ଦେଶବ୍ୟାପୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣା ପ୍ରତିବାଦରେ ଆଜି ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି ଭାରତୀୟ ମେଡିକାଲ ସଂଘ। ଆସନ୍ତାକାଲି ସକାଳ ୬ଟା ଅର୍ଥାତ୍ ୨୪ ଘଣ୍ଟା ଧରି ଚାଲିବ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ। ଦେଶର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଧର୍ମଘଟ ଡାକରା ଦିଆଯାଇଛି। ଏଥିସହିତ ଓପିଡି ଓ ଡାକ୍ତରଖାନାରେ ନିୟମିତ ଅସ୍ତ୍ରୋପଚାର ବନ୍ଦ କରିବାକୁ ଦାବି କରାଯାଇଛି। ଏମରଜେନ୍ସି ବ୍ୟତୀତ ଅନ୍ୟ କୌଣସି ଅସ୍ତ୍ରୋପଚାର ହୋଇପାରିବ ନାହିଁ। ହସ୍ପିଟାଲଗୁଡ଼ିକୁ ସେଫ୍ ଜୋନ୍ ଭାବେ ଘୋଷଣା ସହ ବିମାନବନ୍ଦର ଭଳି ସୁରକ୍ଷା ଯୋଗାଇ ଦେବାକୁ ଆଇଏମଏ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ମୁତୟନ ସହ ସୁରକ୍ଷା ଯାଞ୍ଚର ପ୍ରୋଟୋକଲ୍ ପାଳନ କରିବାକୁ ଅପିଲ କରାଯାଇଛି।

ଏହାସହ ହସ୍ପିଟାଲରେ ରେସିଡେଣ୍ଟ ଡାକ୍ତରଙ୍କ କାର୍ଯ୍ୟ ସମୟ ନିର୍ଦ୍ଧାରଣ କରିବାକୁ ମଧ୍ୟ ଦାବି ହୋଇଛି। ଆଇଏମଏର କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ଡାକ୍ତର ବିନୟ ଅଗ୍ରଓ୍ବାଲ କହିଛନ୍ତି ଯେ ଡାକ୍ତରମାନେ କେବେ ବି ଧର୍ମଘଟ କରିବାକୁ ଚାହୁଁନାହାନ୍ତି। କିନ୍ତୁ ଯଦି ଡାକ୍ତରଙ୍କ ଉପରେ ହିଂସା ଓ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଭଳି ଘଟଣା ଘଟେ, ତେବେ ଚୁପ୍ ବସିବୁ ନାହିଁ। ସୂଚନା ଅନୁସାରେ, ଗତ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ କାର୍ଯ୍ୟରତ ଜଣେ ପୋଷ୍ଟ ଗ୍ରାଜୁଏଟ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ କରାଯାଇ ପରେ ହତ୍ୟା କରିଦିଆଯାଇଥିଲା। ଘଟଣା ପରେ ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏପଟେ ଓଡ଼ିଶାରେ ମଧ୍ୟ ୬ହଜାର ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!