ଜାତୀୟ ରାଜପଥ ଶୁଳ୍କ ନିୟମ ସଂଶୋଧିତ

କେନ୍ଦ୍ର ସରକାର ଘରୋଇ ଗାଡ଼ିଗୁଡ଼ିକ ପାଇଁ ଜିପିଏସ୍‌ ଆଧାରିତ ଟୋଲ୍‌ ବ୍ୟବସ୍ଥାକୁ ମଞ୍ଜୁରି ଦେଇଛନ୍ତି । ଏହା ଦ୍ୱାରା ଟୋଲ୍‌ ପ୍ଲାଜାଗୁଡ଼ିକରେ ଗାଡ଼ିଗୁଡ଼ିକୁ ଆଉ ଅଟକିବାକୁ ପଡ଼ିବ ନାହିଁ । ଯାତ୍ରା ସହଜ ହେବ । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ମଙ୍ଗଳବାର ଜାତୀୟ ରାଜପଥ ଶୁଳ୍କ ନିୟମ,୨୦୦୮କୁ ସଂଶୋଧନ କରିଛି । ଏଥିରେ ସାଟେଲାଇଟ୍‌-ଆଧାରିତ ସିଷ୍ଟମ ମାଧ୍ୟମରେ ଇଲେକ୍ଟ୍ରୋନିକ୍ସ ଟୋଲ୍‌ ସଂଗ୍ରହକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ନୂଆ ବ୍ୟବସ୍ଥା ଦ୍ୱାରା ଏବେ ଜିପିଏସ୍‌ ଲାଗିଥିବା ଗାଡ଼ିଗୁଡ଼ିକ ଯେତିକି ଦୂର ଯାତ୍ରା କରିବେ ତାହାକୁ ଟ୍ରାକ୍‌ କରାଯାଇ ଉକ୍ତ ହିସାବରେ ଟୋଲ୍‌ ଫି’ ନିଆଯିବ ।

ସଂଶୋଧିତ ଜାତୀୟ ରାଜପଥ ଶୁଳ୍କ ଆଇନ-୨୦୨୪ ମାଧ୍ୟମରେ ଗ୍ଲୋବାଲ ନାଭିଗେସନ ସାଟେଲାଇଟ୍‌ ସିଷ୍ଟମ(ଜିଏନ୍‌ଏସ୍‌ଏସ୍‌) ସଂସ୍ଥାପିତ ଘରୋଇ ଗାଡ଼ି ମାଲିକମାନେ ଏ ବ୍ୟବସ୍ଥାର ଲାଭ ପାଇବେ । ନୂଆ ବିଜ୍ଞପ୍ତି ଅନୁସାରେ ଯଦି ଗାଡ଼ିରେ ଜିଏନ୍‌ଏସ୍‌ଏସ୍‌ ସଂସ୍ଥାପିତ ଅଛି, ତେବେ ଦିନକୁ ରାଜପଥ ଏବଂ ଏକ୍ସପ୍ରେସ୍‌ୱେରେ ପ୍ରଥମ ୨୦ କିମି ପର୍ଯ୍ୟନ୍ତ ଯାତ୍ରାରେ ଗାଡ଼ି ମାଲିକଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ୨୦ କିଲୋମିଟର ପରେ ଯେତିକି ଯାତ୍ରା କରିବେ ଉକ୍ତ ଅନୁସାରେ ଟୋଲ୍‌ ଫି’ ଦେବେ । ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ଭାରତରେ ପଞ୍ଜୀକୃତ ହୋଇ ନ ଥିବା କିମ୍ବା ବିନା ଜିଏନ୍‌ଏସ୍‌ଏସ୍‌ଯୁକ୍ତ ଗାଡ଼ିଗୁଡ଼ିକଠାରୁ ଷ୍ଟାଣ୍ଡାର୍ଡ ଟୋଲ୍‌ ଦେୟ ଆଦାୟ କରାଯିବ ।

ଏହି ନୂଆ ନିୟମ ଅନୁସାରେ, ଏବେ ଜିପିଏସ୍‌ ଏବଂ ଅନ୍‌ବୋର୍ଡ ୟୁନିଟ୍‌(ଓବିୟୁ)ଜରିଆରେ ଟୋଲ୍‌ ଆଦାୟ କରାଯାଇପାରିବ । ଏହି ନୂଆ ବ୍ୟବସ୍ଥା ସହିତ ଫାଷ୍ଟ୍ୟାଗ୍‌ ଏବଂ ଅଟୋମେଟିକ୍‌ ନମ୍ବର ପ୍ଲେଟ୍‌ ରିକଗ୍‌ନିସନ୍‌ ଟେକ୍‌ନିକ୍‌ ବି କାର୍ଯ୍ୟ କରିବ । ଏହି ପରିବର୍ତ୍ତନ ଦ୍ୱାରା ଜିଏନ୍‌ଏସ୍‌ଏସ୍‌ ଓବିୟୁ ସଂସ୍ଥାପିତ ଗାଡ଼ି ନିର୍ଦ୍ଧାରିତ ଦୂରତ୍ୱ ଆଧାରରେ ଅଟୋମେଟିକ୍‌ ଟୋଲ୍‌ ପେମେଣ୍ଟ କରିପାରିବେ । ୨୦୦୮ ନିୟମଗୁଡ଼ିକ ମଧ୍ୟରୁ ନିୟମ ୬କୁ ବଦଳାଇ ଦିଆଯାଇଛି, ଯାହାଦ୍ୱାରା ଜିଏନ୍‌ଏସ୍‌ଏସ୍‌ ଗାଡ଼ିଗୁଡ଼ିକ ପାଇଁ ଟୋଲ୍‌ ପ୍ଲାଜାରେ ବିଶେଷ ଲେନ୍‌ ବନାଯାଇପାରିବ । ଫଳରେ ଏହି ଗାଡ଼ିଗୁଡ଼ିକୁ ମାନୁଆଲ ଟୋଲ୍‌ ପେମେଣ୍ଟ ପାଇଁ ଅଟକିବାକୁ ପଡ଼ିବ ନାହିଁ ।

