କୁମ୍ଭକର୍ଣ୍ଣ କାହାଣୀ ଆପଣ ଶୁଣିଥିବେ। ରାମାୟଣର କୁମ୍ଭକର୍ଣ୍ଣ ପ୍ରତି ୬ ମାସକୁ ଥରେ ନିଦରୁ ଉଠେ। ଖାଇବା ପିଇବା ସାରିବା ପରେ ପୁଣି ଶୋଇପଡେ। କିନ୍ତୁ ସେ ସବୁ ପୁରାଣ କଥା। କିନ୍ତୁ ବାସ୍ତବ ଜୀବନରେ ମଧ୍ୟ ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ସାମ୍ନାକୁ ଆସିଛନ୍ତି କଳିଯୁଗର କୁମ୍ଭକର୍ଣ୍ଣ। ଏହି ବ୍ୟକ୍ତି ବର୍ଷକୁ ୩୦୦ଦିନ ପର୍ଯ୍ୟନ୍ତ ଶୋଇ ରହିଥାଆନ୍ତି।
ରାଜସ୍ଥାନର ନାଗୌରର ୪୨ ବର୍ଷୀୟ ପୁରଖାରାମ ଏମିତି ଶୋଇଥାନ୍ତି। ତେବେ ଏହା ସେ କୌଣସି ସଉକରେ କିମ୍ବା ନିଜ ଇଚ୍ଛାରେ କରୁନାହାନ୍ତି ବରଂ ଏକ ରୋଗ ପାଇଁ ତାଙ୍କୁ ଏମିତି ପରିସ୍ଥିତିର ସାମ୍ନା କରିବାକୁ ପଡୁଛି। ଏକ ବିରଳ ରୋଗରେ ପୀଡିତ ସେ। ଏହି ରୋଗ ହେତୁ ଥରେ ସେ ଶୋଇପଡିଲେ ଅନେକ ଦିନ ପର୍ଯ୍ୟନ୍ତ ଉଠି ପାରନ୍ତି ନାହିଁ। ତେଣୁ ଆଖ ପାଖ ଅଞ୍ଚଳ ଲୋକେ ତାଙ୍କୁ କଳିଯୁଗର କୁମ୍ଭକର୍ଣ୍ଣ ବୋଲି କୁହନ୍ତି ଏବଂ କିଛି ଲୋକ ତାଙ୍କୁ କୁମ୍ଭକର୍ଣ୍ଣ ବୋଲି ଡାକନ୍ତି ମଧ୍ୟ। ଶୋଇବା ସମୟରେ ପୁରଖାରାମଙ୍କୁ ପରିବାରଲୋକେ ଯେତେ ଡାକିବା ପାଇଁ ଚେଷ୍ଟା କଲେ ମଧ୍ୟ ସେ ଉଠନ୍ତି ନାହିଁ।
ପୁରଖାରାମଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ସେ ଯଦି ଥରେ ଶୁଅନ୍ତି ତେବେ ୨୦ ରୁ ୨୫ ଦିନ ପର୍ଯ୍ୟନ୍ତ ଉଠନ୍ତି ନାହିଁ। ପୁରଖାରାମଙ୍କୁ ଯେତେବେଳେ ୨୩ ବର୍ଷ ହୋଇଥିଲା ସେବେଠୁ ଏହି ରୋଗ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରଖାରାମ ୫ ରୁ ୭ ଦିନ ଶୋଉଥିଲେ କିନ୍ତୁ ଧୀରେ ଧୀରେ ପୁରଖାରାମଙ୍କ ଶୋଇବା ସମୟ ବଢିଗଲା। ବର୍ତ୍ତମାନ ପୁରଖାରାମ ଏକ ମାସରେ ୨୫ ଦିନ ଶୋଇ ରହିଥାଆନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଶୋଇଥିବା ସମୟରେ ହିଁ ପରିବାର ସଦସ୍ୟ ତାଙ୍କୁ ଖାଇବାକୁ , ପିଇବାକୁ ଦେବା ସହିତ ଗାଧୋଇ ମଧ୍ୟ ଦିଅନ୍ତି।

