ଆଜି ଗୁରୁ ଦିବସ । ଗୁରୁ ସବୁବେଳେ ପୂଜନୀୟ, ବନ୍ଦନୀୟ । ସବୁ ସମୟରେ ଗୁରୁଙ୍କ ସ୍ଥାନ ସର୍ବଦା ଶୀର୍ଷରେ ରହିଛି।ଗୁରୁ ହିଁ ସମାଜ ଗଠନରେ ମୂଳ ଭୂମିକା ଗ୍ରହଣ କରିଥାନ୍ତି । ଗୁରୁ ଯୋଗୁଁ ଶିଷ୍ୟଟି ସଠିକ ବାଟରେ ଯିବା ସହ ନିଜ ଭବିଷ୍ୟତ ଉଜ୍ଜ୍ୱଳ କରିବାରେ ସକ୍ଷମ ହୋଇଥାଏ । ଅଜ୍ଞାନ ରୂପକ ଅନ୍ଧକାରରୁ ଯିଏ ଆଲୋକ ଦେଖାନ୍ତି, ସେ ହିଁ ଗୁରୁ। ବାପାମା’ଙ୍କ ପରେ ଗୁରୁ ହିଁ ଜୀବନରେ ଆଗକୁ ବଢ଼ିବା ପାଇଁ ସଠିକ୍ ମାର୍ଗ ଦେଖାଇଥାନ୍ତି। ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ, ଶୃଙ୍ଖଳିତ କରିବାରେ ତାଙ୍କ ଅବଦାନ ଥାଏ ଖୁବ୍ ଗୁରୁତ୍ବପୂର୍ଣ୍ଣ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ କେତେ ଯେ ପରିବ୍ୟାପ୍ତ, ତାହାର ଆକଳନ କରିବା କଷ୍ଟ । ଆମ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ଭାବେ ପାଳନ କରାଯାଏ। ଭାରତର ଦ୍ଵିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମତିଥିରେ ପାଳିତ ହୁଏ ଗୁରୁ ଦିବସ | ରାଧାକ୍ରିଷ୍ଣନଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା। ତାଙ୍କର ଜନ୍ମତିଥିକୁ ଗୁରୁ ଦିବସ ଭାବରେ ପାଳନ କରାଯାଉଛି।

