ମାଲେସିଆର ପେନାଙ୍ଗରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଆଡର୍ଭଟାଇଜିଂ ଆସୋସିଏସନ(ଆଇଏଏ) ୱାର୍ଲଡ୍ କଂଗ୍ରେସ କାର୍ଯ୍ୟକ୍ରମରେ ଆଇଏଏର ଭାରତୀୟ ଚାପ୍ଟରକୁ ୩ଟି ପୁରସ୍କାର ମିଳିଛି।
ପେନାଙ୍ଗର ଗଭର୍ଣ୍ଣର ଟୁନ ଅହମ୍ମଦ ଫୁଜି ଅବ୍ଦୁଲ ରଜାକ୍ ଆର୍ କେ ସ୍ବାମୀ ଲିମିଟେଡ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀନିବାସନ ସ୍ବାମୀଙ୍କୁ ସମ୍ମାନଜନକ ଆଇଏଏ ଗୋଲ୍ଡେନ୍ କମ୍ପାସ୍ ଆୱାର୍ଡ ପ୍ରଦାନ କରିଛନ୍ତି। ବିଶ୍ବର ମାକେଟିଂ, ବିଜ୍ଞାପନ ଓ ଗଣମାଧ୍ୟମ ଶିଳ୍ପ ପ୍ରତି ଉଲ୍ଲେଖନୀୟ ଅବଦାନ ଥିବା କିମ୍ବଦନ୍ତୀମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପ୍ରଥମ ଥର ପାଇଁ ଭାରତୀୟ ଶିଳ୍ପର ଜଣେ ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଶ୍ରୀ ସ୍ବାମୀ ବର୍ତ୍ତମାନ ଦି ଏସିଆନ୍ ଫେଡେରେସନ୍ ଅଫ୍ ଆଡଭର୍ଟାଇଜିଂ ଆସୋସିଏସନ୍ସ (ଏଏଫ୍ଏଏ) ଓ ଦି ଅଡିଟ୍ ବ୍ୟୁରୋ ଅଫ୍ ସର୍କୁଲେସନ୍ସ (ଏବିସି)ର ଅଧ୍ୟକ୍ଷ ଦାୟିତ୍ବରେ ଅଛନ୍ତି। ପୂର୍ବରୁ ଓଗିଲ୍ଭି ଆଣ୍ଡ୍ ମାଥରର ସେବାନିବୃତ୍ତ ଅଧ୍ୟକ୍ଷ ସେଲି ଲାଜାରୁସ୍, ୟୁନିଲିଭର୍ର ସିଇଓ ପଲ୍ ପୋଲ୍ମ୍ୟାନ୍, ଇକୋନମିଷ୍ଟ ଗ୍ରୁପ୍ର ସଭାପତି ପଲ୍ ରୋସି, ପ୍ରକ୍ଟର ଆଣ୍ଡ୍ ଗ୍ୟାମ୍ବଲ୍ର ଚିଫ୍ ବ୍ରାଣ୍ଡ୍ ଅଫିସର ମାର୍କ ପ୍ରିଟଚାର୍ଡ ଓ ବିବିଡିଓ ୱାର୍ଲଡୱାଇଡ୍ର ସଭାପତି ଓ ସିଇଓ ଆଣ୍ଡ୍ର୍ୟୁ ରବର୍ଟସନ୍ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

