ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚାଲିଥିଲା ଘମାଘୋଟ୍ ମ୍ୟାଚ୍ । ପ୍ରଶଂସକମାନେ ଆଶା କରିଥିଲେ ଯେ ବିରାଟଙ୍କ ବ୍ୟାଟରୁ ଏକ ବଡ଼ ଇନିଂସ ଦେଖିବାକୁ ମିଳିବ । କିନ୍ତୁ ୩୮ ବଲରେ ୫୦ ରନ୍ କରି ବିରାଟ ଆଉଟ୍ ହୋଇଯାଇଥିଲେ । ହାର୍ଦ୍ଦିକଙ୍କ ଏକ ଘାତକ ବଲ୍ରେ ବିରାଟ କ୍ୟାଚ୍ ଆଉଟ୍ ହୋଇଥିଲେ ।
ପଡ଼ିଆ ଛାଡ଼ିବା ସମୟରେ ତାଙ୍କ ମୁହଁରେ ସ୍ପଷ୍ଟ ଭାବେ ନିରାଶା ଏବଂ ଅସନ୍ତୋଷ ଦେଖାଯାଉଥିଲା । ସାଧାରଣତଃ ଖେଳାଳିମାନେ ଆଉଟ୍ ହେବା ପରେ ଶାନ୍ତ ଭାବେ ପ୍ୟାଭିଲିୟନ ଫେରିଯାଆନ୍ତି । କିନ୍ତୁ ବିରାଟ କୋହଲି ଯେତେବେଳେ ବାଉଣ୍ଡ୍ରି ଲାଇନ୍ ଅତିକ୍ରମ କରି ଡ୍ରେସିଂ ରୁମ୍ ଆଡ଼କୁ ଯାଉଥିଲେ, ସେ ନିଜକୁ ନିୟନ୍ତ୍ରଣ କରିପାରିନଥିଲେ ।
ସେଠାରେ ଥିବା କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ, କୋହଲି ପ୍ରବଳ ରାଗିଯାଇ ନିଜର ହେଲମେଟ୍କୁ ଜୋରରେ ଫିଙ୍ଗିଥିଲେ ଏବଂ ନିଜ ହାତର ଗ୍ଲୋଭସ୍କୁ ମଧ୍ୟ କାଢ଼ି ଫିଙ୍ଗି ଦେଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ନିମିଷକ ମଧ୍ୟରେ ଭାଇରାଲ ହେବାରେ ଲାଗିଛି ।
ବିରାଟଙ୍କର ଏହି ରାଗ କେବଳ ନିଜ ଉପରେ ଥିଲା । ସେ ଜଣେ ଏମିତି ଖେଳାଳି ଯିଏ ନିଜ ଖେଳକୁ ନେଇ ବହୁତ ସଚେତନ । ସେ ଚାହୁଥିଲେ ଦଳ ପାଇଁ ଏକ ବଡ଼ ସ୍କୋର ଛିଡ଼ା କରିବାକୁ, କିନ୍ତୁ ଶୀଘ୍ର ଆଉଟ୍ ହେବା ତାଙ୍କୁ ମାନସିକ ସ୍ତରରେ ଆଘାତ ଦେଇଥିଲା ।

