ଲୋକସଭାରେ ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେବା ଅବସରରେ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ପ୍ରଦାନ ଦାବି କରିଛନ୍ତି ବିଜେଡିର ଲୋକସଭା ନେତା ପିନାକୀ ମିଶ୍ର। ରାଜ୍ୟ ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ସ୍ବତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦିଆଯାଉ ବୋଲି ଦାବି କରିବା ସହିତ ପୂର୍ବରୁ ଓଡ଼ିଶାର ଏହି ଦାବିକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବିଭିନ୍ନ ମଞ୍ଚରେ ଉପସ୍ଥାପନ କରାଯାଇଥିବା ଶ୍ରୀ ମିଶ୍ର ସ୍ମରଣ କରାଇଥିଲେ। ଆଲୋଚନା ଅବସରରେ ପିନାକୀ ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଅନ୍ତର୍ଗତ ରାଜ୍ୟମାନଙ୍କୁ ପାଣ୍ଠି ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ପଞ୍ଚଦଶ ଅର୍ଥ ଆୟୋଗ ଓଡ଼ିଶାକୁ ୨୦୨୨-୨୩ ଓ ୨୦୨୫-୨୬ ପାଇଁ ୧୭୭୫ କୋଟି ଟଙ୍କା ପ୍ରଦାନ ପାଇଁ ସୁପାରିସ କରିଥିଲେ। ଏଥିରୁ ୮୦୦ କୋଟି ଟଙ୍କା ବାତ୍ୟାପ୍ରବଣ ଜିଲ୍ଲାମାନଙ୍କରେ ଆଗୁଆ ସତର୍କତା ସୂଚନା ବ୍ୟବସ୍ଥା ସ୍ଥାପନ ପାଇଁ ରହିଥିଲା। ଅର୍ଥ ରାଶିକୁ ବର୍ତ୍ତମାନ ସୁଦ୍ଧା ରିଲିଜ କରାଯାଇନାହିଁ। ଏହି ଅର୍ଥ ରାଶିକୁ ଶୀଘ୍ର ପ୍ରଦାନ ପାଇଁ ସେ ଦାବି କରିଥିଲେ। କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅନ୍ତର୍ଗତ ରାଜ୍ୟକୁ କେତେ ଅର୍ଥ ଯୋଗାଇ ଦିଆଯିବ ସେ ନେଇ ଆଗୁଆ ସଂକେତ ଦେବା ଏବଂ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ ବିକଶିତ କରିବା ପାଇଁ ପିନାକୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

