ସମଗ୍ର ବିଶ୍ୱର ଆଦିପୁରୁଷଙ୍କ ବିବିଧ ବେଶକୁ ଲକ୍ଷ୍ୟ କଲେ ତାଙ୍କ ମହାନୁଭବତା, ଉଦାରତା ତଥା ପ୍ରେମମୟତା ଏବଂ ସହୃଦୟତାର ପରିଚୟ ମିଳିଥାଏ। ଭଗବାନ ବିଷ୍ଣୁଙ୍କ ପ୍ରସିଦ୍ଧ ଅବତାର ହେଲେ ଚବିଶ। ଶ୍ରୀଜଗନ୍ନାଥ ସ୍ୱୟଂ ଅବତାରୀ ହୋଇଥିବାରୁ ତାଙ୍କର ପ୍ରସିଦ୍ଧ ବେଶ ଚବିଶ ବୋଲି କୁହାଯାଏ। କିନ୍ତୁ ଠାକୁରଙ୍କର ଏହାଠୁ ଅଧିକ ବେଶ ହୋଇଥାଏ। ଏହି ଚବିଶ ବେଶ ବର୍ଷର ବିଭିନ୍ନ ମାସ ଓ ତିଥି ଅନୁସାରେ ପାଳିତ ହୋଇଥାଏ। ମହାବାହୁଙ୍କ ୨୪ ବେଶ ମଧ୍ୟରୁ ରାମ-୧, ଗଣେଶ-୧, ବାମନ-୨, ନରସିଂହ-୧, ଶ୍ରୀକୃଷ୍ଣ-୭ ଓ ସ୍ୱୟଂ ଜଗନ୍ନାଥଙ୍କ ୧୨ଟି ବେଶ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ବେଶ ବା ଶୃଙ୍ଗାର ମଧ୍ୟରେ ବସ୍ତ୍ର ଶୃଙ୍ଗାର ବା ସିଂଗାର, ଭୂଷଣ ଶୃଙ୍ଗାର ଓ ପୁଷ୍ପ ଶୃଙ୍ଗାର ଅନ୍ତର୍ଭୁକ୍ତ। ବସ୍ତ୍ର ଶୃଙ୍ଗାରର ଅର୍ଥ ହେଲା ବାର ଅନୁସାରେ ଠାକୁର ବିଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରିବା। ଏହି ନିୟମରେ ମହାପ୍ରଭୁ ରବିବାର-ଲାଲ ବସ୍ତ୍ର (ରକ୍ତ ବର୍ଣ୍ଣ), ସୋମବାର କଳାଛିଟ ଥିବା ଧଳାରଙ୍ଗର ବସ୍ତ୍ର, ମଙ୍ଗଳବାର-ବାରପଟିଆ (ପାଞ୍ଚରଙ୍ଗ) ବସ୍ତ୍ର, ବୁଧବାର-ନୀଳବସ୍ତ୍ର, ଗୁରୁବାର-ପୀତରଙ୍ଗର ବସ୍ତ୍ର, ଶୁକ୍ରବାର-ଶ୍ୱେତ ବସ୍ତ୍ର ଏବଂ ଶନିବାର- କୃଷ୍ଣରଙ୍ଗର ବସ୍ତ୍ର ପରିଧାନ କରିଥା’ନ୍ତି। ଭୂଷଣ ଶୃଙ୍ଗାରରେ ବିଭିନ୍ନ ଅମୂଲ୍ୟ ରତ୍ନ, ମଣି, ମାଣିକ ଓ ସୁବର୍ଣ୍ଣ ଆଦିରେ ଠାକୁରମାନଙ୍କୁ ସିଙ୍ଗାର କରାଯାଏ। ପୁଷ୍ପ ଶୃଙ୍ଗାର କହିଲେ ବିଭିନ୍ନ ସୁଗନ୍ଧିତ ଫୁଲରେ ଅଳଙ୍କାର ଓ ମାଳା ଆଦି କରି ଠାକୁରମାନଙ୍କୁ ସୁନ୍ଦର ଭାବେ ସଜେଇ ଦେବା। ତୁଳସୀ, ଦୟଣା ଓ ଚନ୍ଦନ, କର୍ପୂର ଆଦି ମଧ୍ୟ ଏହି ବେଶର ଅନ୍ୟସବୁ ଉପାଦାନ।
