ଘଷିପୁରା ନିର୍ବାଚନ ମଣ୍ଡଳୀରେ ଏଥର ହେବାକୁ ଯାଉଛି ଘମାଘୋଟ ଲଢ଼େଇ । ଯଦିଓ ୨୦୦୯ ନିର୍ବାଚନ ପରଠାରୁ ବିଜେଡି ଏଠାରେ ଏକପାଖିଆ ଜିତିଆସୁଛି ତେବେ ୨୦୨୪ ଲଢ଼େଇରେ ଫଳାଫଳ କିଛି ବି ହୋଇପାରେ । ଏଠାରେ ଦଳୀୟ ରାଜନୀତି ହେଉଥିଲେ ମଧ୍ୟ ଏଥର ସ୍ଵାଧୀନ ପ୍ରାର୍ଥୀ ଜିତିବାର ବେଶୀ ସମ୍ଭାବନା ରହିଛି । କାରଣ ଏଥ ନିର୍ବାଚନୀ ମଇଦାନରେ ଅଛନ୍ତି ହେଭିଓ୍ବେଟ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ । 2019ରେ ଖଣ୍ଡପଡାରୁ ବିଧାୟକ ହୋଇଥିବା ସୌମ୍ୟ ଏଥର ନିଜର ଜନ୍ମମାଟି ଘଷିପୁରାରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ସୌମ୍ୟଙ୍କୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିବାବେଳେ ଘଷିପୁରା ରାଜନୀତି ବି ଚଳଚଞ୍ଚଳ ହୋଇଛି । କୁହାଯାଉଛି ବିଜେଡିର ହେଭିଓ୍ବେଟ ବଦିନାରାୟଣ ପାତ୍ରଙ୍କୁ ସୌମ୍ୟ ଭାରି ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଘଷିପୁରା ରାଜନୀତିରେ ସୌମ୍ୟଙ୍କ ଏଣ୍ଟ୍ରି ଯେତିକି ହଠାତ୍ ସେତିକି ପ୍ରଭାବଶାଳୀ । 2019ର ଖଣ୍ଡପଡ଼ା ବିଧାୟକ ତଥା ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ । ପିତୃ ଋଣ ସୁଝିବାକୁ ଆସିଥିବା ଘଷିପୁରା ଆସିଥିବା କହିଛନ୍ତି ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ସୌମ୍ୟ । ନାମାଙ୍କନ ସମୟରେ ତାଙ୍କ ସହିତ ହଜାର ହଜାର ସମର୍ଥକ ଆସିବା ବଦ୍ରିଙ୍କ ଶିବିରରେ ହଲଚଲ୍ ସୃଷ୍ଟି କରିଛି । ଘଷିପୁରାରୁ ପ୍ରଥମ ଥର ଲଢୁଥିଲେ ବି ସୌମ୍ୟଙ୍କ କ୍ରେଜ ଆକାଶ ଛୁଆଁ । ଘଷିପୁରାବାସୀଙ୍କ ଅନୁରୋଧ କ୍ରମେ ହିଁ ସୌମ୍ୟ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି । ଏଣୁ ସୌମ୍ୟଙ୍କ ସପକ୍ଷରେ ବିରାଟ ଗୋଷ୍ଠୀ ରହିଥିବା କୁହାଯାଉଛି । ଫଳରେ ସୌମ୍ୟଙ୍କ ବିଜୟ ଅବଶ୍ୟମ୍ଭାବୀ ବୋଲି ରାଜନୈତିକ ବିଶାରଦମାନେ ଆକଳନ କରୁଛନ୍ତି ।
