ଏସିଆନ୍ ଗେମ୍ସ ୨୦୨୬ରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ୍। ଫାଇନାଲରେ ମାଲେସିଆକୁ ୫-୧ ଗୋଲରେ ପରାସ୍ତ କରି ଟିମ୍ ଇଣ୍ଡିଆ ସ୍ୱର୍ଣ୍ଣ ପଦକ ଜିତିଛି। ଏସିଆନ୍ ଗେମ୍ସ ଇତିହାସରେ ପୁରୁଷ ହକିରେ ଏହା ଭାରତର ପଞ୍ଚମ ସ୍ୱର୍ଣ୍ଣ ପଦକ। ମ୍ୟାଚର ଆରମ୍ଭରୁ ଉଭୟ ଟିମ୍ ମଧ୍ୟରେ ଜୋରଦାର ମୁକାବିଲା ଦେଖିବାକୁ ମିଳିଥିଲା। ମାଲେସିଆ ପକ୍ଷରୁ ଶେଲୋ ସିଲ୍ଭେରିୟସ୍ ଏକମାତ୍ର ଗୋଲ୍ କରିଥିଲେ। ଅନ୍ୟପଟେ ଭାରତୀୟ ଖେଳାଳିମାନେ ଲଗାତାର ଆକ୍ରମଣ କରି ମାଲେସିଆ ଡିଫେନ୍ସ ଉପରେ ଚାପ ସୃଷ୍ଟି କରିଥିଲେ। ମ୍ୟାଚରେ ଭାରତ ମୋଟ ୧୪ଟି ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା।
ମ୍ୟାଚର ପ୍ରଥମ ୧୫ ମିନିଟରେ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ପ୍ରଥମ କ୍ୱାର୍ଟର ୧-୧ରେ ଡ୍ର ରହିଥିଲା। ଏହାପରେ ଭାରତ ଧୀରେ ଧୀରେ ମ୍ୟାଚ୍ ଉପରେ ନିଜର ନିୟନ୍ତ୍ରଣ ବଢ଼ାଇଥିଲା। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଟିମର ଆକ୍ରମଣ ଆହୁରି ତୀବ୍ର ହୋଇଥିଲା ଏବଂ ମାଲେସିଆ ପାଇଁ ମ୍ୟାଚକୁ ଫେରିବା କଷ୍ଟକର ହୋଇପଡ଼ିଥିଲା।
ଭାରତ ପାଇଁ ଶିଲାନନ୍ଦ ଲାକ୍ରା ଏକମାତ୍ର ଫିଲ୍ଡ ଗୋଲ୍ ସ୍କୋର କରିଥିଲେ। ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରୁ ଦୁଇଟି ଗୋଲ୍ କରିଥିଲେ। ଏହା ସହ ଜୁଗରାଜ ସିଂହ ମଧ୍ୟ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇଥିଲେ। ହାର୍ଦ୍ଦିକ ସିଂହ ପେନାଲ୍ଟି ଷ୍ଟ୍ରୋକରୁ ଆଉ ଏକ ଗୋଲ୍ କରି ଭାରତର ସ୍କୋରକୁ ୫ରେ ପହଞ୍ଚାଇଥିଲେ। ଶେଷରେ ଭାରତ ୫-୧ରେ ମାଲେସିଆକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଥିଲା।

