ଗୁଜରାଟର ଏକତା ନଗର (କେୱାଡ଼ିଆ)ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ‘ଦାଦାସାହେବ ଫାଲ୍କେ’ ପୁରସ୍କାରରେ ବରିଷ୍ଠ ଅଭିନେତା ଅନନ୍ତ ନାଗଙ୍କୁ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରିବା ପରେ ନିଜର ୫୦ ବର୍ଷର ସିନେମା ଯାତ୍ରା ଓ ନାଟକ ପ୍ରତି ଥିବା ଭଲପାଇବା ସମ୍ପର୍କରେ ସ୍ମରଣ କରି ଅନନ୍ତ ନାଗ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଏହି ପୁରସ୍କାର ଉତ୍ସବରେ ‘ଆର୍ଟିକିଲ୍ ୩୭୦’କୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ମିଳିଥିବା ବେଳେ ଏଥିପାଇଁ ୟାମୀ ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ ଅଭିନେତା ପୁରସ୍କାରକୁ ମାମୁଟି (ବ୍ରମଯୁଗମ୍) ଏବଂ କାର୍ତ୍ତିକ ଆର୍ଯ୍ୟନ (ଚନ୍ଦୁ ଚାମ୍ପିୟନ୍) ଯୁଗ୍ମ ଭାବେ ଜିତିଛନ୍ତି । ‘ଅମରନ୍’ ଚଳଚ୍ଚିତ୍ର ପାଇଁ ରାଜକୁମାର ପେରିୟାସାମୀଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ‘ସ୍ୱାତନ୍ତ୍ର୍ୟ ବୀର ସାବରକର’ ପାଇଁ ରଣଦୀପ ହୁଦାଙ୍କୁ ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ଆୱାର୍ଡ ମିଳିଛି । ‘ଭକ୍ଷକ’ ପାଇଁ ସଞ୍ଜୟ ମିଶ୍ର ଶ୍ରେଷ୍ଠ ସହ-ଅଭିନେତା ଏବଂ ରୂପାଶ୍ରୀ ଭାର୍କାଡି ( ମିଥ୍ୟା ) ଓ ସଚନା ନାମିଦାସ ( ମହାରାଜା ) ଯୁଗ୍ମ ଭାବେ ଶ୍ରେଷ୍ଠ ସହ-ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ।
ଅନ୍ୟାନ୍ୟ ମୁଖ୍ୟ ବର୍ଗରେ ‘କଳ୍କୀ ୨୮୯୮ ଏଡି’କୁ ଶ୍ରେଷ୍ଠ ମନୋରଞ୍ଜନଧର୍ମୀ ଫିଲ୍ମ, ‘କ୍ୟାପ୍ଟେନ୍ ମିଲର’କୁ ଶ୍ରେଷ୍ଠ ସାମାଜିକ/ମୂଲ୍ୟବୋଧ ଭିତ୍ତିକ ଫିଲ୍ମ ଏବଂ ‘୩୫ ଚିନ୍ନା କଥା କାଡୁ’କୁ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବେ ଚୟନ କରାଯାଇଛି । ଆଞ୍ଚଳିକ ଭାଷା ଶ୍ରେଣୀରେ ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ‘ଶ୍ରୀକାନ୍ତ’ (ହିନ୍ଦୀ), ‘ରାୟାନ୍’ (ତାମିଲ), ‘ମିଥ୍ୟା’(କନ୍ନଡ), ‘ଫେମିନିଚି ଫାତିମା’ (ମାଲାୟାଲମ୍) ଓ ‘କମିଟି କୁର୍ରୋଲୁ’(ତେଲୁଗୁ) ଭାଷାର ଶ୍ରେଷ୍ଠ ଫିଲ୍ମ ଭାବେ ପୁରସ୍କୃତ ହୋଇଛନ୍ତି । ‘ପୁଷ୍ପା ୨’ପାଇଁ ସୁକୁମାରଙ୍କୁ ଶ୍ରେଷ୍ଠ କାହାଣୀକାର ଏବଂ ସଙ୍ଗୀତ କ୍ଷେତ୍ରରେ ଶାଶ୍ୱତ ସଚଦେବ ( ଆର୍ଟିକିଲ ୩୭୦ ) ଓ ଜି.ଭି. ପ୍ରକାଶ (ଅମରନ୍ ) ପ୍ରମୁଖ ବିଜେତା ହୋଇଛନ୍ତି ।

