୨୦୨୪ ନିର୍ବାଚନୀ ରଣରେ ଘସିପୁରାରେ ଦେଖିବ ଘମାଘୋଟ ଲଢ଼େଇ । ରାଜ୍ୟ ରାଜନୀତିର ଦୁଇ ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ହେବ ବିଗ୍ ଫାଇଟ । ବିଜୟ ପାଲଟିବ ଦୁଇ ପ୍ରାର୍ଥୀଙ୍କ ପାଇଁ ବିରାଟ ଚ୍ୟାଲେଞ୍ଜ । ଦୁଇ ଜଣ ପ୍ରଭାବଶାଳୀ, ସଫଳ, ପ୍ରବୀଣ, ଦକ୍ଷ ରାଜନେତା । ଏହି ଦୁଇ ନେତା ହେଲେ ଘସିପୁରାର ୫ଥରର ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ଘସିପୁରା ରାଜନୀତିରେ ଓ୍ଵାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିବା ସ୍ୱାଧୀନ ପ୍ରାର୍ଥୀ ଖଣ୍ଡପଡ଼ା ବିଧାୟକ ତଥା ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ। ଦୁଇ ହେଭିୱେଟ ନେତାଙ୍କ ଚିତ୍ର ଓ ଭାବଧାରା ସମ୍ପୂର୍ଣ୍ଣ ଅଲଗା । ମାତ୍ର ଦୁଇ ଜଣଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଘସିପୁରା ବିଜୟ । ତେବେ ଦିନେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ଜିତିଥିବା ବଦ୍ରିଙ୍କ ବିଜୟ ରାସ୍ତାରେ ଏବେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ସୌମ୍ୟ ରହିଛନ୍ତି । ଅନ୍ୟ ପଟେ ବିଜେପିର ଚେହେରା ଅବସରପ୍ରାପ୍ତ ସରକାରୀ ଅଧିକାରୀ ଶମ୍ଭୁନାଥ ରାଉତ ଥିବା ବେଳେ, କଂଗ୍ରେସ ପକ୍ଷରୁ ସୁବତ୍ର ଚକ୍ରଙ୍କୁ ଟିକେଟ ମିଳିଛି । ତେବେ ଏହି ହାଇଭୋଲଟେଜ ଲଢ଼େଇ ବଦ୍ରି ବନାମ ସୌମ୍ୟ ରହିବ ବୋଲି ଚର୍ଚ୍ଚା ଜୋର ରହିଛି । ମାତ୍ର ବିଜେଡିର ଗଡ଼ରେ ଏଥର ଲଢ଼େଇ ଦମଦାର ହେବାକୁ ଥିବା ବେଳେ ବଦ୍ରିଙ୍କ ବିକଳ୍ପ କେବଳ ବଦ୍ରି ଓ ତାଙ୍କର ହିଁ ଅବଶ୍ୟ ବିଜୟ ନେଇ ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ ଓ ପଲଟିକାଲ ପଣ୍ଡିତ।
ଘସିପୁରାରେ ବିଭିନ୍ନ ଦଳର ଦବଦବା ରହିଆସୁଥିଲେ ମଧ୍ୟ ଅନେକ ଥର ସ୍ଵାଧୀନ ପ୍ରାର୍ଥୀ ଜିତିଛନ୍ତି । ଖୋଦ ବଦ୍ରି ମଧ୍ୟ ୨୦୦୦ରେ ସ୍ୱାଧୀନ ଭାବେ ଏହି ଆସନରେ ଲଢ଼ି ବିରୋଧୀଙ୍କୁ ପରାସ୍ତ କରିଛନ୍ତି । ୨୦୦୯ ନିର୍ବାଚନ ପରଠାରୁ ବିଜେଡି ଏଠାରେ ଏକପାଖିଆ ଜିତିଆସୁଛି । ମାତ୍ର ୨୦୨୪ ଲଢ଼େଇରେ ସୌମ୍ୟ ରଞ୍ଜନଙ୍କ ଏଣ୍ଟ୍ରି ଫଳରେ ଫଳାଫଳ କିଛି ବି ହୋଇପାରେ। ପ୍ରାୟ ଅଢ଼େଇ ଦଶନ୍ଧି ହେଲା ରାମଚନ୍ଦ୍ରପୁର ତଥା ଘସିପୁରାରେ ବଦ୍ରି ନାରାୟଣ ପାତ୍ର ଓ ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ହିଁ ଲଢ଼େଇ ହୋଇ ଆସୁଛି। ଏଥର ନିରଞ୍ଜନ ଏଠାରୁ ଲଢୁନାହାନ୍ତି। ମାତ୍ର ଘସିପୁରା ରାଜନୀତିରେ ଖଣ୍ଡପଡ଼ା ବିଧାୟକ ତଥା ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ପିତୃ ଋଣ ସୁଝିବାକୁ ଆସିଥିବା କହି ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସମଗ୍ର କେନ୍ଦୁଝର ଜିଲ୍ଲାରେ ବଦ୍ରିଙ୍କ ପ୍ରଭାବ ରହିଛି। ତାଙ୍କର ବଡ଼ ବ୍ୟବଧାନରେ ନିର୍ବାଚନ ଜିତିବାର ରେକର୍ଡ ମଧ୍ୟ ରହିଛି। ମାତ୍ର ସୌମ୍ୟଙ୍କ ନାମାଙ୍କନ ଦାଖଲ ସମୟର ଭିଡ଼ ଓ ବଢ଼ୁଥିବା ସାଂଗଠନିକ ଶକ୍ତି ବଦ୍ରିଙ୍କ ବିଜୟ ପାଇଁ ଏହି ଏକ ବଡ଼ ଚ୍ୟାଲେଞ୍ଜ ପାଲଟିବ । ଗଡ଼ ବଞ୍ଚାଇବା ପାଇଁ ବଦ୍ରିଙ୍କୁ ଅଧିକ ସତର୍କତା ଓ କସରତ କରିବାକୁ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ ମାନେ ମତ ରଖିଛନ୍ତି ।
ସୌମ୍ୟଙ୍କ ଘସିପୁରା ରାଜନୀତିରେ ଏଣ୍ଟ୍ରି ପରଠାରୁ ,ଦୁଇ ନେତାଙ୍କ ମଧ୍ୟରେ ପରସ୍ପରକୁ ସମାଲୋଚନା ରାଜ୍ୟ ରାଜନୀତିର ହେଡଲାଇନରେ ପାଲଟିଛି । ତେବେ ସୌମ୍ୟଙ୍କୁ ଶାଣିତ ସ୍ୱରରେ ସମାଲୋଚନା କରୁଛନ୍ତି ବଦ୍ରି । ବଦ୍ରି ଜଣେ ବିଚକ୍ଷଣ ସଂଗଠକ, କୁଶଳୀ ରଣନୀତିକାର, ପ୍ରଚଣ୍ଡ ଲୋକପ୍ରିୟତା, ଦୀର୍ଘଦିନ ହେବ ପ୍ରତ୍ୟକ୍ଷ ଭାବରେ ସିଧାସଳଖ ଜନତାଙ୍କ ସୁଖ ଦୁଃଖରେ ସାମିଲ ହେବା, ନିଜ ନିର୍ବାଚନ ମଣ୍ଡଳୀର ବିରକ୍ତ ଓ ଅସନ୍ତୁଷ୍ଟ କର୍ମୀଙ୍କୁ ନିଜ ଅଭିଜ୍ଞତା ବଳରେ ଏକତ୍ରିତ କରିବା, କର୍ମୀଙ୍କ ମନୋବଳ ବୃଦ୍ଧି, ସଂଗଠନ ମଜଭୁତ କରିବାରେ ଅସମ୍ଭବ ଦକ୍ଷତା, ପୁରୁଣା କାର୍ଯ୍ୟ ରେକର୍ଡ । ଏହାସହ ମନ୍ତ୍ରୀ, ବିଧାୟକ ଥିବା ସମୟରେ ଘସିପୁରା ଏବଂ କେନ୍ଦୁଝର ଜିଲ୍ଲା ଅନେକ ଐତିହାସିକ ସଫଳତା ହାସଲ କରିଥିଲେ, ଯେପରିକି ସଡ଼କ ସଂଯୋଗ, ବିଦ୍ୟୁତିକରଣ, ପାନୀୟ ଜଳ ପ୍ରକଳ୍ପ, ନଦୀ ସେତୁ ଆଦି ତାଙ୍କ ଅବଦାନ । ସେହିପରି ବିଜେଡିର ବଡ଼ ସଂଗଠନ, ବଦ୍ରି ନାରାୟଣଙ୍କୁ ପୁଣି ଥରେ ଜନତାଙ୍କ ଆସ୍ଥା ଜିତିବାର ମୁଖ୍ୟ ଅସ୍ତ୍ର ପାଲଟିବ ଓ ଫଳାଫଳ ବିଜେଡି ସପକ୍ଷରେ ଯିବା ବୋଲି ଚର୍ଚ୍ଚା ଧରିଛି ।
