ବଙ୍ଗୋମୁଣ୍ଡାରୁ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ବଙ୍ଗୋମୁଣ୍ଡା ଜନସଭାରେ ପାଣ୍ଡିଆନ କହିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ବଲାଙ୍ଗୀର ଆସିଥିଲେ । ଏହାପୂର୍ବରୁ ୨୦୧୯ରେ ବଲାଙ୍ଗୀର ଆସିଥିଲେ ପ୍ରଧାନମନ୍ତ୍ରୀ । ନିର୍ବାଚନ ସମୟରେ ଆସି ବଡ ବଡ କଥା କହୁଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ପ୍ରଧାନମନ୍ତ୍ରୀ କହିଲେ, ବିଜେପି କ୍ଷମତାକୁ ଆସିଲେ ଧାନର ଏମଏସପି ୩୧୦୦ ଟଙ୍କା କରିବୁ । ୨୦୧୪, ୨୦୧୯ରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିବା ବେଳେ ସମାନ କଥା କହିଥିଲେ । କିନ୍ତୁ ଏହାକୁ ପୂରା କଲେନି ।
୧୦ ବର୍ଷ କ୍ଷମତାରେ ରହି ଚାଷୀଙ୍କୁ ଭୁଲିଗଲେ । ଚାଷୀ ଆତ୍ମହତ୍ୟା କଲେ, ଚାଷୀ ଦିଲ୍ଲୀରେ ଆନ୍ଦୋଳନ କଲେ । ସେତେବେଳେ ଚାଷୀଙ୍କ କଥା ଭାବିନଥିଲେ । କିନ୍ତୁ ଓଡ଼ିଶାରେ ବିଜେପି ଜୋରଦାର ହାରିବା ଜାଣିବା ପରେ ଚାଷୀ ଭାଇଙ୍କ କଥା ମନେ ପଡିଲା ।ସେହିଭଳି ପ୍ରଧାନମନ୍ତ୍ରୀ ଗତକାଲି ଜନସଭାରେ କହିଥିଲେ, ସୂର୍ଯ୍ୟକିରଣରୁ ସୋଲାର ଜରିଆରେ ମାଗଣାରେ ବିଜୁଳି ଯୋଗାଇବେ । ଓଡ଼ିଶାର କୋଟିଏ ଘର ମଧ୍ୟରୁ ମାତ୍ର ୩ ଲକ୍ଷ ଘରକୁ ଏହି ଯୋଜନାରେ ସାମିଲ କରିବେ । ଏଭଳି କରି ଦିନରେ ଲଣ୍ଠନ ଦେଖାଇବାକୁ ଚେଷ୍ଟା କରୁଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ମୁଖ୍ୟମନ୍ତ୍ରୀ ପୁଣିଥରେ ଯେଉଁଦିନ ଶପଥଗ୍ରହଣ କରିବେ ସେହିଦିନ ଠାରୁ ଅଥାର୍ତ ଜୁନ୍ ୯ ତାରିଖରେ ବସିବାକୁ ଥିବା ମନ୍ତ୍ରୀପରିଷଦ ବୈଠକରେ ମାଗଣା ବିଜୁଳି ଘୋଷଣା ଉପରେ ମୋହର ମାରିବେ ।
ଜୁଲାଇ ମାସରୁ ବିଜୁଳି ବିଲ୍ ଆସିବନି ବୋଲି କହିଛନ୍ତି ପାଣ୍ଡିଆନ । ଓଡ଼ିଶାରେ ଥିବା ୯୦% ପ୍ରତିଶତ ଏହି ମାଗଣା ବିଜୁଳି ପାଇବେ । କିନ୍ତୁ ଡବଲ ଇଞ୍ଜିନ ସରକାର ଦିନରେ ଲଣ୍ଠନ ଦେଖାଇବା ସରକାର । ଓଡ଼ିଶାବାସୀଙ୍କ ଭୁଆଁ ବୁଲାଇବା ପାଇଁ ମାଗଣା ବିଜୁଳି କଥା କହୁଛି ବିଜେପି ।
ଓଡ଼ିଶାଗସ୍ତରେ ଆସି ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଆୟୁଷ୍କାନ ଯୋଜନା କାହିଁକି ଲାଗୁ କରୁନାହାନ୍ତି ବିଜେଡି ସରକାର । ଯାହାର ଉତ୍ତରରେ ପାଣ୍ଡିଆନ କହିଛନ୍ତି, ଆୟୁଷ୍ମାନ ଭାରତରେ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ରହିଛି କିନ୍ତୁ ବିଏସକେୱାଇରେ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା କରିଛନ୍ତି ନବୀନ ।
ଆୟୁଷ୍ମାନ ଯୋଜନାରେ ଇନସ୍ୟୁରାନ୍ସ କମ୍ପାନି ଟଙ୍କା କମାଉଛନ୍ତି କିନ୍ତୁ ବିଏସକେୱାଇ ଯୋଜନାରେ ନବୀନ ହିତାଧିକାରୀଙ୍କୁ ସ୍ମାର୍ଟକାଡ ଦେଇଛନ୍ତି । ଏହି କାର୍ଡ ଏଟିଏମ କାର୍ଡ ଭଳି କାମ କରୁଛି । ତେଣୁ କେଉଁ କାର୍ଡ ଭଲ ତାହା ଜନସାଧାରଣ ସ୍ଥିର କରନ୍ତୁ ।

