ଏସିଆ କ୍ରୀଡ଼ାରେ ଚତୁର୍ଥ ସ୍ଥାନରେ ଭାରତ

ଭାରତୀୟ ପୁରୁଷ ହକି ଦଳ ଚଳିତ ଆଇଚି-ନାଗୋୟା ଏସୀୟ କ୍ରୀଡ଼ାରେ ଦେଶ ପାଇଁ ଶେଷ ପଦକ ଜିତିଥିଲା। ରବିବାର ପ୍ରତିଯୋଗିତା ଶେଷ ପରେ ଭାରତ ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ ଓ ୩୭ କାଂସ୍ୟ ସହ ମୋଟ ୮୫ ପଦକ ପାଇଛି। ଗତ ହାଙ୍ଗ୍‌ଝୌ ସଂସ୍କରଣରେ ଭାରତ ୨୮ ସ୍ବର୍ଣ୍ଣ, ୩୮ ରୌପ୍ୟ ଓ ୪୦ କାଂସ୍ୟ ସହ ମୋଟ ୧୦୬ ପଦକ ଜିତି ଚତୁର୍ଥ ସ୍ଥାନରେ ରହିଥିଲା। ଏଥର ଏହାଠୁ ୨୧ କମ୍‌ ପଦକ ପାଇଥି‌ଲେ ମଧ୍ୟ ଭାରତ ସେହି ଚତୁର୍ଥ ସ୍ଥାନ ବଜାୟ ରଖିବାକୁ ସକ୍ଷମ ହୋଇଛି। ଉଜ୍‌ବେକିସ୍ତାନ ୨୧ ସ୍ବର୍ଣ୍ଣ ଜିତିଥିଲେ ମଧ୍ୟ ଅଧିକ ରୌପ୍ୟ ଥିବାରୁ ଭାରତ ଆଗରେ ରହିଛି। ଏସୀୟ କ୍ରୀଡ଼ାରେ ଭାରତର ଏହା ଦ୍ବିତୀୟ ଶ୍ରେଷ୍ଠ ପ୍ରଦର୍ଶନ। ଏହି ମହାଦେଶୀୟ କ୍ରୀଡ଼ାରେ ପୂର୍ବ ପରି ଚୀନ୍‌ର ଦବ୍‌ଦବା ଜାରି ରହିଛି। ଚୀନ୍‌ ୧୬୯ ସ୍ବର୍ଣ୍ଣ ସହ ୩୪୧ ପଦକ ପାଇଁ ଶୀର୍ଷରେ ଥିଲା ବେଳେ ଆୟୋଜକ ଜାପାନ ୮୩ ସ୍ବର୍ଣ୍ଣ ସହ ୨୬୯ ଏବଂ ଦକ୍ଷିଣ କୋରିଆ ୩୯ ସ୍ବର୍ଣ୍ଣ ସହ ୧୬୯ ପଦକ ପାଇ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ଚଳିତ ପ୍ରତିଯୋଗିତାରେ ଭାରତକୁ ସର୍ବାଧିକ ପଦକ ୨୪ ଦୌଡ଼କୁଦ (୧ ସ୍ବର୍ଣ୍ଣ, ୯ ରୌପ୍ୟ, ୧୪ କାଂସ୍ୟ)ରୁ ମିଳିଥିଲା। ତେବେ ସବୁଠୁ ଅଧିକ ସ୍ବର୍ଣ୍ଣ ୫ଟି ତୀରନ୍ଦାଜି (୨ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ୯ ପଦକ)ରୁ ଅସିଥିଲା। ବନ୍ଧୁକଚାଳକମା‌‌ନେ ୩ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୪ କାଂସ୍ୟ ସହ ମୋଟ ୧୫ ପଦକ ଜିତି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହା ପଛକୁ ମୁଷ୍ଟିଯୁଦ୍ଧ ୬ (୩ ସ୍ବର୍ଣ୍ଣ, ୩ କାଂସ୍ୟ), କୁସ୍ତି ୬ (୨ ସ୍ବର୍ଣ୍ଣ, ୨ ରୌପ୍ୟ, ୨ କାଂସ୍ୟ), ସ୍କ୍ବାସ୍‌ ୫ (୨ ରୌପ୍ୟ, ୩ କାଂସ୍ୟ) ରହିଛନ୍ତି। କବାଡ଼ି, କ୍ରିକେଟ୍‌ ଓ ହକିରୁ ୨ ଲେଖାଏଁ ସ୍ବର୍ଣ୍ଣ ଆସିଥିଲା ବେଳେ ଗଲ୍‌ଫରୁ ଗୋଟିଏ ସ୍ବର୍ଣ୍ଣ ଓ ରୌପ୍ୟ ମିଳିଥିଲା। ସେଲିଂରୁ ୧ ରୌପ୍ୟ ୨ କାଂସ୍ୟ ଏବଂ ଭାରୋତ୍ତୋଳନ ଓ ଉଷୁରୁ ଗୋଟିଏ ଲେଖାଏଁ ରୌପ୍ୟ ମିଳିଛି। ବ୍ୟାଡ୍‌ମିଣ୍ଟନ, କୁରାଶ, ମିଶ୍ରିତ ସମରକଳା, ରୋଇଂ, ସିପକ୍‌ଟାକ୍ର, ସଫ୍ଟ ଟେନିସ ଓ ଟେବୁଲ ଟେନିସରୁ ଗୋଟିଏ ଲେଖାଏଁ କାଂସ୍ୟ ପଦକ ଆସିଥିଲା।

ଏହି ପ୍ରତିଯୋଗିତାରେ ଭାରତରୁ ୨୬୪ ପୁରୁଷ ଓ ୨୩୧ ମହିଳାଙ୍କ ସହ ମୋଟ ୪୯୫ ଜଣ ଖେଳାଳି ୩୬ଟି ଖେଳରେ ଅଂଶଗ୍ରହଣ କରିଥିଲେ। ତେବେ ୨୦ଟି ଖେଳରୁ ଭାରତକୁ ପଦକ ମିଳିଥିଲା ‌ବେଳେ ୧୬ଟି କ୍ରୀଡ଼ା (କାନୋଇଂ, ସାଇକ୍ଲିଂ, ଅଶ୍ବାରୋହଣ, ଇସ୍ପୋର୍ଟସ, ଅସିଚାଳନା, ଜିମ୍ନାଷ୍ଟିକ୍ସ, ଜୁଡ଼ୋ, କରାଟେ, ରଗ୍‌ବି ସେଭେନ୍ସ, ସନ୍ତରଣ, ସ୍ପୋର୍ଟ କ୍ଲାଇମ୍ବିଂ, ସର୍ଫିଂ, ଟାଏକୋଣ୍ଡୋ, ଟେନିସ, ଟେକ୍‌ବଲ୍‌, ଭଲିବଲ୍‌)ର ଆଥ୍‌ଲେଟ୍‌ମାନେ ଖାଲି ହାତରେ ଫେରିଛନ୍ତି।

Post Views59 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!