ବଦ୍ରିନାରାୟଣ ପାତ୍ର ଅଧ୍ୟାପନାରୁ ରାଜନୀତି ମୈଦାନକୁ ଓହ୍ଲାଇଥିଲେ। ପ୍ରଥମେ ଜନତା ଦଳ ଟିକଟରେ ୧୯୯୦ ନିର୍ବାଚନରେ ଜିତି କଂଗ୍ରେସ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ୧୯୯୫ ନିର୍ବାଚନରେ କିନ୍ତୁ ପୁଣି କଂଗ୍ରେସ ସପକ୍ଷରେ ଜନମତ ଯାଇଥିଲା। ନିରଞ୍ଜନ ଏଠାରୁ ଜିତିଥିଲେ ମଧ୍ୟ ବଦ୍ରି ନାରାୟଣ ମାତ୍ର ୫,୩୩୪ ଭୋଟ୍ରେ ପଛରେ ରହିଥିଲେ। ଏହି ନିର୍ବାଚନରେ ଦ୍ଵିମୁଖୀ ଲଢ଼େଇ ହୋଇଥିଲା। ୨୦୦୦ରେ ବଦ୍ରିନାରାୟଣ ପାତ୍ର ଘସିପୁରାରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏଥିରେ ନିରଞ୍ଜନ ଓ ବିଜେପି ପ୍ରାର୍ଥୀ ଅକ୍ଷୟ ମିଶ୍ରଙ୍କୁ ଚକ୍ମା ଦେଇ ବିଧାନସଭାକୁ ପୁଣି ଫେରିଥିଲେ ବଦ୍ରି। ୨୦୦୪ରେ ମଧ୍ୟ ବଦ୍ରି ପୁଣି ସ୍ଵାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ। ହେଲେ ନିରଞ୍ଜନ ପଟ୍ଟନାୟକଙ୍କଠାରୁ ମାତ୍ର ୪୮୨ ଭୋଟରେ ହାରିଯାଇଥିଲେ। ବିଜେପି ତୃତୀୟ ସ୍ଥାନରେ ରହିଥିଲା। ୨୦୦୯ରେ ମେଣ୍ଟ ଭାଙ୍ଗିଥିଲା ଓ ସେବେଠାରୁ ଘସିପୁରାରୁ ବଦ୍ରି ବିଜେଡି ଟିକେଟରେ ଏକପାଖିଆ ଜିତିଆସୁଛନ୍ତି।। ସେ ଦୁଇ ଥର ରାଜ୍ୟସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି ।
ପୂର୍ବ ନିର୍ବାଚନ ରେକର୍ଡ ଅନୁସାରେ ଘସିପୁରାରେ ୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ୭୭,୮୯୦ ଭୋଟ୍ ପାଇ ବିଜୟୀ ହୋଇଥିଲେ। କଂଗ୍ରେସର ନିରଞ୍ଜନ ପଟ୍ଟନାୟକ ୫୨,୩୩୬ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ। ସେହିପରି ୨୦୧୪ ନିର୍ବାଚନରେ ବିଜେଡିରୁ ବଦ୍ରିନାରାୟଣ ପାତ୍ର ୧,୦୮,୯୦୦ ଭୋଟ୍ ପାଇ ଏକତରଫା ବିଜୟ ହାସଲ କରିଥିଲେ। ବିଜେପି ପ୍ରାର୍ଥୀ ସତ୍ୟବ୍ରତ ପଣ୍ଡାଙ୍କୁ ୨୦,୨୯୮ ଭୋଟ ମିଳିଥିଲା। ଅନ୍ୟପଟେ ୨୦୧୯ରେ ପୁଣି ବଦ୍ରିନାରାୟଣ ପାତ୍ର ୮୬,୮୧୬ ଭୋଟ୍ ପାଇ ନିର୍ବାଚନ ଜିତିଥିଲେ। କଂଗ୍ରେସ ପାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କୁ ୫୪,୧୨୮ ଭୋଟ୍ ମିଳିଥିଲାବେଳେ ବିଜେପି ପ୍ରାର୍ଥୀ ପୃଥ୍ଵୀରାଜ କୁଅଁର ୨୭,୫୭୯ ଭୋଟ୍ ପାଇଥିଲେ।
ରାଜନୀତିରେ ହିଁ ଭୋଟରଙ୍କ ରାଜ ପ୍ରତିଷ୍ଠା ହୁଏ । ଭୋଟର କ୍ଷମତା ଦିଅନ୍ତି ଓ କ୍ଷମତାରୁ ବାହାର କରନ୍ତି । ତେବେ ଚଳିତ ନିର୍ବାଚନରେ ଘସିପୁରାରେ ଏକ ସଂଘର୍ଷପୂର୍ଣ୍ଣ ଲଢ଼େଇ ଦେଖିବାକୁ ମିଳିବ । ସବୁଦୃଷ୍ଟିରୁ ବଦ୍ରିଙ୍କ ବିଜୟ ମାତ୍ରା ଅଧିକ ଥିବା ବେଳେ ସୌମ୍ୟ କିନ୍ତୁ କଡ଼ା ଟକ୍କର ଦେବେ ।