ଏବେ ଟୋଲ୍‌ ପ୍ଲାଜାରେ ଟୋଲ୍‌ ପେମେଣ୍ଟ କ୍ୟାସ୍‌ କିମ୍ବା ଫ୍ୟାଷ୍ଟ୍ୟାଗ୍‌ ଜରିଆରେ ହେଉଛି । ଫଳରେ ଅନେକ ସମୟରେ ଭିଡ଼ ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ, ଜିପିଏସ୍‌-ଆଧାରିତ ଟୋଲ୍‌ ପ୍ରଣାଳୀ ସାଟେଲାଇଟ୍‌ ଏବଂ କାର୍‌ରେ ଲାଗିଥିବା ଟ୍ରାକିଙ୍ଗ୍‌ ସିଷ୍ଟମ୍‌ର ବ୍ୟବହାର କରିଥାଏ । ଏ ସିଷ୍ଟମ୍‌ କୌଣସି ଗାଡ଼ି କରିଥିବା ଯାତ୍ରାର ଦୂରତ୍ୱ ଅନୁସାରେ ଟୋଲ୍‌ ଆଦାୟ ପାଇଁ ସାଟେଲାଇଟ୍‌-ଆଧାରିତ ଟ୍ରାକିଂ ଏବଂ ଜିପିଏସ୍‌ ଟେକ୍‌ନିକ୍‌ର ଉପଯୋଗ କରିଥାଏ । ଫଳରେ ଫିଜିକାଲ ଟୋଲ୍‌ ପ୍ଲାଜାର ଆବଶ୍ୟକ ପଡ଼ିବନି । ଅନ୍‌ବୋର୍ଡ ୟୁନିଟ୍‌ କିମ୍ବା ଟ୍ରାକିଂ ଉପକରଣ ସଂସ୍ଥାପିତ ଯାନଗୁଡ଼ିକଠାରୁ ରାଜପଥରେ କରିଥିବା ଯାତ୍ରା ଆଧାରରେ ଶୁଳ୍କ ନିଆଯିବ ।

କିଭଳି କାର୍ଯ୍ୟ କରିବ ନୂଆ ସିଷ୍ଟମ

ଏହି ସିଷ୍ଟମକୁ ଲାଗୁ କରିବା ପାଇଁ ଗାଡ଼ିଗୁଡ଼ିକରେ ଓବିୟୁ ଲଗାଯିବ । ଏହି ଓବିୟୁ ଟ୍ରାକିଂ ଡିଭାଇସ୍‌ ଭଳି କାର୍ଯ୍ୟ କରିବ ଏବଂ ଗାଡ଼ିର ଲୋକେସନର ସୂଚନା ସଂପୃକ୍ତ ସାଟେଲାଇଟ୍‌କୁ ପଠାଇଚାଲିବ । ସାଟେଲାଇଟ୍‌ ଏହି ସୂଚନାର ବ୍ୟବହାର କରି ଗାଡ଼ି ଯାତ୍ରା କରିଥିବା ଦୂରତ୍ୱକୁ ହିସାବ କରିବ । ଦୂରତ୍ୱର ସଠିକ ହିସାବ ପାଇଁ ଜିପିଏସ୍‌ ଏବଂ ଜିଏନ୍‌ଏସ୍‌ଏସ୍‌ ଟେକ୍ନୋଲୋଜିର ବ୍ୟବହାର କରାଯିବ । ଏହାବ୍ୟତୀତ ରାଜପଥରେ ଲାଗିଥିବା କ୍ୟାମେରା ଗାଡ଼ିର ଲୋକେସନର ପୁଷ୍ଟି କରିବ । ପ୍ରାରମ୍ଭିକ ଭାବେ ଏ ସିଷ୍ଟମ କିଛି ନିର୍ଦ୍ଦିଷ୍ଟ ରାଜପଥ ଏବଂ ଏକ୍ସପ୍ରେସ୍‌ୱେରେ ଲାଗୁ କରାଯିବ । ଓବିୟୁକୁ ଫାଷ୍ଟ୍ୟାଗ୍‌ ଭଳି ସରକାରୀ ପୋର୍ଟାଲରୁ କିଣାଯାଇପାରିବ । ଆଗକୁ ଗାଡ଼ି ନିର୍ମାତା ପୂର୍ବରୁ ହିଁ ଓବିୟୁ ଲାଗିଥିବା ଗାଡ଼ି ବିକ୍ରି କରିପାରିବେ ।

 

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!