ଅବକାଶ ବା ତଡ଼ପ ଉତୁରୀ ବେଶ
ପ୍ରାତଃକାଳରେ ନିତ୍ୟକର୍ମ ସମୟରେ ଠାକୁରମାନେ ଯେଉଁ ବେଶ ହୋଇଥା’ନ୍ତି, ତାହା ଅବକାଶ ବେଶ। ଏହି ବେଶରେ ଠାକୁରମାନେ ଗାମୁଚ୍ଛା ପରି ଧଳାବସ୍ତ୍ର ପରିଧାନ କରନ୍ତି। ସେଥିରେ ହଳଦିଆ ବା କମଳାରଙ୍ଗ ଧଡ଼ି ଥାଏ। ବଡ଼ଠାକୁର ଦୁଇଟି, ଶ୍ରୀଜଗନ୍ନାଥ ଦୁଇଟି, ଦେବୀ ସୁଭଦ୍ରା ଗୋଟିଏ ଓ ସୁଦର୍ଶନ ମହାରାଜା ଗୋଟିଏ ବସ୍ତ୍ର ପରିଧାନ କରିଥା’ନ୍ତି। ସ୍ନାନାନ୍ତେ ଠାକୁରମାନେ ପାଟବସ୍ତ୍ର ପରିଧାନ କରିଥା’ନ୍ତି। ଏହି ବେଶ ପ୍ରତିଦିନ ଅନୁଷ୍ଠିତ ହୋଇଥାଏ।
ଚନ୍ଦନଲାଗି ବେଶ
ଚନ୍ଦନଲାଗି ବେଶ ପ୍ରତିଦିନ ରତ୍ନ ସିଂହାସନ ଉପରେ ହୋଇଥାଏ। (ଗୁଣ୍ଡିଚା ସମୟକୁ ବାଦ୍ ଦେଇ) ପ୍ରତ୍ୟହ ସନ୍ଧ୍ୟାଧୂପ ପରେ ଠାକୁରମାନଙ୍କ ଚନ୍ଦନ ଲାଗି ପାଇଁ ରାତ୍ର ୧୦ଟା ନିର୍ଦ୍ଧାରିତ ସମୟ। ଏହି ବେଶ ପ୍ରତିଦିନ ଅନୁଷ୍ଠିତ ହେଉଥିଲେ ବି ବୈଶାଖ ଅକ୍ଷୟ ତୃତୀୟାଠାରୁ (ଚନ୍ଦନ ଯାତ୍ରା) ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ବହୁ ଆଡ଼ମ୍ବରର ସହିତ ବିଧି ବ୍ୟବସ୍ଥାକୁ ଅନୁସରଣ କରି ଏହା ହୁଏ। ବିଶେଷକରି ୨୧ ଦିନ ବାହାର ଚଳନରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ୨୦ଟି ବେଶ ହୋଇଥା’ନ୍ତି।
ବଡ଼ ସିଂହାର ବେଶ
ରତ୍ନସିଂହାସନ ବଡ଼ଠାକୁର- ୪ଖଣ୍ଡ, ଜଗନ୍ନାଥ ମହାପ୍ରଭୁ ୪ ଖଣ୍ଡ, ଦେବୀ ସୁଭଦ୍ରା- ୩ଖଣ୍ଡ, ସୁଦର୍ଶନ, ଭୂଦେବୀ, ଶ୍ରୀଦେବୀ- ୧ ଖଣ୍ଡ ଲେଖାଏଁ ବାରଲାଗି ପାଟ ପରିଧାନ କରନ୍ତି। ନୀଳମାଧବଙ୍କ ପାଇଁ ଅଲଗା ଏକ ବସ୍ତ୍ରରେ ଶୃଙ୍ଗାର କରାଯାଏ। ଏହି ବାରଲାଗି ପାଟକୁ ଗୀତଗୋବିନ୍ଦ ଖଣ୍ଡୁଆ କୁହାଯାଏ। କାରଣ ଏହି ବସ୍ତ୍ରରେ ଗୀତଗୋବିନ୍ଦର ଶ୍ଳୋକ ବୁଣାଯାଇଥାଏ। ତିନିଠାକୁରଙ୍କ ଶିରରେ ଶିରକପଡ଼ା ପକାଯାଏ। କପଡ଼ାର ରଙ୍ଗ ଧଳା ମାତ୍ର ବଡ଼ଠାକୁରଙ୍କ କପଡ଼ାର ଧଡ଼ି ନୀଳ ହୋଇଥିବା ବେଳେ ଜଗନ୍ନାଥଙ୍କ ହଳଦିଆ ଓ ସୁଭଦ୍ରାଙ୍କ ନାଲି।
