ବିଜେପି-ବିଜେଡି ଏକ । ଅନେକ ସମୟରେ ହେଉଥିବା ଏ ଚର୍ଚ୍ଚା ପୁଣି ପ୍ରମାଣିତ ହୋଇଛି । ଦୁଇଟି ବଡ଼ ପ୍ରସଙ୍ଗରେ ବିଜେପିକୁ ସମର୍ଥନ ଘୋଷଣା କରିଛି ବିଜେଡି । ବିରୋଧୀଙ୍କ ଦ୍ବାରା ଆଗତ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ ବୋଲି ସ୍ପଷ୍ଟ କରିଥିବାବେଳେ ଦିଲ୍ଲୀ ଅଧ୍ୟାଦେଶ ବିଲ୍ ପ୍ରସଙ୍ଗରେ ବିଜେପିକୁ ସମର୍ଥନର ହାତ ବଢାଇଛି । ଭାରତୀୟ ଜନତା ପାର୍ଟିକୁ ବିଜେଡିର ଏହି ବଡ଼ ସମର୍ଥନ ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସମଦୂରତା କଥା କହିଆସିଛନ୍ତି । ୨୦୦୯ ମସିହାରେ ବିଜେପି ସହିତ ଗଠବନ୍ଧନ ଭାଙ୍ଗିବା ପରେ ଉଭୟ କଂଗ୍ରେସ ଓ ବିଜେପିଠୁ ସମଦୂରତା ରକ୍ଷା କଥା କହି ବିଭିନ୍ନ ପ୍ରସଙ୍ଗକୁ ଏଡ଼ାଇଯାଇଛନ୍ତି ଉଭୟ ନବୀନ ଓ ବିଜେଡି । ତେବେ ୨୦୧୪ରେ କେନ୍ଦ୍ରରେ ବିଜେଡି ସରକାର ଆସିବା ପରେ ବିଜେଡିର ଆଭିମୁଖ୍ୟରେ ଅନେକ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି । ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ଖୋଲା ସମର୍ଥନ କରିଛି ବିଜେଡି । ଏପରିକି ବିଜେଡିର ହାତଧରି କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ । ରାଷ୍ଟ୍ରପତି ନିର୍ବାଚନ ହେଉ କି ଉପରାଷ୍ଟ୍ରପତି ନିର୍ବାଚନ । ସବୁ ପ୍ରସଙ୍ଗରେ ମାଗିବା ଆଗରୁ ସମର୍ଥନ ଯୋଗାଇ ଦେଇଛି ବିଜେଡି । ରାଜ୍ୟ ସ୍ବାର୍ଥ କଥା କହି ଅନେକ ସମୟରେ ବିଜେଡି ସଫେଇ ଦେଉଥିଲେ ମଧ୍ୟ ବାସ୍ତବ ସ୍ବାର୍ଥ ଆଉକିଛି ବୋଲି ଚର୍ଚ୍ଚା ହେଉଛି ।
ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସଂକୁଚିତ କରି ପ୍ରଶାନକୁ ଗୁରୁତ୍ବ ଦେବ । ସେପଟେ ମଣିପୁର ପ୍ରସଙ୍ଗ ବି ଦେଶକୁ ବିଶ୍ବସ୍ତରରେ ନିନ୍ଦିତ କରିଛି । ଆଉ ଏଭଳି ସ୍ଥଳେ ବିଜେଡି ଉଭୟ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରି କଣ ବାର୍ତ୍ତା ଦେଉଛି ? କୁହାଯାଉଛି ବିରୋଧୀ ଦଳର ତମାମ ନେତାଙ୍କ ଘରେ କେନ୍ଦ୍ରୀୟ ଏଜେନ୍ସି ବା ସିବିଆଇ ଓ ଇଡି ରେଡ୍ କରି ଡରାଇବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । ଏପଟେ ଓଡ଼ିଶାରେ କିନ୍ତୁ ସିବିଆଇ କିମ୍ବା ଇଡି ସେତେ ଆକ୍ଟିଭ ନାହାନ୍ତି । ଚିଟଫଣ୍ଡ ତଦନ୍ତରେ ବି ଅଗ୍ରଗତି ନାହିଁ । ଏଠି ପ୍ରଶ୍ନ ଉଠୁଛି, ରେଡ୍ ଭୟରେ ବିଜେଡି ବିଜେପିକୁ ବାରମ୍ବାର ସମର୍ଥନର ହାତ ବଢାଉଛି କି ?
କେନ୍ଦ୍ର ସରକାର ଓଡ଼ିଶାକୁ ବାରମ୍ବାର ଅବହେଳା କରିଆସୁଛନ୍ତି ବୋଲି ବିଜେଡି ଅଭିଯୋଗ କରୁଛି । ଧାନକିଣା, ଚାଉଳ ଉଠାଇବା, ଆବାସ, ଦରଦାମ ବୃଦ୍ଧି, ସ୍ବତନ୍ତ୍ର ରାଜ୍ୟପାହ୍ୟା, ଜାତୀୟ ରାଜପଥ ଆଦି ଅନେକ ପ୍ରସଙ୍ଗରେ ରାଜରାସ୍ତାରେ ବି ଆନ୍ଦୋଳନ ବି କରୁଛି । ହେଲେ ବିଜେପିକୁ ସମର୍ଥନ କରି ବିଜେଡି କେଉଁ ରାଜ୍ୟ ସ୍ବାର୍ଥ ଉପଲବ୍ଧୀ କରୁଛି ବୋଲି ପ୍ରଶ୍ନ ଉଠୁଛି ।

ତୃଣମୂଳସ୍ତରରେ ବିଜେପି ଓ ବିଜେଡି ଲଢେଇ କରୁଥିବା ନେତା କୁହାକୁହି ହେଉଛନ୍ତି । ହେଲେ ବାସ୍ତବ ସ୍ଥିତି ଦିଲ୍ଲୀର ଦୃଶ୍ୟକୁ ଦେଖିଲେ ବୁଝାପଡ଼ୁଛି । ଉଭୟ ଦଳର ଭିତିରିଆ ସମ୍ପର୍କକୁ ନେଇ ଏବେ ସବୁଠି ସନ୍ଦେହ ଲାଗି ରହିଛି । ବାସ୍ତବରେ ସମର୍ଥନ ରାଜନୀତି ଭିତରେ କାହାର ସ୍ବାର୍ଥ ପୂରଣ ହେଉଛି ?



