ସବୁଠି ବିରୋଧ, ସବୁଠି ଅସନ୍ତୋଷ । କେବଳ ସାଧାରଣ ଜନତା ନୁହେଁ ବରଂ ଦଳୀୟ କର୍ମୀ ମଧ୍ୟ ଗୋ ବ୍ୟାକ୍ ନାରା ପକାଇଲେଣି । ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଏଭଳି ସ୍ଥିତିର ସାମ୍ନା କରୁଥିବାର ଦେଖିବାକୁ ମିଳୁଛି । ରାଜନୀତିର ଏହି ଦୃଶ୍ୟପଟ୍ଟ ଅପରାଜିତାଙ୍କ ମନରେ ଭୟ ସୃଷ୍ଟି କରିଥିବା କୁହାଯାଉଛି । କାରଣ କୌଣସି ରାଜନେତା ଚାହାନ୍ତିନି ତାଙ୍କୁ କେହି ବିରୋଧ କରୁ । କିନ୍ତୁ ଦଳୀୟ କର୍ମୀ ଯେତେବେଳେ ନେତାଙ୍କୁ ବିରୋଧ କରୁଥିବାର ଦେଖିବାକୁ ମିଳୁଛି ସେତେବେଳେ ଗୋଟିଏ କଥାକୁ ନେଇ ଚର୍ଚ୍ଚା ବଢୁଛି ତାହା ହେଲା ଅପରାଜିତାଙ୍କ ପାଇଁ ଅଲ୍ ଇଜ୍ ନଟ୍ ୱେଲ । ପୂର୍ବରୁ ମୁଁ ନାରାକୁ ନେଇ ଆଗକୁ ବଢୁଥିବା ଅପରାଜିତା ଏବେ ଜନତାଙ୍କ ଶରଣରେ ପଶିବା ଆରମ୍ଭ କରିଥିବା କୁହାଯାଉଛି । ଅଥାର୍ତ କେଉଁଠି ନା କେଉଁଠି ଅପରାଜିତାଙ୍କୁ ପରାଜୟର ଭୟ ଘାରିଥିବା କୁହାଯାଉଛି । ଯେଉଁଥିପାଇଁ ଏବେ ଅପରାଜିତା ବିଭିନ୍ନ ଆଡେ କହି ବୁଲୁଛନ୍ତି ମୋ ପାଇଁ ଜନତା ନିର୍ବାଚନ ଲଢିବେ । ଅବଶ୍ୟ ଏହି ପଂକ୍ତିକୁ ମନମୋହନଙ୍କ ଠାରୁ ଅପରାଜିତା ଉଦ୍ଧାର କରିଥିବା କୁହାଯାଏ ।
ମନମୋହନ ସଭାପତି ଦାୟିତ୍ୱ ନେବାର ଦିନ କେଇଟା ପରେ କହି ବୁଲିବା ଆରମ୍ଭ କରିଥିଲେ ଯେ, ଏଥର ଆମ ଦଳ ନୁହେଁ ଜନତା ଆମ ପାଇଁ ନିର୍ବାଚନ ଲଢିବେ । ଆଉ ଏଭଳି କଥା କହିବାକୁ ମନମୋହନ ବାଧ୍ୟ ହୋଇଥିଲେ ବୋଲି ଶୁଣିବାକୁ ମିଳେ । କାରଣ ବିଜେପି ଦଳର ସାଙ୍ଗଠନିକ ସ୍ଥିତି ଦେଖିବା ପରେ ଜନତାଙ୍କ ଶରଣରେ ପଶିବା ଛଡା ମନମୋହନଙ୍କ ପାଖରେ ଆଉ କିଛି ଚାରା ନଥିଲା ବୋଲି କୁହାଯାଏ । ଠିକ୍ ସମାନ ସ୍ଥିତି ଏବେ ଅପରାଜିତାଙ୍କ ପାଇଁ ଉପୁଜିଥିବା କୁହାଯାଉଛି । ଏମିତିରେ ଅପରାଜିତା ଦଳୀୟ ଲାଇନରେ ନ ଚାଲି ଏକଛତ୍ରବାଦୀ ନୀତି ଆପଣାଉଥିବାରୁ ଦଳୀୟ କର୍ମୀ ତାଙ୍କୁ ପସନ୍ଦ କରୁନଥିବା କୁହାଯାଏ । ତା ଛଡା ୨୦୧୯ ନିର୍ବାଚନ ପରେ ଦଳୀୟ କର୍ମୀଙ୍କୁ ଅପରାଜିତା ଯେଉଁଭଳି ଅବହେଳା କରିଛନ୍ତି ତାହାର ପରିମାଣସ୍ୱରୂପ ଏବେ ତାଙ୍କ ଠାରୁ କର୍ମୀ ଦୂରଛଡା ଦେବା ସହ ଅପରାଜିତାଙ୍କୁ ପୁଣି ଥରେ ପ୍ରାର୍ଥୀ କରାଗଲେ ଦଳ ପାଇଁ କାମ କରିବୁନି ବୋଲି ରୋକଠୋକ ଶୀର୍ଷ ନେତୃତ୍ୱଙ୍କୁ ଜଣାଇଥିବା ଚର୍ଚ୍ଚା ହେଉଛି ।

ଅପରାଜିତା ନିଜର ଭଡା ଟିମ ସହ ଦଳୀୟ ଫୋରମରୁ ବାହାରି କାର୍ଯ୍ୟକ୍ରମ କରୁଥିବା କୁହାଯାଉଛି । ସ୍ଥିତି ଏମିତି ହୋଇଛି ଯେ, ଅପରାଜିତାଙ୍କ ପାଇଁ ଦଳୀୟ କର୍ମୀ ଆଗାମୀ ନିର୍ବାଚନରେ କାମ କରିବାକୁ ନାକ ଟେକୁଥିବା ଶୁଣିବାକୁ ମିଳୁଛି । କର୍ମୀଙ୍କ ବିନା ନିର୍ବାଚନ ମୈଦାନକୁ ଓହ୍ଲାଇବା ଅର୍ଥ ପରାଜୟକୁ ହୁଇସିଲ ମାରି ଡାକିବା ସହ ସମାନ । କର୍ମୀଙ୍କ ବିନା ଅପରାଜିତା ଏବେ କାଳେ ନିଜ ପରାଜୟର ଆଭାସ ପାଇଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଜନତା ମୋ ପାଇଁ ନିର୍ବାଚନ ଲଢିବେ ବୋଲି କହି ବୁଲୁଥିବା ଶୁଣିବାକୁ ମିଳୁଛି । କିନ୍ତୁ ଦଳୀୟ କର୍ମୀଙ୍କ ଅପେକ୍ଷା ସାଧାରଣ ଜନତା ଅପରାଜିତାଙ୍କ ଉପରେ ଅଧିକ ଖପ୍ପା ଥିବାର ଅନେକ ସମୟରେ ଦେଖିବାକୁ ମିଳିଛି । ଗତ ୪ ବର୍ଷରେ ଅପରାଜିତା ଭୁବନେଶ୍ୱର ପାଇଁ କଣ କରିଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।
ଏପରିକି ପ୍ରେସମିଟ୍ ଜରିଆରେ ଖାଲି ଶସ୍ତା ରାଜନୀତି ଛଡା ଅପରାଜିତା ଭୁବନେଶ୍ୱରବାସୀଙ୍କ ପାଇଁ ମାଟି ମୁଠାଏ ପକାଇଛନ୍ତି କି ବୋଲି ସାଧାରଣ ଜନତା ପ୍ରଶ୍ନ କରୁଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ଅପରାଜିତାଙ୍କ ପାଇଁ ଜନତା ନିର୍ବାଚନ ଲଢିଲେ ତାଙ୍କର ପରାଜୟ ନିଶ୍ଚିତ ବୋଲି କୁହାଯାଉଛି । ତେଣୁ ଅପରାଜିତାଙ୍କର ଏହି ନାରା ତାଙ୍କ ପାଇଁ ବୁମେରାଂ ହେବ ବୋଲି ଚର୍ଚ୍ଚା ହେଉଛି ।