ଗଜ ଉଦ୍ଧାରଣ ବେଶ
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏହି ବେଶ ମାଘପୂର୍ଣ୍ଣିମା ଦିନ ଅନୁଷ୍ଠିତ ହୋଇଥାଏ। ପୁରାଣ ପରମ୍ପରା କହେ ଏହି ଦିନ ବହୁବର୍ଷ ପୂର୍ବେ ବିଷ୍ଣୁ ଜଗନ୍ନାଥ ଆର୍ତ୍ତଭକ୍ତ ଗଜକୁ କୁମ୍ଭୀର କବଳରୁ ଉଦ୍ଧାର କରିଥିଲେ। ଏହି ବେଶରେ ଦୁଇଟି ଗଜର ବିଗ୍ରହ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ସମ୍ମୁଖରେ ରଖାଯାଏ। ଭାଗବତର ଗଜସ୍ତୁତି ପାଠ କରାଯାଏ।
ରାଜା ବେଶ / ସୁନା ବେଶ
ସୁନାବେଶର ଅନ୍ୟ ନାଁ ବଡ଼ ତଡ଼ଉ ବେଶ। ତଡ଼ଉ କହିଲେ ସୁନାକୁ ବୁଝାଏ। ଜଗନ୍ନାଥ ହେଲେ ରାଜାଧିରାଜ। ସେମିତି ତାଙ୍କ ରାଜା ବେଶ, ସମସ୍ତ ବେଶ ମଧ୍ୟରେ ଶ୍ରେଷ୍ଠ। ସୁନାବେଶ ବର୍ଷକରେ ଦଶହରା (ବିଜୟା ଦଶମୀ / ଆଶ୍ୱିନ ଶୁକ୍ଳପକ୍ଷୀ ଦଶମୀ) କାର୍ତ୍ତିକ ପୂର୍ଣ୍ଣିମା, ଅଭିଷେକ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଆଷାଢ଼ ଶୁକ୍ଳ ଏକାଦଶୀ ରାତି ପରି ପାଞ୍ଚଟି ଉତ୍ସବରେ ହୋଇଥାଏ। ଏହି ବେଶର ଅନ୍ୟ ନାଁ ଐଶ୍ୱର୍ଯ୍ୟ ବେଶ।
ବଣଭୋଜି ବେଶ
ଏହି ବେଶ ଶ୍ରୀକୃଷ୍ଣଙ୍କ ଗୋପଳୀଳା ସହ ସଂପୃକ୍ତ। ଭାଦ୍ର ଶୁକ୍ଳ ଦଶମୀ ତିଥିରେ ଏହି ବେଶ ଶ୍ରୀଜଗନ୍ନାଥ, ବଡ଼ଠାକୁର ଓ ସୁଭଦ୍ରା ଧାରଣ କରିଥା’ନ୍ତି। ଏହି ବେଶରେ ଠାକୁରମାନେ ପ୍ରଥମେ ଖଣ୍ଡୁଆ, ତା’ ଉପରେ ବୋଇରାଣୀ ଶାଢ଼ି ପରିଧାନ କରନ୍ତି। ପୁଷ୍ପର ଚୂଳ, ଅଧର, ଶ୍ରୀପୟର ନାକୁଆସି, ଚିତା, ଝମ୍ପା ଓ ମାଳ ଆଦି ପିନ୍ଧିଥା’ନ୍ତି। ବହୁପ୍ରକାର ସୁନା ଅଳଙ୍କାରରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଦେବୀ ମଣ୍ଡିତ ହୁଅନ୍ତି।
