ରାଜା ଭାଇ…ନା ଯେମିତି ମଣିଷ ବି ସେମିତି । ରାଜା ଭଳି ମନ, ରାଜା ଭଳି ହୃଦୟ । ସାଧାରଣ ମଣିଷର ମନକୁ ବୁଝୁଥିବା ନିଆରା ମଣିଷଟିଏ । ନା ରାଜନୀତି ନା କୁଟନୀତି, ସେବା ନୀତିରେ ସମର୍ପିତ ହୋଇଥିବା ସେବକଟିଏ । ଆଠଗଡ଼ର ଦରଦୀ ବନ୍ଧୁଟିଏ, ସମୃଦ୍ଧି ପଥର ସାରଥିଟିଏ । କଥାରେ କୁହନ୍ତି, ରାଜନୀତି କଲେ ୫ ବରଷ…ହେଲେ ଏସବୁଠୁ ବହୁ ଦୂରରେ ଆଠଗଡ଼ର ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାର ସ୍ବାଇଁ ଓରଫ ରାଜା ଭାଇ । ରଣେନ୍ଦ୍ରଙ୍କ ଲୋକପ୍ରିୟତା ଓ ଆଠଗଡ଼ର ବିକାଶ ପାଇଁ ତାଙ୍କ ପ୍ରତିବଦ୍ଧତା ଦେଖି ପୁଣିଥରେ ଆଠଗଡ଼କୁ ତାଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ବିଜୁ ଜନତା ଦଳର ଟିକେଟ, ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଓ ଆଠଗଡ଼ବାସୀଙ୍କ ଭଲପାଇବାକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ଯ ରଖିଛନ୍ତି ରଣେନ୍ଦ୍ର । ତେବେ ଭେଟେରାନ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିରୋଧରେ ବିଜେପିରୁ ଅଭୟ ବାରିକ ଓ କଂଗ୍ରେସରୁ ମେହେଭୁବ ଅହମ୍ମଦ ଖାନ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।
ଆଠଗଡ଼ ହେଉଛି କଟକ ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା କ୍ଷେତ୍ର। ଏଠାରୁ ବହୁ ରଥୀ ମହାରଥୀ ନିର୍ବାଚନ ଲଢ଼ିଛନ୍ତି। ରାଧାନାଥ ରଥ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ନେତୃତ୍ୱ ସୃଷ୍ଟି କରିଥିବା ଏହି ଆଠଗଡ଼ କ୍ଷେତ୍ର ବିଗତ ୧୯୯୦ ମସିହାରୁ ଜନତା ଦଳ ଓ ୨୦୦୦ ମସିହାରୁ ବିଜୁ ଜନତା ଦଳର କବ୍ଜାରେ ରହିଆସିଛି। ୨୦୧୯ ନିର୍ବାଚନରେ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ୯୮ ହଜାର ୧୧୪ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ବ୍ରଜେନ୍ଦ୍ର କୁମାର ରାୟଙ୍କୁ ମିଳିଥିଲା ୪୦ ହଜାର ୧୧୯ ଖଣ୍ଡ ଭୋଟ। ଫଳରେ ବଡ଼ ବ୍ଯବଧାନରେ ରଣେନ୍ଦ୍ର ନିର୍ବାଚନ ଜିତିଥିଲେ । ଆଠଗଡ଼ରୁ ୭ ଥର ବିଧାୟକ ହୋଇଥିବା ରଣେନ୍ଦ୍ରପ୍ରତାପ ସ୍ୱାଇଁ ଏଥର ପୁଣିଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଆଶା କରାଯାଉଥିଲା ଏଥର ରଣେନ୍ଦ୍ର ପୁଅ ଆଦିତ୍ୟପ୍ରତାପ ସ୍ୱାଇଁଙ୍କୁ ଆଗକୁ ଛାଡ଼ିବେ । କିନ୍ତୁ ରାଜନୈତିକ ପାଣିପାଗକୁ ଦେଖି ରଣେନ୍ଦ୍ର ପୁଣି ଥରେ ନେତୃତ୍ୱ ନେଇଛନ୍ତି।
