ବ୍ୟାଙ୍କ ଅଫ୍ ବରୋଦା (ବିଓବି) ପକ୍ଷରୁ ସ୍ଥାପନ କରାଯାଇଥିବା ରାଷ୍ଟ୍ରଭାଷା ସମ୍ମାନ ଲାଗି ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ପାରମିତା ଶତପଥୀଙ୍କ ଉପନ୍ୟାସ ‘ଅଭିପ୍ରେତ କାଳ’ ମନୋନୀତ ହୋଇଛି। ଏହି ପୁରସ୍କାର ଲାଗି ସାରା ଦେଶରୁ ୧୨ଟି ଉପନ୍ୟାସ ମନୋନୀତ ହୋଇଥିବା ବେଳେ ସେଥିରୁ ଅଭିପ୍ରେତ କାଳ ହେଉଛି ଅନ୍ୟତମ। ଏହାକୁ ହିନ୍ଦୀ ଭାଷାରେ ଅନୁବାଦ କରିଛନ୍ତି ଅଜୟ ପଟ୍ଟନାୟକ। ଅନୁବାଦକ ଭାବେ ମଧ୍ୟ ସେ ପୁରସ୍କାର ଦୌଡ଼ରେ ରହିଛନ୍ତି। ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବଦତ୍ତ ଚାନ୍ଦ ଏହି ସୂଚନା ଦେଇଛନ୍ତି।
ଅଭିପ୍ରେତ କାଳ ହେଉଛି ସବୁ ଜଣା ଓ ଅଜଣା ଲୋକମାନଙ୍କ କାହାଣୀ ଯେଉଁମାନେ ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ନିଜସ୍ବ ଉପାୟରେ ସଶକ୍ତ କରିଥିଲେ। ଏଥିରେ ଓଡ଼ିଶାର ସ୍ବାଧୀନତା ସଂଗ୍ରାମ ବିଷୟକୁ ମଧ୍ୟ ସାମିଲ କରାଯାଇଛି। ଲେଖିକା ଶ୍ରୀମତୀ ଶତପଥୀ ସେହି ସମୟର ଐତିହାସିକ ଘଟଣାଗୁଡ଼ିକୁ କାଳ୍ପନିକ ଚରିତ୍ର ମାଧ୍ୟମରେ ବର୍ଣ୍ଣନା କରିଛନ୍ତି ଯାହା ଲୋକମାନଙ୍କ ବଳିଦାନ ଓ ଗାନ୍ଧୀ ଦର୍ଶନକୁ ଉପସ୍ଥାପିତ କରୁଛି।
ଶ୍ରୀ ଚାନ୍ଦ କହିଛନ୍ତି ଯେ ପୁରସ୍କାର ଲାଗି ମନୋନୀତ ହୋଇଥିବା ପୁସ୍ତକଗୁଡ଼ିକ ମଧ୍ୟରୁ ଚୂଡ଼ାନ୍ତ ପର୍ଯ୍ୟାୟ ଲାଗି ୬ଟି ପୁସ୍ତକକୁ ଚୟନ କରାଯିବ।
ସେହି ପୁସ୍ତକଗୁଡ଼ିକର ନାମ ଜୁନ୍ ୪ରେ ଘୋଷଣା ହେବ। ଏହା ପରେ ଜୁନ୍ ୧୧ରେ ପୁରସ୍କାର ଲାଗି ଚୟନ କରାଯାଇଥିବା ବିଜୟୀ ଉପନ୍ୟାସର ନାମ ଘୋଷଣା କରାଯିବ। ବୁକର ପୁରସ୍କାର ବିଜେତା ଗୀତାଞ୍ଜଳି ଶ୍ରୀଙ୍କୁ ନେଇ ଗଠିତ ୫ ଜଣିଆ ବିଚାରକ ମଣ୍ଡଳୀ ବିଜୟୀ ଉପନ୍ୟାସ ଚୟନ କରିବେ।
ରାଷ୍ଟ୍ରଭାଷା ସମ୍ମାନରେ ୬୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଯେଉଁ ଉପନ୍ୟାସକୁ ପୁରସ୍କାର ଲାଗି ଚୟନ କରାଯିବ ତାହାର ମୂଳ ଲେଖକ/ଲେଖିକାଙ୍କୁ ୨୧ ଲକ୍ଷ ଟଙ୍କା ଏବଂ ସେହି ଉପନ୍ୟାସକୁ ହିନ୍ଦୀରେ ଅନୁବାଦ କରିଥିବା ଅନୁବାଦକଙ୍କୁ ୧୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯିବ। ଅନ୍ୟ ପାଞ୍ଚଟି ଉପନ୍ୟାସର ମୂଳ ଲେଖକ/ଲେଖିକାଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଓ ଅନୁବାଦକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ।
ଏହି ଅବସରରେ ଏକ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସାହିତ୍ୟିକା ପାରମିତା ଶତପଥୀ, ଅନୁବାଦକ ଅଜୟ ପଟ୍ଟନାୟକ ଓ ବିଓବିର ଇଡି ଶ୍ରୀ ଚାନ୍ଦ ଅଂଶଗ୍ରହଣ କରିଥିଲେ। ଭାରତୀୟ ସାହିତ୍ୟ ଉପରେ ସେମାନେ ବ୍ୟାପକ ଆଲୋଚନା କରିଥିଲେ।

