ବିଏମଡବ୍ଲୁରେ ବସି ମଧ୍ୟ ରକ୍ଷା ପାଇଲେନି । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୁମ୍ବାଇର କୋଷ୍ଟାଲ୍ ରୋଡରେ । ଏଠାରେ ରବିବାର ଏକ ଦାମୀ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ବ୍ରିଜ୍ ତଳକୁ ଖସି ପଡିଛି ।
ରିପୋର୍ଟ ଅନୁସାରେ, ରବିବାର ସକାଳେ ଏକ କଳା ରଙ୍ଗର ବିଏମଡବ୍ଲୁ ମେରାଇନ୍ ଡ୍ରାଇଭ୍ ରୋଡରୁ ହାଜି ଅଲ୍ଲୀ ଅଭିମୁଖେ ଯାଉଥିଲା । ରାସ୍ତାରେ ଗାଡି ଚାଳକ ନିୟନ୍ତ୍ରଣ ହରାଇଥିଲେ । ଗାଡିର ବେଗ ଖୁବ୍ ଦ୍ରୁତ ଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି । ତେବେ ନିୟନ୍ତ୍ରଣ ହରାଇ କାରଟି ବ୍ରିଜ୍ କଡରେ ଧକ୍କା ହୋଇ ତଳକୁ ଖସି ପଡିଥିଲା ।
ତୁରନ୍ତ କାରରେ ବସିଥିବା୪ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ସଙ୍କଟାପନ୍ନ ରହିଛନ୍ତି । ତାଙ୍କ ବୟସ୨୦ହେବ ବୋଲି ଜଣା ପଡିଛି । ହେଲେ ପରିଚୟ ମିଳିପାରି ନାହିଁ । ପ୍ରାଣ ହରାଇଥିବା ସମସ୍ତଙ୍କ ବୟସ୨୧ ବର୍ଷମଧ୍ୟରେ ହେବ ବୋଲି ପୋଲିସ କହୁଛି । ସମସ୍ତ ମୃତକଙ୍କ ପରିଚୟ ମିଳିସାରିଛି ।ପୋଲିସ କହିବାନୁସାରେ, ଦୁର୍ଘଟଣା ପରେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଏହା ବ୍ରିଜରୁ ଖସିବା ସମୟରେ ଏକ ସାଇନ୍ ବୋର୍ଡକୁ ମଧ୍ୟ ଧକ୍କା ଦେଇଥିଲା । ଯାହା ମଝିରୁ ଚିରି ଯାଇଛି । କାରର ଉପର ଭାଗ ସମ୍ପୂର୍ଣ୍ଣ ଗୁଣ୍ଡ ହୋଇଯାଇଛି । ସମ୍ମୁଖ ଭାଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଅନ୍ୟ ଦିଗରେ କାରକୁ ଜବତ କରାଯାଇ ମାମଲାର ତଦନ୍ତ ଜାରି ରହିଛି ।

