ଅଧରପଣାର ରହସ୍ୟ..

ଚାଲିିଛି ଚତୁର୍ଦ୍ଧା ମୁରତିଙ୍କ ଲୀଳୀଖେଳା। ଆଜି ଅଧରପଣା ପାଇବେ ମହାପ୍ରଭୂ। ରଥଯାତ୍ରାର ନଅ ଦିନ ପରେ ବାହୁଡା ଯାତ୍ରା। ବାହୁଡା ପରେ ସିଂହଦ୍ବାରରେ ତିନରଥ ଉପରେ ମହାବାହୁଙ୍କୁ ସୁନାବେଶ କରାଯାଏ ପରେ ଅଧରପଣା ନିତୀ ସଂପନ୍ନ ହୋଇଥାଏ। ଜଗନ୍ନାଥଙ୍କର ବିଭିନ୍ନ ପ୍ରକାର ନିତୀକାନ୍ତି ହୋଇଥାଏ , ତାମଧ୍ୟରୁ ଅଧରପଣା ନିତୀ ଅତ୍ୟତମ । ଅନେକ ମାହାତ୍ମ୍ୟ ଓ ରହସ୍ୟ ରହିଛି ଏହି ନିତୀକୁ ନେଇ ।ଆସନ୍ତୁ ଜାଣିବା

ସ୍ୱତଲିପି ଅନୁସାରେ ବାହୁଡ଼ା ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଁଚିବା ପେର ଅଧର ପଣା ଭୋଗ ହେବା କଥା । କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ । ହେଲେ ଏକାଦଶୀ ଦିନ ମଧ୍ୟ ଏହି ନୀତି ହୋଇ ନପାରି ଅନେକ ବର୍ଷ ଧରି ଦ୍ୱାଦଶୀ ତିଥିରେ ଏହି ‘ ଅଧର ପଣା ଭୋଗ କରାଯାଉଛି ।ଏବେ ତିନି ରଥ ପାଇଁ ଦ୍ଵାଦଶୀ ଦିନ ମୋଟ ୯ ହାଣ୍ଡି ଅଧର ପଣା ଭୋଗ ହେଉଅଛି ।

ପୁରାଣ କହୁଛିରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସହ ରଥରେ ଅନେକ ଦେବାଦେବୀ, ଦାନବ, ଗନ୍ଧର୍ଭ, ଯକ୍ଷ, ଚଣ୍ଡି, ଚାମୁଣ୍ଡା ତଥା ଅଶରିରୀମାନେ ଯାତ୍ରା କରିଥାନ୍ତି । ସେହି ଆତ୍ମାର ଶାନ୍ତି ପାଇଁ ନୀଳାଦ୍ରି ବିଜେ ପୂର୍ବରୁ ମହାପ୍ରଭୁ ଅଧର ଅମୃତ ପାନ କରିଥାନ୍ତି ।ଏହି ପଣା ପାନ କରି ଅତୃପ୍ତ ଆତ୍ମା ମୁକ୍ତି ଲାଭ କରିଥାଏ। ବର୍ଷକୁ ଥରେ ମଣିଷଙ୍କ ପରି ପ୍ରେତାତ୍ମାମାନେ ମଧ୍ୟ ଚାହିଁ ବସିଥା’ନ୍ତି ରଥଯାତ୍ରାକୁ। ଅତୃପ୍ତ ଆତ୍ମା ତୃପ୍ତ ହୁଅନ୍ତି, ଅଶରୀରୀମାନେ ମୁକ୍ତି ପାଆନ୍ତି ଏଭଳି ଅନେକ ଲୋକ ପ୍ରବାଦ ଅଧରପଣାକୁ ନେଇ ରହିଛି।

ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କର ଶ୍ରୀଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ । ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାମାନଙ୍କରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତଳ ହଣ୍ଡାମାନଙ୍କରେ ରଖିଥାନ୍ତି । ସିଂହଦ୍ୱାର ସମ୍ମୁଖ କୂପରୁ ଏହି ଜଳ ଅଣାଯାଏ । ଅଧରପଣା ଭୋଗ ପୂର୍ବରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳୁଚ୍ଛ , ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି । ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା ଜାଲିକନା ପକାଯାଏ । ଜଳ ଛଣା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି କଥିତ ରହିଛି ।

ବଳଭଦ୍ରଙ୍କୁ ତାରା, ସୁଭଦ୍ରାଙ୍କୁ ଭୁବନେଶ୍ବରୀ ଓ ଜଗନ୍ନାଥଙ୍କୁ ମହାକାଳୀ ବୋଲି ତାନ୍ତ୍ରିକ ଓ ଶକ୍ତି ଉପାସକମାନେ ପୂଜା କରିଥା’ନ୍ତି। ତେଣୁ ଏହି ନବଦିନାତ୍ମକ ରଥଯାତ୍ରାକୁ ତନ୍ତ୍ରର ପୂଜା ବୋଲି କୁହାଯାଏ। ଖାଲି ସେତିକି ନୁହେଁ, ତନ୍ତ୍ରର ପ୍ରଭାବ ଜଗନ୍ନାଥଙ୍କ ସଂସ୍କୃତିରେ ରହିଥିବାରୁ ପ୍ରତି ରଥରେ ୯ ଜଣ ଲେଖାଏଁ ପାର୍ଶ୍ବ ଦେବାଦେବୀ ରହିଥା’ନ୍ତି। ଅଧର ପଣା ବେଳେ ପ୍ରତିରଥରେ ତିନି ତିନୋଟି କରି ମୋଟ ନଅଟି ହାଣ୍ଡି ପଣା ମହାପ୍ରଭୁଙ୍କୁ ମଣୋହି ହୋଇଥାଏ ବୋଲି କୁହାଯାଏ । ଦେବସ୍ନାନ ପୂର୍ଣ୍ଣିମାଠାରୁ ଶ୍ରୀଗୁଣ୍ଡିଚା ଉତ୍ସବ ଆରମ୍ଭ ହୋଇ ନୀଳାଦ୍ରି ବିଜେରେ ସମାପ୍ତ ହୋଇଥାଏ। ରଥଯାତ୍ରା ଶେଷଭାଗରେ ମହାପ୍ରଭୁ ମଧୁର ଅଧରରେ ପଣାହାଣ୍ଡି ସ୍ପର୍ଶ କରି ଏହାକୁ ଶରୀରୀ ଓ ପ୍ରେତମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି ଉଦ୍ଧାର କରିଥାନ୍ତି।

Post Views66 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!