟରରେ ଯାଉଥିବା ଦୁଇ ସନ୍ଦିଗ୍ଧଙ୍କୁ ଅଟକିବାକୁ ଚେଷ୍ଟା କରିଥିଲା। ମାତ୍ର ଅଭିଯୁକ୍ତମାନେ ଅଟକିବା ବଦଳରେ ପୁଲିସ ଟିମ୍ ଉପରକୁ ୪ ରାଉଣ୍ଡ ଗୁଳିଚାଳନା କରିଥିଲେ।
ପୁଲିସ ଆତ୍ମରକ୍ଷାର୍ଥେ ୬ ରାଉଣ୍ଡ ପାଲଟା ଜବାବି ଗୁଳିଚାଳନା କରିବାରୁ, ଗୋଟିଏ ଗୁଳି ବାଜି ୧୯ ବର୍ଷୀୟ ଅଭିଯୁକ୍ତ ଦୀପକ ସିଂହ ଗୁରୁତର ଆହତ ହୋଇଥିଲା। ତାକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

