ସ୍ଥାୟୀ ରହିବ କି ଟମାଟୋର ଚଢା ଦର?

ଏବେ ଦେଶର ଅନେକ ସହରରେ ଟମାଟୋ ପ୍ରତି କେଜି ୧୦୦ ଟଙ୍କା ବା ତା ଠୁ ଅଧିକ। ଆଚାନକ ଟମାଟୋ ଦର ବୃଦ୍ଧି ଯୋଗୁ ରୋଷେଇ ଘରର ବଜେଟ୍ ଗଡବଡ଼ ହୋଇଯାଇଛି। ତେବେ ଖାଉଟି ବ୍ୟାପାର ଡିପାର୍ଟମେଣ୍ଟ ଅଫ କଞ୍ଜ୍ୟୁମର ଆଫାୟର୍ସ ସଚିବ ରୋହିତ କୁମାର ସିଂହ ଏହାକୁ ଏକ ଅସ୍ଥାୟୀ ସମସ୍ୟା ବୋଲି କହିଛନ୍ତି।
ସିଂହ ସବୁ ବର୍ଷ ଏହି ସମୟରେ ଟମାଟୋ ଦର ଏପରି ବୃଦ୍ଧି ହୋଇଥାଏ ବୋଲି କହିଛନ୍ତି। କାରଣ ଏହା ଏକ ଏପରି ପରିବା ଯାହା ବହୁତ ଶୀଘ୍ର ଖରାପ ହୋଇଯାଇଥାଏ। ଅଚାନକ ବର୍ଷା ହୋଇଯିବା ଯୋଗୁ ଏହାର ପରିବହନ ଉପରେ ପ୍ରଭାବ ପଡିଛି। ଏଣୁ ପାଗ ସୁଧାର ସହିତ ଟମାଟୋ ଦର ମଧ୍ୟ ପୁଣି ତଳକୁ ଖସି ଆସିବ ବୋଲି ସେ କହିଛନ୍ତି। ସିଂହ କହିଛନ୍ତି ଯେ ଖାଉଟି ବ୍ୟାପାର ବିଭାଗ ନିକଟରେ ଥିବା ତଥ୍ୟ ଅନୁସାରେ ୨୭ ଜୁନ ପର୍ଯ୍ୟନ୍ତ ଟମାଟୋର ହାରାହାରି ଦର କେଜି ପିଛା ୪୬ ଟଙ୍କାରେ ବିକ୍ରି ହେଉଥିଲା। ହେଲେ ଏବେ ଏହାର ଅଧିକତମ ମୂଲ୍ୟ ୧୨୨ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଏବେ ଉତ୍ତରପ୍ରଦେଶରେ ଟମାଟୋ କେଜି ପିଛା ଦର ୮୦ ଟଙ୍କାରୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ଏହି ଦର ରହିଛି। ତେବେ ବିହାର ଓ ଝାଡଖଣ୍ଡରେ କେଜି ପିଛା ୮୦ ଟଙ୍କା ଦରରେ ଏବେ ଟମାଟୋ ବିକ୍ରି ହେଉଥିବା ବେଳେ ରାଜସ୍ଥାନରେ ୯୦ରୁ ୧୧୦ ଟଙ୍କା ଦରରେ ଟମାଟୋ ବିକାକିଣା ହେଉଛି। ତେବେ ଏହି ଦର ହ୍ରାସ ହୋଇପାରେ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ମେ ମାସରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ଟମାଟୋ କେଜିପିଛା ଦର ୧୦ ଟଙ୍କାରୁ ବି କମ୍ ଥିଲା। ଖାସ ଏହି କାରଣରୁ ଚାଷୀ ମଣ୍ଡିରେ ଟମାଟୋ କେଜି ପିଛା ୨ରୁ ୫ ଟଙ୍କା ଦରରେ ବିକ୍ରି କରୁଥିଲେ। ଏପରି ପରିସ୍ଥିତି ଉପୁଜିଥିଲା ଯେ ମଣ୍ଡିରେ ଦର ମିଳୁନଥିବାରୁ ଚାଷୀ ରାସ୍ତା ଉପରେ ଟମାଟୋ ଫିଙ୍ଗୁଥିଲେ। ହେଲେ ସମୟ ସହିତ ଋତୁ ବଦଳିଛି। ଏଣୁ ପରିବର୍ତ୍ତିତ ପରିସ୍ଥିତିରେ ଟମାଟୋର ମୂଲ୍ୟ ବୃଦ୍ଧି ହୋଇଥିଲେ ହେଁ ଏହା ବେଶି ସମୟ ପର୍ଯ୍ୟନ୍ତ ରହିବନି ବୋଲି ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ସିଂହ ଆଶା ବ୍ୟକ୍ତ କରିଛନ୍ତି। ପାଗ ବଦଳିବା ସହ ଟମାଟୋ ଦର ମଧ୍ୟ ହ୍ରାସ ହେବ ବୋଲି ସେ କହିଛନ୍ତି।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!