ଢେଙ୍କାନାଳ ରେଡକ୍ରସ୍ ରାପିଡ୍ ରେସପନସ ଗ୍ରୁପ୍ ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ । ଢେଙ୍କାନାଳ ରେଡକ୍ରସ୍ ରାପିଡ୍ ରେସପନସ ଗ୍ରୁପ୍ ପକ୍ଷରୁ ଆଜି ଅପରାହ୍ନରେ ଜିଲ୍ଲା ରକ୍ତ ସେଣ୍ଟର୍ ପରିସରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ନୋବେଲ୍ ପୁରସ୍କାର ବିଜେତା କାର୍ଲ ଲାଣ୍ଡଷ୍ଟେନରଙ୍କ ଜନ୍ମଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ଜୁନ ୧୪ ତାରିଖ ଦିନ ପାଳିତ ହେଉଛି ବିଶ୍ୱ ରକ୍ତଦାତା ଦିବସ। ଲ୍ୟାଣ୍ଡଷ୍ଟାଇନର୍ କାର୍ଲ ସର୍ବପ୍ରଥମେ ରକ୍ତର ବର୍ଗୀକରଣ (ଓ ଏ ବି ବ୍ଲଡ୍ ଗ୍ରୁପ୍) କରିବାରେ ସଫଳ ହୋଇଥିଲେ। ଏବିଓ ବ୍ଲଡ୍ ଗ୍ରୁପ୍ର ସନ୍ଧାନ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କାମକୁ ତ୍ବରାନ୍ବିତ କରିଥିଲା। ତାଙ୍କରି ସମ୍ମାନାର୍ଥେ ଏହି ଦିବସ ପାଳନ କରାଯାଉଛି।
ଆଜି ଅପରାହ୍ନ ୪ଘଟିକା ସମୟରେ, ସ୍ଥାନୀୟ ବ୍ଲଡ଼ ସେଣ୍ଟର୍ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଓ ସଚେତନତା କର୍ମଶାଳା ଆୟୋଜନ କରାଯାଇଥିଲା ।
ରକ୍ତର କୌଣସି ବିକଳ୍ପ ନାହିଁ। ମନୁଷ୍ୟ ଶରୀର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରକ୍ତ ପ୍ରସ୍ତୁତ କରାଯାଇ ପାରିବନାହିଁ। ତେଣୁ ରକ୍ତଦାନ ମାଧ୍ୟମରେ ଏହା ସଂଗ୍ରହ କରିବା ଜରୁରି ହୋଇ ପଡ଼ିଛି। ରକ୍ତଦାନର ଆବଶ୍ୟକତା ଆଜିକାଲି ବହୁ ପରିମାଣରେ ବଢ଼ିଯାଇଛି । ଦୁର୍ଘଟଣା, ଯୁଦ୍ଧ ସମୟରେ, ପ୍ରସୂତି ମହିଳାଙ୍କ ଚିକିତ୍ସା ଓ ସିକିଲ୍ସେଲ୍, ଥାଲାସେମିଆ, ହେମୋଫିଲିଆ ଆଦି ରୋଗୀମାନଙ୍କ ଜୀବନ ବଞ୍ଚେଇବା ପାଇଁ ନିୟମିତ ବ୍ୟବଧାନରେ ରକ୍ତ ଆବଶ୍ୟକ ହୋଇଥାଏ। ରକ୍ତଦାନ କଲେ ଅସ୍ଥିମଜ୍ଜା ସକ୍ରିୟ ହୁଏ। ଦେହ ସୁସ୍ଥ ଓ କର୍ମଠ ରୁହେ ,ଦେହରୁ ଚର୍ବିଅଂଶ କମିଯାଏ। ହୃଦରୋଗ ଦୂର ହୁଏ ଓ ଶର୍କରା ସନ୍ତୁଳିତ ହୋଇଥାଏ ବୋଲି , ଆଲୋଚନାରେ ମତପ୍ରକାଶ ପାଇଥିଲା ।
ପ୍ରାରମ୍ଭରେ କେକ କାଟି ସେହି ସ୍ମରଣୀୟ ମୁହୂର୍ତ୍ତକୁ ମନେ ପକାଇ, କାର୍ଲ ଲାଣ୍ଡ ଷ୍ଟେନର ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଦାନ ଓ ପୁଣ୍ୟ ଅର୍ଜନ ଭାବନାରୁ କାହିଁ କେତେ ଊର୍ଦ୍ଧ୍ବରେ ରକ୍ତଦାନ ରହିଛି । ମାନବିକତାର ସର୍ବଶ୍ରେଷ୍ଠ ସ୍ୱାକ୍ଷର, ସଭ୍ୟତାର ସ୍ୱର୍ଣ୍ଣିମ ପରିଚାୟକ ଦେଇଥାଏ ରକ୍ତଦାନର ଏହି ଦିବ୍ୟଭାବନା । ରକ୍ତଦାନ କରିବା ଦ୍ୱାରା କାହାକୁ ନୂଆ ଜୀବନ ମିଳିଥାଏ । ଚିକିତ୍ସା ସେବାରେ ରକ୍ତଦାନର ମହତ୍ତ୍ୱ, ମହନୀୟତା ଓ ମାନବିକତାର ଆବେଦନର ପ୍ରତିଷ୍ଠା ହୋଇଛି।
ଏ ଅବସରରେ ଗ୍ରୁପ୍ ସଦସ୍ୟ ତଥା ରକ୍ତଦାତା ସଂଗଠକ ଶିବ ପ୍ରସାଦ ପଣ୍ଡା ଓ ସ୍ଵେଚ୍ଛାକୃତ ରକ୍ତଦାତା ଚିନ୍ମୟ ଜେନା ରକ୍ତଦାନ କରିଥିଲେ । ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶତାଧିକ ଥରରୁ ଅଧିକ ଥର ରକ୍ତଦାନ କରିସାରିଥିବା, ନାରାୟଣ ପୋଦାର ଓ ବିରଞ୍ଚି ନାରାୟଣ ପାଣିଙ୍କୁ ପୁଷ୍ପ ଗୁଛ, ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧନ ଜଣାଇଥିଲେ ।