କାଳୀୟ ଦଳନ ବେଶ
ଭାଦ୍ର କୃଷ୍ଣ ଏକାଦଶୀରେ ଭଗବାନ କାଳୀୟର ଦର୍ପ ଦଳନ କରିଥିବାରୁ ଜଗନ୍ନାଥଙ୍କର କାଳୀୟ ଦଳନ ବେଶ ଓ ନୀତି ଅନୁଷ୍ଠିତ ହୋଇଥାଏ। କାଳୀୟ ଦଳନ ବେଶ ମହାପ୍ରଭୁଙ୍କ ବାଡ଼ରେ ହେଉଥିବା ବେଳେ, କାଳୀୟ ଦଳନ ଉତ୍ସବ ମାର୍କଣ୍ଡ ପୁଷ୍କରିଣୀରେ ହୋଇଥାଏ। ଏହି ନୀତିରେ ପ୍ରାୟ ଏକ ବିରାଟକାୟ ସର୍ପ ଜଗନ୍ନାଥଙ୍କ ଶରୀରକୁ ଗୁଡ଼ାଇ ରଖିଥିଲେ ବି ସପ୍ତଫେଣି ମସ୍ତକ ଠାକୁରଙ୍କ ଶ୍ରୀପୟର ତଳେ ଥାଏ। ସର୍ପର ଲାଞ୍ଜକୁ ବାମ ହାତରେ ପ୍ରଭୁ ଧାରଣ କରିଥା’ନ୍ତି। ଏହି ହାତରେ ମଧ୍ୟ ଧରିଥା’ନ୍ତି ଏକ ସୋଲ ନିର୍ମିତ ପଦ୍ମଫୁଲ। ଦକ୍ଷିଣ ହସ୍ତରେ ବେଣୁ (ମତାନ୍ତରେ ଶିଙ୍ଗା) ଧାରଣ କରିଥା’ନ୍ତି।ପ୍ରଳମ୍ବାସୁର ବଧ ବେଶ
ରାମଙ୍କ ଦ୍ୱାରା ପ୍ରଳମ୍ବାସୁର ବଧ ଭାଦ୍ରକୃଷ୍ଣ ଦ୍ୱାଦଶୀ ତିଥିରେ ହୋଇଥିଲା ବୋଲି ମନେ କରାଯାଇ ଶ୍ରୀମନ୍ଦିରରେ ଏହି ଲୀଳା ଓ ବେଶ ଅନୁଷ୍ଠିତ ହୋଇଥାଏ। ଏହି ଦିନ ମଧ୍ୟାହ୍ନ ଧୂପ ପରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ଏହି ବେଶ ହୋଇଥାଏ। କାଠର ଶ୍ରୀପୟର ଓ ଶ୍ରୀହସ୍ତ ବଡ଼ଠାକୁରଙ୍କୁ ସଂଯୋଜିତ ହେବା ସହିତ କାଠର ଅସୁର ପ୍ରତିମା ଠାକୁରଙ୍କ ସମ୍ମୁଖରେ ରଖାଯାଇଥାଏ। ବଳଭଦ୍ରଙ୍କ ଦୁଇ ହସ୍ତରେ ହଳମୂଷଳ ଶୋଭାପାଏ। ଶ୍ରୀଜଗନ୍ନାଥଙ୍କର ସୁବର୍ଣ୍ଣ ପୟର ଓ ଶ୍ରୀହସ୍ତ ଲାଗି ହୁଏ। ଦୁଇ ହସ୍ତରେ କାଳିଆ ଠାକୁର ଚକ୍ର ଓ ଶଙ୍ଖ ଧାରଣ କରିଥା’ନ୍ତି।
କୃଷ୍ଣବଳରାମ ବେଶ
