ସ୍ନାନ ପୂର୍ଣ୍ଣିମା

ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ । ଏହି ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ । ତାପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟିମୂର୍ତି ସ୍ଥାପନା କରାଯାଏ । ତାପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ ୧୫ ଦିନ ଧରି ଜ୍ଵରରେ ପଡ଼ନ୍ତି , ଏହାକୁ ଅଣସର କୁହାଯାଏ । ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ । ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥ ଙ୍କୁ ଦର୍ଶନ କରନ୍ତି ।

ସ୍ନାନ ମଣ୍ଡପ ବା ବେଦୀ ଉପରେ ଠାକୁରମାନଙ୍କର ପ୍ରସିଦ୍ଧ ଗଜାନନ ବେଶ ହୋଇଥାଏ ।ପରମ୍ପରା ଅନୁଯାୟୀ ସ୍ନାନ ମଣ୍ଡପରେ ବିରାଜିତ ଶ୍ରୀଜୀଉମାନଙ୍କର ସ୍ନାନ ନୀତି ପରେ ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠରୁ ଆସିଥିବା ଗଜାନନ ବେଶ ଉପକରଣ ଯଥାକ୍ରମେ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ, ଶ୍ରୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ଲାଗି କରାଯାଏ । ଗଜାନନ ବେଶ ସମ୍ପର୍କରେ ଶ୍ରୀମନ୍ଦିର ସ୍ଵତ୍ଵଲିପିରେ ଉଲ୍ଲେଖ ଅଛି ଯେ, ସ୍ନାନ ମଣ୍ଡପରେ ଶ୍ରୀ ବିଗ୍ରହମାନଙ୍କର ଜଳ ଲାଗି ନୀତି ବଢିବା ପରେ ଲେଙ୍କା ଓ ଘଣ୍ଟ କାହାଳୀ ସହ ଗୋପାଳତୀର୍ଥ ମଠରୁ ବଡ଼ ବାଡ଼ (ବଳଭଦ୍ରଙ୍କ ବାଡ଼) ଓ ଶ୍ରୀ ସୁଦର୍ଶନଙ୍କର ଗଜାନନ ବେଶ ଉପକରଣମାନ ଆଣିବାକୁ ଯାଆନ୍ତି । ଏହା ପରେ ଗଜପତି ମହାରାଜା କିମ୍ବା ତାଙ୍କ ଅନୁପସ୍ଥିତରେ ମୁଦିରଥ ତିନି ବାଡ଼ରେ ରାଜ ନୀତି କରନ୍ତି । ରାଜ ନୀତି ବଢିବା ପରେ ସ୍ନାନ ମଣ୍ଡପରେ ଛେରା ପହଁରା ହୋଇଥାଏ । ତତ୍ପରେ ସୁଆରବଡୁ ସେବକ ପାଣି ପକାନ୍ତି । ପାଣି ପଡ଼ିଲା ପରେ ଜଗମୋହନରେ ଥିବା ବଡ଼ବାଡ଼ର (ବଳଭଦ୍ର) ବେଶ ଉପକରଣ ଓ ରାଘବ ଦାସ ମଠରୁ ଆସିଥିବା ଅନ୍ୟ ଦୁଇ ବାଡ଼ (ଜଗନ୍ନାଥ, ସୁଭଦ୍ରା)ର ବେଶ ଉପକରଣମାନ ସ୍ନାନ ମଣ୍ଡପରେ ରଖାଯାଏ । ଭିତରଚ୍ଛ, ଚଳିଚ୍ଛ, ପୁଷ୍ପାଳକ,ଖୁଣ୍ଟିଆ, ଦଇତାପତିମାନଙ୍କ ସହ ତିନିବାଡ଼ରେ ହାତୀ ବେଶ କରନ୍ତି । ବେଶ ବଢିବା ପରେ ତିନି ବାଡ଼ରେ କର୍ପୂର ଲାଗି ହୋଇଥାଏ ଏବଂ ପରେ ପରେ ସ୍ନାନ ବେଦୀ ଉପରେ ଶୋଧ କରାଯାଏ ଓ ଭୋଗ ପାଇଁ ପ୍ରସ୍ତୁତି ହୋଇଥାଏ । ସୂଚନା ଯୋଗ୍ୟ ଯେ ,ଏହି ଦିନ ମାତ୍ର ଗୋଟିଏ ଭୋଗ ହୋଇଥାଏ । ଭୋଗ ଶେଷ ପରେ ସ୍ନାନ ବେଦୀ ଉପରକୁ ସର୍ବସାଧାରଣଙ୍କୁ ଦର୍ଶନ ନିମିତ୍ତ ଅନୁମତି ଦିଆଯାଏ ।

କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତି ଭଟ୍ଟ ନାମକ ଜୈନିକ ବିଶିଷ୍ଟ ବ୍ରାହ୍ମଣ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ସେ ପ୍ରଭୁ ଗଣେଶଙ୍କ ବଡ଼ ଭକ୍ତ ଥିଲେ । ସ୍ନାନ ପୂର୍ଣ୍ଣିମୀ ଦିନ ଶ୍ରୀମନ୍ଦିରରୁ ପ୍ରବେଶ କରି ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଗଣପତି ଭଟ୍ଟ ସନ୍ତୋଷ ଲାଭ କଲେ ନାହିଁ । ତେଣୁ ନିରାଶ ମନରେ ଶ୍ରୀକ୍ଷେତ୍ରରୁ କିଛି ବାଟ ଯିବା ପରେ ମୁକ୍ତେଶ୍ଵର ଠାରେ ଶୂନ୍ୟବାଣୀ ଶୁଣି ପୁନଶ୍ଚ ଶ୍ରୀମନ୍ଦିରକୁ ଫେରିଆସି ଦେଖନ୍ତି ଯେ, ଠାକୁରମାନେ ତାଙ୍କର ଇଷ୍ଟ ଗଣପତି ରୂପ ଧାରଣ କରି ଧବଳ ରୂପରେ ବଳଭଦ୍ର ଓ କଳା ରୂପରେ ଜଗନ୍ନାଥ ଶୋଭା ପାଉଛନ୍ତି । ଗଣପତି ଭଟ୍ଟ ଏହି ଦୃଶ୍ୟ ଦେଖି ଭକ୍ତି ବିଭୋର ହୋଇପଡ଼ିଲେ ଓ ତତ୍‌କ୍ଷଣାତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚରଣାବିନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ପ୍ରାର୍ଥନା କରିଥିଲେ । ଗଣପତି ଭଟ୍ଟଙ୍କ ଗଣପତି ବେଶ ଦର୍ଶନର ସ୍ମାରକୀ ସ୍ଵରୂପ ଏହି ବେଶ ହୋଇ ଆସୁଛି ।

କେତେକଙ୍କ ମତରେ ଏହା ମୌସୁମି ବର୍ଷା ଆଗମନର ସୂଚନା ଦେଇଥାଏ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!