ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ୧୦ କୋଟି ମଞ୍ଜୁର, ସାନ୍ତାଳି ଜାତି ପ୍ରତି ପଣ୍ଡିତ ମୁର୍ମୁଙ୍କ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ତାଙ୍କ ଜୟନ୍ତୀ ବୁଦ୍ଧ ପୂର୍ଣ୍ଣିମାକୁ ମଧ୍ୟ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ମାର୍ଚ୍ଚ ୨ ଓ ୩ ଦୁଇ ଦିନ ଧରି ମୟୁରଭଂଜ ଗସ୍ତରେ ଯାଇଥିବା ବେଳେ ଦାଣ୍ଡବୋସ ଯାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପରିଦର୍ଶନ କରିଥିଲେ ଏବଂ ବାରିପଦାସ୍ଥିତ ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ମଧ୍ୟ ଯାଇଥିଲେ । ତାଙ୍କ ସ୍ମୃତି ପୀଠର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସେ ସାନ୍ତାଳି ଭାଇଭଉଣୀଙ୍କ ସହ ଆଲୋଚନା ବେଳେ ୫-ଟି ସଚିବ ପ୍ରତିଶୃତି ଦେଇଥିଲେ।
ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ସର୍ବଜନ ବିଦିତ। ପଣ୍ଡିତ ମୁର୍ମୁ ଅଲଚିକି ଲିପି ଉଦ୍ଭାବନ କରି ସାନ୍ତାଳି ସମାଜର ସାଂସ୍କୃତିକ ପରିଚୟକୁ ସୁଦୃଢ କରିଯାଇଛନ୍ତି । ସାନ୍ତାଳି ଲିପି ଏକ ବିଜ୍ଞାନ ସମ୍ମତ ଲିପି ଭାବରେ ମଧ୍ୟ ସ୍ବୀକୃତି ପାଇଛି।
ସାନ୍ତାଳି ଭାଷାରେ ଅଲିଚିକି ଲିପିରେ ସେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି କରିଛନ୍ତି । ତାଙ୍କର କାଳଜୟୀ କୃତୀ ପାଇଁ ସେ କେବଳ ସାନ୍ତାଳି ସମାଜ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ସ୍ମରଣୀୟ ହୋଇ ରହିଛନ୍ତି । ସାନ୍ତାଳି ସମାଜ ପାଇଁ ତାଙ୍କର ମହାନ ଅବଦାନ ତାଙ୍କୁ ସବୁବେଳେ ପୂଜନୀୟ କରି ରଖିଛି ।
ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତିରେ ରାଜ୍ୟ ସରକାର ବାରିପଦା ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି ।