ଭାଦ୍ରମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ରତ୍ନସିଂହାସନ ଉପରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥଙ୍କୁ କୃଷ୍ଣ ଓ ବଳଭଦ୍ରଙ୍କୁ ବଳରାମ ଓ ଦେବୀ ସୁଭଦ୍ରାଙ୍କୁ ଏମାନଙ୍କ ଭଗ୍ନୀ ରୂପେ ସଜେଇ ଦିଆଯାଏ। ବଳରାମ କୃଷ୍ଣ ତ୍ରିଭଙ୍ଗୀ ଠାଣିରେ (ପାଦକୁ ଛନ୍ଦି) ଠିଆ ହୋଇଥା’ନ୍ତି। ଜଗନ୍ନାଥ ଗୋଟେ ହାତରେ ସୁନାର ବଂଶୀ ଓ ଅନ୍ୟ ହାତରେ ପଦ୍ମଧାରଣ କରିଥିବା ବେଳେ ବଳରାମ ଗୋଟିଏ ହାତରେ ଶିଙ୍ଗା ଓ ଅନ୍ୟ ହାତରେ ପଦ୍ମଧାରଣ କରିଥା’ନ୍ତି। ମଝିରେ ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି କାଠ ସିଂହାସନ ଉପରେ ପଦ୍ମାସନରେ ଆସୀନା ହେବା ସହିତ ଚାରି ହାତରେ ପାଶ, ଅଙ୍କୁଶ, ଅଭୟ ଓ ବରଦ ମୁଦ୍ରା ଧାରଣ କରିଥା’ନ୍ତି। ବଳଭଦ୍ରଙ୍କ ଶିରରେ ସପ୍ତଫେଣୀ ନାଗ ଶୋଭାପାଇଥାଏ।
ବଳିବାମନ ବେଶ
ଶ୍ରୀଜଗନ୍ନାଥଙ୍କର ଭାଦ୍ର ଶୁକ୍ଳ ଦ୍ୱାଦଶୀରେ ବଳିବାମନ ବେଶ ହୋଇଥାଏ। ଏହି ଦିନ ଶ୍ରୀମନ୍ଦିରରେ ବାମନଙ୍କ ଜନ୍ମଦିନ ପାଳନ କରାଯାଏ। ଶ୍ରୀବଳଭଦ୍ର ବଳୀରାଜ, ଦେବୀ ସୁଭଦ୍ରା ବଳିର ପତ୍ନୀ ବିନ୍ଧ୍ୟାବଳୀ ଭୂମିକାରେ ଦେଖିବାକୁ ମିଳେ। ଶ୍ରୀଜଗନ୍ନାଥ ସ୍ୱୟଂ ବାମନ ବେଶ ହୁଅନ୍ତି।
ରାଧାଦାମୋଦର ବେଶ
ପ୍ରତିବର୍ଷ ଆଶ୍ୱିନ ଶିକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ଯାଏଁ ଶ୍ରୀକ୍ଷେତ୍ରରେ ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। କାର୍ତ୍ତିକ ମାସରେ ବିଷ୍ଣୁଙ୍କ ନାଁ ଦାମୋଦର ବୋଲି ଏହି ବେଶର ନାଁ ରାଧା-ଦାମୋଦର ହୋଇଛି ବୋଲି ଅନୁମାନ କରାଯାଏ।
ଲକ୍ଷ୍ମୀନାରାୟଣ ବେଶ
କାର୍ତ୍ତିକ ଶିକ୍ଳ ଏକାଦଶୀରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶର ଅନ୍ୟନାମ ‘ଠିଆକିଆ ବେଶ’। ଏହି ବେଶସ୍ନାନ ରୀତି ପରେ ଆରମ୍ଭ ହୁଏ ଏବଂ ବାଳଧୂପ ପର୍ଯ୍ୟନ୍ତ ରହେ। ଏହି ବେଶର ଅନ୍ୟନାମ ଠିଆକିଆ କହିବାର ଅର୍ଥ ହେଲା ମସ୍ତକରେ ସୁବର୍ଣ୍ଣ କିଆ ଠିଆ ଭାବରେ ଲାଗି ହୋଇଥାଏ। ଶ୍ରୀଜଗନ୍ନାଥ ବାମ ହସ୍ତରେ ଶଙ୍ଖ ଓ ଦକ୍ଷିଣ ହସ୍ତରେ ଚକ୍ର ଧାରଣ କରିଥା’ନ୍ତି। ବଳଭଦ୍ର ହଳ ଓ ମୂଷଳ ଧରିଥା’ନ୍ତି। ସୁଭଦ୍ରାଙ୍କ ବେଶରେ କୌଣସି ପରିବର୍ତ୍ତନ ହୁଏ ନାହିଁ।
ବାଙ୍କ ଚୂଡ଼ା ବେଶ
କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କର ସୁନାର ଶ୍ରୀହସ୍ତ ଓ ଶ୍ରୀପୟର ଲାଗି ହୁଅନ୍ତି। ସୁନାର କାନ, କୁଣ୍ଡଳ ସହିତ ଠାକୁରମାନେ ନିଜ ନିଜର ଆୟୁଧ ଧାରଣ କରନ୍ତି। ସୁନାଳଙ୍କାର ବିମଣ୍ଡିତ ଠାକୁରମାନେ ସୁନାର କିରୀଟ ଧାରଣ କରନ୍ତି। ଏହି ବେଶ ସ୍ନାନ ପରେ ଆରମ୍ଭ ହୋଇ ବାଳଧୂପ ପର୍ଯ୍ୟନ୍ତ ରହେ।
ତ୍ରିବିକ୍ରମ ବା ଆଡ଼କିଆ ବେଶ
କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଏଥିରେ ଶ୍ରୀଜଗନ୍ନାଥ ଓ ବଡ଼ଠାକୁରଙ୍କ ମସ୍ତକରେ ଚୂଳ ଲଗାଯାଏ। ଚୂଳରେ ସୁନାର କିଆ ଆଡ଼ବାଗରେ ଲଗା ଯାଇଥିବାରୁ, ଏହି ବେଶର ନାଁ ଏପରି ହୋଇଛି। ଚୂଳର ଶେଷରେ ଲଗାଯାଏ ସୁନାର ଚନ୍ଦ୍ରିକା। ସୁଭଦ୍ରା ସୁନା ଚନ୍ଦ୍ରିକା ଧାରଣ କରିବା ସହିତ ସୁନାର ମୁକୁଟ ପରିଧାନ କରିଥା’ନ୍ତି। ଠାକୁରମାନଙ୍କର ହସ୍ତପଦ ଲାଗି ହେବା ସହିତ ଆୟୁଧ ମଧ୍ୟ ହସ୍ତରେ ଶୋଭାପାଏ।
ଡାଳିକିଆ ବେଶ
କାର୍ତ୍ତିକମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ରତ୍ନସିଂହାସନ ଉପରେ ଠାକୁରଙ୍କ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶର ଅନ୍ୟ ନାଁ ଡାଳିକିଆ ବେଶ। ସୁନାକିଆ ଡାଳି ପରି ଖଞ୍ଜା ହେଉଥିବାରୁ ଏପରି ନାମକରଣ ହୋଇଛି।
ଶ୍ରାଦ୍ଧ ବେଶ