ରଣେନ୍ଦ୍ରଙ୍କ ନେତୃତ୍ବରେ ସେଦିନର ଅପହଞ୍ଚ, ପଛୁଆ ଆଉ ଅନୁନ୍ନତ ଆଠଗଡ଼ ଆଜି ବିକାଶର ଭାତହାଣ୍ଡି ସାଜିଛି । ସମୃଦ୍ଧିର ସ୍ପର୍ଶରେ ସୁନା ହୋଇଯାଇଛି ମାଟି । ସାକାର ହୋଇଛି ପ୍ରତି ମଣିଷର ସୁନେଲୀ ସ୍ବପ୍ନ । ଆଠଗଡ଼କୁ ବିକାଶରେ ରଙ୍ଗରେ ଭରି ସମୃଦ୍ଧିକୁ ସାଥିରେ ଆଣି ନୂଆ ଆଠଗଡ଼ ଗଢିତୋଳିଛନ୍ତି ରଣେନ୍ଦ୍ର । ମେଗା ପାନୀୟ ଜଳ ପ୍ରକଳ୍ପ, ରେଙ୍ଗାଲି, ବସଷ୍ଟାଣ୍ଡ ଆଦି ବିଭିନ୍ନ ପ୍ରସଙ୍ଗ ଲୋକଙ୍କୁ ବିଜେଡି ପ୍ରତି ଆକର୍ଷିତ କରିଛି । ଫଳରେ ଏଥର ବି ଲୋକଙ୍କ ଆଶୀର୍ବାଦ ରଣେନ୍ଦ୍ରଙ୍କ ପ୍ରତି ରହିଥିବା ରାଜନୈତିକ ବିଶାରଦମାନେ ମତ ରଖୁଛନ୍ତି । ଏଣୁ ଅଷ୍ଟମ ଥର ବିଧାୟକ ହେବାରେ ରଣେନ୍ଦ୍ର ରାସ୍ତା ସଫା ବୋଲି ବି କୁହାଯାଉଛି ।
୭୦ ବର୍ଷିୟ ରଣେନ୍ଦ୍ର ୧୯୫୩ ମସିହା ଜୁଲାଇ ପହିଲାରେ ଜନ୍ମଗ୍ରହଣ କରିଥିଲେ । ୯୦ ମସିହାରୁ ଜନତା ଦଳରୁ ରାଜନୀତି ଆରମ୍ଭ କରିଥିଲେ ରଣେନ୍ଦ୍ର । ବିଜୁ ବାବୁଙ୍କ ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜନୀତିରେ ପାଦଦେବା ସହ ୧୯୯୦ ମସିହାରେ ପ୍ରଥମ କରି ବିଧାୟତ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୫ରେ ମଧ୍ଯ ଜନତା ଦଳ ଟିକେଟରେ ସେ ଲଗାତାର ଦୁଇଥର ଲୋକଙ୍କ ଭରସା ଜିତି ବିଧାନସଭାକୁ ଆସିଥିଲେ । ଏହାପରେ ରଣେନ୍ଦ୍ର ବନିଯାଇଥିଲେ ହେଭିୱେଟ୍ । ୨୦୦୦ ଓ ୨୦୦୪ ମସିହାରେ ବିଜେଡି ଟିକେଟରେ ସେ ଲଗାତାର ଚତୁର୍ଥ ଥର ପାଇଁ ବିଧାୟକ ହୋଇ ଆଠଗଡ଼ ବିକାଶର ନୂଆ ଅଧ୍ଯାୟ ଲେଖିଥିଲେ ।
ଏହାପରେ ୨୦୦୯ ମସିହାରେ ସ୍ବଳ୍ପ ବ୍ଯବଧାନରେ ରଣେନ୍ଦ୍ରଙ୍କର ପରାଜୟ ହୋଇଥିଲା । ହେଲେ ଲୋକଙ୍କ ସେବା କରିବା ଓ ସବୁବେଳେ ଜନତାଙ୍କ ପାଖେ ରହିବା ନିଷ୍ପତ୍ତି ତାଙ୍କୁ ପୁଣି ଲୋକଙ୍କ ନିକଟତର କରିଥିଲା । ଯାହାର ପ୍ରଣା ଦେଖିବାକୁ ମିଳିଥିଲା ୨୦୧୨ ଉପନିର୍ବାଚନରେ । ଉପନିର୍ବାଚନରେ ପୁଣି ରଣେନ୍ଦ୍ର ବିଜୟ ଲାଭ କରିବା ସହ ପଞ୍ଚମ ଥର ପାଇଁ ବିଧାୟକ ହୋଇଥିଲେ । ଏହାପରେ ୨୦୧୪ ଓ ୨୦୧୯ରେ ବି ବିଜୟୀ ହୋଇ ସେ ରେକର୍ଡ ସୃଷ୍ଟି କରିଛନ୍ତି । ବିଭିନ୍ନ ସମୟରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ବି ସ୍ଥାନ ପାଇଛନ୍ତି ରଣେନ୍ଦ୍ର । ବର୍ତ୍ତମାନେ ସେ କୃଷି ଓ କୃଷକ ସଶକ୍ତିକରଣ ସହ ମତ୍ସ୍ଯ ଓ ପ୍ରାଣି ସଂପଦ ବିକାଶ ବିଭାଗର ମନ୍ତ୍ରୀ ରହିଛନ୍ତି । ଏଥର ବି ନିର୍ବାଚନରେ ରଣେନ୍ଦ୍ରଙ୍କ ସପକ୍ଷରେ ହାୱା ରହିଛି । ଆଠଗଡ଼ର ବିକାଶ ପାଇଁ ଜନତା ପୁଣି ଥରେ ରାଜାଙ୍କୁ ବିଜୟ ମୁକୁଟ ପିନ୍ଧାଇବାକୁ ମନସ୍ଥ କରିଥିବା ଚର୍ଚ୍ଚା ହେଉଛି ।

