ରେଭେନ୍ସା ରାଜନୀତି; ବିଜେଡି ଓ ବିଜେପି ମୁହାଁମୁହିଁ

ରେଭେନ୍ସା ନାମ ପରିବର୍ତ୍ତନ ହେବା ଦରକାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରେ, ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ରେଭେନ୍ସା ନାମ ପରିବର୍ତ୍ତନ ହେବା ଦରକାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ସରଗରମ ରାଜନୀତି। ବିଶ୍ବବିଦ୍ୟାଳୟ ନାଁକୁ ନେଇ ରାଜନୀତି, ବ୍ରିଟିଶ ଅଫିସର ଥୋମାସ୍ ଏଡୱାର୍ଡ ରେଭେନସାଙ୍କ ଭୂମିକାକୁ ନେଇ ରାଜନୀତି। ବିଜେଡି ଏହାକୁ କଡ଼ା ସମାଲୋଚନା କରିଥିବା ବେଳେ, ବିଜେପି ବି ରଖିଛି ଜବାବ। ଏସବୁ ଭିତରେ ରେଭେନ୍ସା ଗୋଟିଏ ନାଁ ନୁହେଁ, ବରଂ ଗୋଟିଏ ଇମୋସନ ବୋଲି ଯୁକ୍ତି ଦର୍ଶାଇ, ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟର ବିଭିନ୍ନ ଛାତ୍ରସଂଘ ଏବଂ ବହୁ ପ୍ରାକ୍ତନ ଛାତ୍ର।

ଏଭଳି ବୟାନ ରଖିବା ପୂର୍ବରୁ ସେ ଟିକିଏ ଇତିହାସ ପଡ଼ିଥାନ୍ତେ ବୋଲି କହି କଟାକ୍ଷ କରିଛି ବିଜେଡି। ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି, କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି। ୯ ଅଙ୍କ ଦୁର୍ଭିକ୍ଷ ପରେ ଓଡ଼ିଶାର ଶିକ୍ଷା ଯେତେବେଳେ ବିପର୍ଯ୍ୟସ୍ତ ଥିଲା, ସେତେବେଳେ ସେତେବେଳର ବ୍ରିଟିଶ କମିଶନର ଥୋମାସ ଏଡୱାର୍ଡ ରେଭେନ୍ସା ଏହାକୁ ପ୍ରୋତ୍ସାହନ ଦେଇଥିଲେ ବୋଲି ଯୁକ୍ତି ବାଢ଼ିଛି ବିଜେଡି। ଏଥିସହ ଧର୍ମେନ୍ଦ୍ର ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦଳ ଦାବି ରଖିଛି ।
ସେମିତି କଂଗ୍ରେସ ବି ରେଭେନ୍ସା ନାମ ପରିବର୍ତ୍ତନ ମନ୍ତବ୍ୟକୁ ବିରୋଧ କରିବା ସହିତ, ଏହାକୁ ସେଣ୍ଟ୍ରାଲ ୟୁନିଭର୍ସିଟି ମାନ୍ୟତା ଦେବାକୁ ଦାବି ରଖିଛି । ଅନ୍ୟପକ୍ଷରେ ବିଜେପି ମଧ୍ୟ ପ୍ରେସମିଟ୍ କରି ଟି.ଇ. ରେଭେନ୍ସାଙ୍କୁ ନରହନ୍ତା ବ୍ରିଟିଶ ଅଫିସର ବୋଲି କହିବା ସହିତ, ତାଙ୍କ ସପକ୍ଷରେ ବିଜେଡି ବାହାରିବାକୁ କଡ଼ା ଭାଷାରେ ନିନ୍ଦା କରିଛି । ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି, ଟି.ଇ. ରେଭେନ୍ସା ଓଡ଼ିଆମାନେ ଅଳସୁଆ ହୋଇଥିବାରୁ ଦୁର୍ଭିକ୍ଷ ହେଲା ବୋଲି କହିଥିଲେ । ଏକଥା ଜେ.ପି. ଦାସଙ୍କ ଲିଖିତ ଇତିହାସ ପୁସ୍ତକ ‘ଦେଶ-କାଳ-ପାତ୍ର’ରେ ଉଲ୍ଲେଖ ରହିଛି। ବିଜେଡି ପୂର୍ବରୁ ଅଣଓଡ଼ିଆ ଅଫିସରଙ୍କ ପାଇଁ ଯୁକ୍ତି ବାଢ଼ୁଥିଲା, ଏବେ ସବୁସୀମା ଡେଇଁ ବ୍ରିଟିଶ ଅଫିସରଙ୍କ ପାଇଁ ଯୁକ୍ତି ବାଢ଼ୁଛି । ତେଣୁ ସେମାନେ ବରଂ କ୍ଷମା ମାଗିବା ଦରକାର ବୋଲି ବିଜେପି ଦାବି କରିଛି।
ସେପଟେ ରେଭେନ୍ସା ନାମ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ରେଭେନ୍ସାଭିଆନଙ୍କ ମଧ୍ୟରେ ତେଜିଛି ଅସନ୍ତୋଷ। ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନଓ ପ୍ରାକ୍ତନ ଛାତ୍ର। କହିଛନ୍ତି, ରେଭେନ୍ସା କେବଳ ଗୋଟିଏ ନାଁ ନୁହେଁ, ଏହା ଗୋଟିଏ ଭାବାବେଗ। ସେପଟେ ଏହି ପ୍ରସଙ୍ଗରେ ଚର୍ଚ୍ଚା ଆବଶ୍ୟକ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ତେବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହାକୁ ଧର୍ମେନ୍ଦ୍ରଙ୍କ ବ୍ୟକ୍ତିଗତ ମତ କହି କଥାକୁ ଟାଳିଦେଇଛନ୍ତି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!