ମଣିଷମାନେ ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ, ଅର୍ଘ୍ୟ ଅର୍ପଣ କଲାପରି ଭଗବାନ ଜଗନ୍ନାଥ ମଧ୍ୟ ତାଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇଥା’ନ୍ତି। ମାର୍ଗଶିର ଶୁକ୍ଳ ଚତୁର୍ଦ୍ଦଶୀରେ ଅଦିତି ଓ କଶ୍ୟପଙ୍କୁ(ବାମନଙ୍କ ପିତାମାତା) ଅମାବାସ୍ୟାରେ ଦଶରଥ ଓ କୌଶଲ୍ୟାଙ୍କୁ(ଶ୍ରୀରାମଚନ୍ଦ୍ରଙ୍କ ପିତାମାତା) ଓ ଶୁକ୍ଳ ପ୍ରତିପଦାରେ ନନ୍ଦ, ଯଶୋଦା, ବସୁଦେବ, ଦେବକୀଙ୍କୁ (ଶ୍ରୀକୃଷ୍ଣ ଓ ବଳରାମଙ୍କ ପିତାମାତା) ଓ ଇନ୍ଦ୍ରଦ୍ୟୁମ୍ନଙ୍କୁ ମହାପ୍ରଭୁ ଶ୍ରାଦ୍ଧ ଦେଇଥା’ନ୍ତି। ଏହି ସମୟରେ ମହାପ୍ରଭୁ ଧଳାବସ୍ତ୍ର ପରିଧାନ କରନ୍ତି।
ଘୋଡ଼ଲାଗି ବେଶ
ମାର୍ଗଶିର ଶୁକ୍ଳ ଷଷ୍ଠୀ (ପ୍ରାବରଣ ଷଷ୍ଠୀ) ଦିନରୁ ଠାକୁରମାନଙ୍କୁ ଶୀତବସ୍ତ୍ର ଲାଗି କରାଯାଏ। ଶୀତବସ୍ତ୍ରକୁ ‘ଘୋଡ଼’ କହନ୍ତି। ଏହି ବେଶ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଚାଲେ। ଏହି ବେଶରେ ଲାଗୁଥିବା ଘୋଡ଼ର ରଙ୍ଗ ବାର ଅନୁସାରେ ବଦଳେ। ଯେପରି ରବିବାର-ଲାଲ, ସୋମବାର- କଳାଛିଟ ମିଶା ଧଳା, ମଙ୍ଗଳବାର- ବାରପଟିଆ (ପଞ୍ଚରଙ୍ଗ ମିଶା), ବୁଧବାର- ନୀଳରଙ୍ଗ, ଗୁରୁବାର- ପୀତ ବା ବସନ୍ତରଙ୍ଗ, ଶୁକ୍ରବାର- ଶୁକ୍ଳ ବା ଧଳା, ଶନିବାର- କଳା। ଏହି ବେଶ ଦ୍ୱାରା ତିନିଠାକୁର ସଂପୂର୍ଣ୍ଣ ଘୋଡ଼ି ହୋଇ ରହନ୍ତି।
ଚାଚେରୀ ବେଶ
ଶ୍ରୀମନ୍ଦିରରେ ଫଗୁଣ ମାସର ଶୁକ୍ଳ ଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ରତ୍ନସିଂହାସନରେ ଠାକୁରମାନଙ୍କର ଚାଚେରୀ ବେଶ ହୋଇଥାଏ। ଠାକୁରମାନେ ନାଲିରଙ୍ଗର ପାଟବସ୍ତ୍ର ପରିଧାନ କରିଥା’ନ୍ତି। ବଡ଼ ଠାକୁର ଓ ଶ୍ରୀଜଗନ୍ନାଥ ସୁନା ନଳିଭୁଜରେ ସୁସଜ୍ଜିତ ହୋଇ ନିଜ ନିଜର ଆୟୁଧ ଧାରଣ କରନ୍ତି।
ରାଜରାଜେଶ୍ୱର ବେଶ