ପୂର୍ବେ ଘଷିପୁରାରେ ଯେତେବେଳେ ଭୋଟରଙ୍କୁ କଂଗ୍ରେସ କିମ୍ବା ବିଜେପିର ପ୍ରାର୍ଥୀ ପସନ୍ଦ ନ ଥିଲେ ସେତେବେଳେ ସ୍ଵାଧୀନ ପ୍ରାର୍ଥୀ ବଦ୍ରିଙ୍କ ଉପରେ ସମର୍ଥନ ଅଜାଡ଼ି ଦେଇଥିଲେ ଜନସାଧାରଣ । ୨୪ ବର୍ଷ ପରେ ପୁଣି ଜଣେ ସ୍ଵାଧୀନ ପ୍ରାର୍ଥୀ ଭାବେ ସୌମ୍ୟ ଏଠାରେ ବାଜି ପଲଟାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଫରକ ହେଲା ସେତେବେଳେ ସ୍ଵାଧୀନ ପ୍ରାର୍ଥୀ ଥିଲେ ବର୍ତ୍ତମାନର ବିଜେଡି ପ୍ରାର୍ଥୀ ବଦ୍ରି ପାତ୍ର ଏଥର ସ୍ଵାଧୀନ ପ୍ରାର୍ଥୀ ହୋଇଛନ୍ତି ସୌମ୍ୟ । ସୌମ୍ୟଙ୍କ ସହ ବିଜେଡିର କିଛି ନେତା ଓ କର୍ମୀଙ୍କ ସହ କଂଗ୍ରେସର ପୁରୁଣା ସମର୍ଥକ ବି ଯୋଡ଼ି ହୋଇଛନ୍ତି । ଏହା ସହିତ ବିଜେପିର ଭୋଟ୍ ବି ବିଭାଜନ କରିବାକୁ ସେ ଉଦ୍ୟମ ଚଳାଇଛନ୍ତି। କେନ୍ଦୁଝରରେ ବୈତରଣୀ କୂଳରେ ଥିବା ଏ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଆଶୀର୍ବାଦରେ ନିର୍ବାଚନ ଜିତିବେ ବୋଲି ସୌମ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
୨୦୦୯ରେ ରାମଚନ୍ଦ୍ରପୁର ନିର୍ବାଚନ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ହୋଇ ଘଷିପୁରା ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା। ହେଲେ ତା’ ପୂର୍ବରୁ କଂଗ୍ରେସ ଓ ଅଣ କଂଗ୍ରେସ ପ୍ରାର୍ଥୀଙ୍କ ତୀବ୍ର ଲଢ଼େଇ ଦେଖିଛନ୍ତି ଏ ନିର୍ବାଚନ ମଣ୍ଡଳୀ ବାସିନ୍ଦା। କେତେବେଳେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇଛନ୍ତି ତ କେତେବେଳେ ସ୍ଵାଧୀନ ପ୍ରାର୍ଥୀଙ୍କ ମୁଣ୍ଡରେ ସୁନାକଳସ ଢାଳିଛନ୍ତି ଭୋଟର । ଏଠାରେ କଂଗ୍ରେସର ବହୁତ ଦବଦବା ଥିଲେ ମଧ୍ୟ ଏକାଧିକ ଥର ଏହାର ପ୍ରାର୍ଥୀ ଜନତାଦଳ ଓ ବିଜେଡି ଆଗରେ ହାର୍ ମାନିଛନ୍ତି। ଏବେ ତୃତୀୟ ଶକ୍ତି ଭାବେ ବିଜେପି ମଧ୍ୟ ଉଭା ହୋଇଛି।
ପ୍ରାୟ ଅଢ଼େଇ ଦଶନ୍ଧି ହେଲା ରାମଚନ୍ଦ୍ରପୁର ତଥା ଘଷିପୁରାରେ ବଦ୍ରି ନାରାୟଣ ପାତ୍ର ଓ ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ହିଁ ଲଢ଼େଇ ହୋଇ ଆସୁଛି। ଏଥର ନିରଞ୍ଜନ ଏଠାରୁ ଲଢୁନାହାନ୍ତି। ତେଣୁ ଏଥର ବଦ୍ରି ପୁଣି ଏକପାଖିଆ ନିର୍ବାଚନ ଜିତିବେ ବୋଲି ଆଶା ବାନ୍ଧି ଥିଲେ। କିନ୍ତୁ ପ୍ରାର୍ଥିପତ୍ର ଦାଖଲ ସରିବା ପରେ ସ୍ଥିତିରେ ବଡ଼ ପରିବର୍ତ୍ତନ ହୋଇଛି। ଏଥର ଭୋଟ ଧୃବୀକରଣ ହେବାର ସମ୍ଭାବନା କମ, ବରଂ ଭୋଟ୍ ବିଭାଜନ ହେବାର ବଡ଼ ସମ୍ଭାବନା ସୃଷ୍ଟି ହୋଇଛି। ୨୦୦୦ରେ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ହୋଇଥିବା ବେଳେ ଏ ଆସନ ବିଜେପି ଭାଗରେ ପଡ଼ିଥିଲା। ଜନତା ଦଳର ଜଣେ ଟାଣୁଆ ନେତା ଥିଲେ ମଧ୍ୟ ବିଜେଡି ଏ ଆସନକୁ ଛାଡ଼ି ଦେଇଥିଲା। ବଦ୍ରିନାରାୟଣ ପାତ୍ର ଏଠାରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏଥିରେ ନିରଞ୍ଜନ ଓ ବିଜେପି ପ୍ରାର୍ଥୀ ଅକ୍ଷୟ ମିଶ୍ରଙ୍କୁ ଚକ୍ମା ଦେଇ ବିଧାନସଭାକୁ ପୁଣି ଫେରିଥିଲେ। ୨୦୦୪ରେ ମଧ୍ୟ ସମାନ ଘଟଣା ଘଟିଥିଲା। ବଦ୍ରି ପୁଣି ସ୍ଵାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ। ନିରଞ୍ଜନ ପଟ୍ଟନାୟକଙ୍କଠାରୁ ମାତ୍ର ୪୮୨ ଭୋଟ୍ରେ ହାରିଯାଇଥିଲେ। ବିଜେପି ପୁଣି ତୃତୀୟ ସ୍ଥାନରେ ରହିଥିଲା। ୨୦୦୯ରେ ମେଣ୍ଟ ଭାଙ୍ଗିଥିଲା ଓ ସେବେଠାରୁ ଘଷିପୁରାରୁ ବଦ୍ରି ଏକପାଖିଆ ଜିତିଆସୁଛନ୍ତି।
ଏଥର କିନ୍ତୁ ଘଷିପୁରାରେ ପରିବର୍ତ୍ତନର ଆଭାସ ମିଳୁଛି । ବଦ୍ରି ଓ ତାଙ୍କ ପରିବାର ବିରୋଧରେ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବୃଦ୍ଧି ପାଇଛି । ନିର୍ବାଚନମଣ୍ଡଳୀରେ ବଦ୍ରିଙ୍କ ବିରୋଧୀ ହାଓ୍ବା ବହୁଛି ।
ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ରହିଛି । ତେଣୁ ଏଥର ଆଉ ଏକପାଖିଆ ଫଳାଫଳ ହେବନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ଘଷିପୁରା ନିର୍ବାଚନ ମଣ୍ଡଳୀରେ ସନାତନ ମହାକୁଡ଼ଙ୍କର ମଧ୍ୟ ପ୍ରଭାବ ରହିଛି । ସନା ସେନା ନାମରେ ତାଙ୍କର ଏକ ସଂଗଠନ ଏଠାରେ ଲୋକଙ୍କ ସହ ଯୋଡ଼ି ହୋଇଛି । କିନ୍ତୁ ସନା ଓ ବଦ୍ରିଙ୍କ ମଧ୍ୟରେ ସମ୍ପର୍କ ସେତେ ବେଶୀ ଭଲ ନାହିଁ । ସୌମ୍ୟଙ୍କ ନାମାଙ୍କନ ସମୟରେ ସନା ସମର୍ଥକ ସାମିଲ ହୋଇଥିବାରୁ ସୌମ୍ୟଙ୍କ ବିଜୟ ଆଶା ବହୁଗୁଣିତ ହୋଇଛି ।
ସୌମ୍ୟଙ୍କ ଭଳି ଜଣେ ଜ୍ଞାନୀ ଓ ଅଭିଜ୍ଞ ରାଜନେତାଙ୍କୁ ଘଷିପୁରାବାସୀ ପସନ୍ଦ କରୁଛନ୍ତି । ତାଙ୍କ ଭଳି ବ୍ୟକ୍ତିତ୍ବଙ୍କୁ ସୁଯୋଗ ଦେବାକୁ ସମସ୍ତେ ଚାହୁଁଥିବା କହିଛନ୍ତି । ନିର୍ବାଚନ ମଣ୍ଡଳୀରେ ଏକଛତ୍ରବାଦ ଓ ଅପରାଧତନ୍ତ୍ରକୁ ହଟାଇବାକୁ ଏଥର ସୌମ୍ୟ ବୋଲି ଏଖ ହାଓ୍ବା ମଧ୍ୟ ସୃଷ୍ଟି ହୋଇଛି । ଏବେ ମଇଦାନରେ ଜୋରଦାର ପ୍ରଚାର ଚାଲିଥିବାବେଳେ ସୌମ୍ୟଙ୍କ ସପକ୍ଷରେ ଜନମତ ବୃଦ୍ଧି ପାଉଛି । ଆଗକୁ ବାଜି ପଲଟିବା ସହ ସୌମ୍ୟ ବାଜିମାତ କରିବାର ଆଶା ରଖିଛନ୍ତି ଅଞ୍ଚଳବାସୀ ।