କାର୍ତ୍ତିକ ପୂର୍ଣ୍ଣମା ଦିନ ଅବକାଶ ନୀତି ପରେ ରତ୍ନସିଂହାସନରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ପ୍ରକାର ରତ୍ନ ଅଳଙ୍କାର, ପୁଷ୍ପର ଅଳଙ୍କାର ଓ ମୂଲ୍ୟବାନ ପାଟବସ୍ତ୍ରରେ ସୁସଜ୍ଜିତ ହୋଇ ଠାକୁରମାନେ ରାଜରାଜେଶ୍ୱର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥା’ନ୍ତି। ଏହି ବେଶ ଠାକୁରମାନଙ୍କର ଐଶ୍ୱର୍ଯ୍ୟ ଲୀଳାର ପ୍ରତିନିଧିତ୍ୱ କରେ।
ନବାଙ୍କ ବେଶ
ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀଜଗନ୍ନାଥଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୁଏ। ଏହି ବେଶ ବଡ଼ସିଂହାର ବେଶ ସହିତ ହୁଏ। ସୋଲ ଓ ଜରିରେ ନିର୍ମିତ ଶଂଖ, ଚକ୍ର, ହଳ, ମୂଷଳ, କୁଣ୍ଡଳ, ତଡ଼କି, ବଡ଼ଠାକୁର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ଧାରଣ କରନ୍ତି। ଏହି ବେଶରେ ଠାକୁରମାନେ ଗେଣ୍ଡୁ ଫୁଲରେ ସର୍ବାଙ୍ଗ ମଣ୍ଡିତ ହୁଅନ୍ତି।
ପଦ୍ମ ବେଶ
ଶ୍ରୀଜଗନ୍ନାଥଙ୍କର ପଦ୍ମବେଶ ମାଘ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ପଡ଼ିଲେ ଅନୁଷ୍ଠିତ ହୁଏ।
ରଘୁନାଥ ବେଶ
ଶେଷଥର ପାଇଁ ଏହି ବେଶ ୧୯୦୫ ଖ୍ରୀଷ୍ଟାବ୍ଦରେ ହୋଇଥିଲା ବୋଲି ଜଣାପଡେ଼। ଏହି ବେଶରେ ଶ୍ରୀଜଗନ୍ନାଥଙ୍କୁ ଶ୍ରୀରାମଚନ୍ଦ୍ର ରୂପେ ସଜାଇ ଦିଆଯାଏ। ସେ କାଠ ନିର୍ମିତ ହସ୍ତ ଓ ପଦଯୁକ୍ତ ହୁଅନ୍ତି। ସେ ସିଂହାସନରେ ବୀରାସନରେ ଉପବିଷ୍ଟ ହେବା ବେଳେ ଗୋଟିଏ ପାଦ ସିଂହାସନ ଉପରେ ଥାଏ ଓ ଅନ୍ୟ ପାଟଦି ତଳକୁ ଲମ୍ବିଥାଏ। ବାମ ହସ୍ତରେ ଧନୁ ଓ ଦକ୍ଷିଣ ହସ୍ତରେ ଶର ଧାରଣ କରନ୍ତି। ତାଙ୍କ ବାମ ଜାନୁରେ ଲକ୍ଷ୍ମୀ ସୀତା ରୂପେ ବସିଥା’ନ୍ତି। ଲକ୍ଷ୍ମଣ ରୂପେ ସଜେଇ ହୁଅନ୍ତି ବଡ଼ଠାକୁର। ରାମଚନ୍ଦ୍ରଙ୍କ ବାମପାଶ୍ୱର୍ରେ ଭରତ, ଶତ୍ରୁଘ୍ନ ଠିଆହୋଇଥା’ନ୍ତି।




